ବଲାଙ୍ଗିର, (କେପିଏନ୍ଏସ୍) : ବାଂଲାଦେଶ ମୁକ୍ତି ସଂଗ୍ରାମ ତଥା ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧର ୫୦ ବର୍ଷ ପୂର୍ତ୍ତି ହୋଇଛି । ଏହି ଐତିହାସିକ ଯୁଦ୍ଧ ପରେ ପୃଥିବୀର ମାନଚିତ୍ରରେ ପରିବର୍ତ୍ତନ ହୋଇଥିଲା ଓ ନୂତନ ସ୍ୱାଧିନ ଦେଶ ବାଂଲାଦେଶର ଜନ୍ମ ହୋଇଥିଲା । ପୂର୍ବ ପାକିସ୍ତାନ ବାଂଲାଦେଶରେ ପରିଣତ ହୋଇଥିଲା । ସ୍ୱାଧୀନ ବାଂଲାଦେଶ ଗଠନରେ ଭାରତର ଗୁରୁତ୍ୱପୂର୍ଣ ଭୂମିକା ବିଶ୍ୱ ବିଦିତ । ଭାରତର ଅନକେ ସୈନ୍ୟ ଶହୀଦ ହୋଇଥିଲେ । ବାଂଲାଦେଶର ଲକ୍ଷ ଲକ୍ଷ ଲୋକ ଶରଣାର୍ଥୀ ଭାବେ ଭାରତର ବିଭିନ୍ନ ରାଜ୍ୟରେ ଆଶ୍ରୟ ନେଇଥିଲେ । କିନ୍ତୁ ଭାରତ ସରକାରଙ୍କ ରକ୍ଷା ମନ୍ତ୍ରଣାଳୟ ଇତିହାସ ବିଭାଗରେ ଏ ସମ୍ପର୍କରେ ତଥ୍ୟ ନଥିବା କଥା ସମ୍ପୃକ୍ତ ବିଭାଗର ପ୍ରଥମ ଅପିଲ ଅଧିକାରୀ ତଥା ନିର୍ଦ୍ଦେଶକ ଟ୍ରେନିଂ ଏସ. ଗୋପାଲକ୍ରିଷ୍ଣ ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡାଙ୍କୁ ଜଣାଇଛନ୍ତି । ସୂଚନା କର୍ମୀ ଶ୍ରୀ ପଣ୍ଡା ବାଂଲାଦେଶ ଯୁଦ୍ଧ ସମ୍ପର୍କରେ ଭାରତ ସରକାରଙ୍କ ଗୃହ ବିଭାଗକୁ ବାଂଲାଦେଶ ମୁକ୍ତି ସଂଗ୍ରାମରେ ଭାରତର ଭୂମିକା ଓ ଗତିବିଧି ସହ ଭାରତୀୟ ସୈନିକଙ୍କ ମୃତ୍ୟୁ ସଂଖ୍ୟା, ଶରଣାର୍ଥୀଙ୍କ ସଂଖ୍ୟା ଓ ଶିବିର ସଂଖ୍ୟା ସମେତ ପାକିସ୍ତାନର ଆତ୍ମ ସମର୍ପଣ ସମ୍ପର୍କିତ କାଗଜପତ୍ରର ନକଲ ସମ୍ପର୍କିତ ତଥ୍ୟ ମାଗିଥିଲେ । ଭାରତ ସରକାରଙ୍କ ଗୃହ ବିଭାଗ ଶ୍ରୀ ପଣ୍ଡାଙ୍କ ଆବେଦନକୁ ରକ୍ଷା ବିଭାଗକୁ ସ୍ଥାନାନ୍ତର କରିଥିଲେ । ରକ୍ଷା ବିଭାଗର ସୂଚନା ଅଧିକାରୀ ନିର୍ଦ୍ଦେଶକ ଡ. ଅଶୋକ ମିଶ୍ରା ଏସମ୍ପର୍କରେ କେବଳ ଏକ ପ୍ରକାଶିତ ପୁସ୍ତକର ନାମ ତଥ୍ୟରେ ଶ୍ରୀ ପଣ୍ଡାଙ୍କୁ ପ୍ରଦାନ କରିଥିଲେ । ଇଣ୍ଡିଆ- ପାକିସ୍ତାନ ଓ୍ୟାର ଅଫ ୧୯୭୧, ଏ ହଷ୍ଟୋରୀ ନାମକ ଏକ ପୁସ୍ତକରେ ପ୍ରାମାଣିକ ତଥ୍ୟ ରହିଥିବା ଦର୍ଶାଇଥିଲେ । କିନ୍ତୁ ପଣ୍ଡା ଏଭଳି ଉତ୍ତରରେ ସନ୍ତୁଷ୍ଟ ନହୋଇ ଉପରିସ୍ଥ ଅଧିକାରୀଙ୍କ ପାଖରେ ଆବେଦନ କରିଥିଲେ । ଆବେଦନର ବିଚାର କରି ଅପିଲ ଅଧିକାରୀ ଏସମ୍ପର୍କରେ ବିଶେଷ ତଥ୍ୟ ବିଭାଗରେ ସଂକଳିତ ଭାବରେ ନାହିଁ ବୋଲି କହିଛନ୍ତି । ବାଂଲାଦେଶର ଗଠନ ଭାରତୀୟ ସେନା ପାଇଁ ଏକ ବଡ ବିଜୟ ହୋଇଥିବା ବେଳେ କୁଟନୈତିକ ଦକ୍ଷତାର ମଧ୍ୟ ଏକ ବଡ ବିଜୟ । କିନ୍ତୁ ଏଭଳି ଗୁରତ୍ୱପୂର୍ଣ୍ଣ ତଥ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସଂଗୃହିତ କରାଯାଇ ନଥିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ସୂଚନା କର୍ମୀ ଶ୍ରୀ ପଣ୍ଡା କହିଛନ୍ତି । ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟି ଆକର୍ଷଣ କରିବା ସଙ୍ଗେ ବାଂଲାଦେଶ ଯୁଦ୍ଧର ସମସ୍ତ ତଥ୍ୟକୁ ସାର୍ବଜନୀନ କରିବା ପାଇଁ କେନ୍ଦ୍ରୀୟ ସୂଚନା କମିଶନଙ୍କ ଦାୟିତ୍ୱ ବୋଲି ସୂଚନା କର୍ମୀ ଶ୍ରୀ ପଣ୍ଡା କହିଛନ୍ତି ।