ଚାକିରି କରାଇ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ : ବାପା ପୁଅ ଗିରଫ, କୋର୍ଟ ଚାଲାଣ

ପାଟଣାଗଡ଼, (ଅଶୋକ କୁମାର ବାଗ) : ଚାକିରି କରାଇ ଦେବା ନାମରେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ବାପା ଏବଂ ପୁଅକୁ ପାଟଣାଗଡ଼ ପୋଲିସ ଗିରଫ କରିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ନୂଆପଡା ଜିଲ୍ଲା ବୁଡେନ ଥାନା କରଙ୍ଗାମାଲ ଗାଁର ବେଣୁଧରର ଜଗତ ଓ ତାଙ୍କ ପୁଅ ହେମନ୍ତ କୁମାର ଜଗତ ପାଟଣାଗଡ, ଲୋଇସିଂହା, ପଦ୍ମପୁର, ବଲାଙ୍ଗିର ସଦର, ବରଗଡ଼ ଓ ସମ୍ବଲପୁର ଅଞ୍ଚଳର ୨୫ରୁ ୩୦ ଜଣ ପିଲାଙ୍କୁ ସିକ୍ୟୁରିଟି ଗାର୍ଡ ଚାକିରି କରାଇଦେବା ନାଁରେ ୮ ଲକ୍ଷ ଷାଠିଏ ହଜାର ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ପାଟଣାଗଡ ଗଙ୍ଗାନଗରରେ ଘରଭଡା ନେଇ ବେଣୁଧର ଜଗତ ଓ ତାଙ୍କ ପୁଅ ହେମନ୍ତ ଜଗତ ସିକ୍ୟୁରିଟି ସୋଲ୍ୟୁସନ ନାମରେ ଏକ ଅଫିସ ଖୋଲି ଜାଲିଆତି କାଗଜପତ୍ର ଦେଖାଇ ଅଞ୍ଚଳର ବେକାର ଥିବା ଯୁବକମାନଙ୍କଠାରୁ ଜଣପିଛା ୩୦ରୁ ୫୦ ହଜାର ଟଙ୍କା ନେଇ ତିନିମାସ ହେଲା ବିଭିନ୍ନ ବାହାନା କରି ଚାକିରି ନଦେବାରୁ ସବୁ ଅଞ୍ଚଳର ଯୁବକମାନେ ଏକତ୍ରିତ ହୋଇ ଉଭୟ ବାପ ପୁଅଙ୍କ ନାମରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଦୁଇ ବାପପୁଅଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କଲା ପରେ ତାଙ୍କ ସିକ୍ୟୁରିଟି ସଂସ୍ଥାର କାଗଜପତ୍ର ନକଲି ଓ ସେମାନେ ଟଙ୍କାନେଇ ଫେରାର ମାରିବା ଉଦ୍ୟମ କରୁଥିବା ପ୍ରମାଣ ପାଇଲା ପରେ ବାପପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଦୁହିଁଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠେଇ ଦିଆଯାଇଛି । ଏହି ଠକେଇ ମାମଲାରେ ଆଉ କେଉଁ ଲୋକ ସମ୍ପୃକ୍ତ ଅଛନ୍ତି ତାହା ତଦନ୍ତ ଚାଲୁଥିବା ପାଟଣାଗଡ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.