
ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଖାକି ପୋଷାକରେ ଲାଗିଲା ଦାଗ । ବ୍ୟବସାୟୀଙ୍କୁ ପୁଲିସର ଭୟ ଦେଖାଇ ୯ ଲକ୍ଷ ଟଙ୍କା ଲୁଟ କରିଥିବା ରାୟଗଡା ଟାଉନ୍ ଥାନାରେ ଅଭିଯୋଗ ହୋଇଛି । ଖାଲି ଏତିକି ନୁହେଁ ତିନି ଜଣ ହୋମଗାର୍ଡଙ୍କ ସମେତ ଜଣେ ମହିଳା ଓ ଅନ୍ୟ ତିନି ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୋଗ ହେବା ପରେ କଲ୍ୟାଣସିଂହପୁର ଓ ବିଷମକଟକ ଥାନାର ହୋମଗାର୍ଡ ଇନ୍ଦ୍ର କରକରିଆ, ତାମନା ପ୍ରସ୍କା ଓ ଦିଲ୍ଲୀପ ଗରଡିଆକୁ ଟାଉନ୍ ଥାନା ପୁଲିସ ଗିରଫ କରିଛି । ସମସ୍ତ ୭ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ଠାରୁ ଚୋରିରେ ବ୍ୟବହୃତ ବୁଲେର ଗାଡି ସମେତ ୬ ଗୋଟି ମୋବାଇଲ ଏବଂ ଗୋଟେ ମୋଟର ସାଇକେଲ ସହିତ ୨ ଲକ୍ଷ ୮୩ ହଜାର ଟଙ୍କା ନଗଦ ଜବତ କରିଛି ରାୟଗଡା ପୋଲିସ । ଗତକାଲି ଗଜପତି ଜିଲ୍ଲା ଗାରାବନ୍ଧର ଉମା ରେଡ୍ଡି ନାମକ ଜଣେ ବ୍ୟବସାୟୀ ବ୍ୟବସାୟ କରିବା ପାଇଁ ଆସିଥିଲେ । ତେବେ ରାୟଗଡା ଜିଲ୍ଲା ରାଫକୋଣା ଛକରେ ତିନି ଜଣ ହୋମଗାର୍ଡଙ୍କ ସମେତ ଜଣେ ମହିଳା ଓ ଅନ୍ୟ ତିନି ଜଣ ମିଳିତ ହୋଇ ବ୍ୟବସାୟୀଙ୍କୁ ପୁଲିସର ଭୟ ଦେଖାଇଥିଲେ । ପରେ ତାଙ୍କ ଠାରୁ ନଗଦ ୯ ଲକ୍ଷ ଟଙ୍କା ଓ ଏକ ସୁନା ଚେନ୍ ଲୁଟ୍ କରିଥିଲେ । ତେବେ ଏନେଇ ବ୍ୟବସାୟୀ ଉମା ରେଡ୍ଡି ଥାନାରେ ଅଭିଯୋଗ କରିବା ପରେ ଟାଉନ୍ ଥାନା ପୁଲିସ ତିନି ଜଣ ହୋମଗାର୍ଡଙ୍କ ସମେତ ଅନ୍ୟ ୪ ଜଣକୁ ଅଟକ ରଖି ପଚରାଉଚରା କରିଥିଲା । ତେବେ ଏହି ଘଟଣାରେ ଆଉ କାହାର ସଂପୃକ୍ତି ଅଛିକି ନାହିଁ ତାକୁ ନେଇ ଖୋଳତାଡ଼ କରାଯାଉଛି ବୋଲି ରାୟଗଡା ଅତିରିକ୍ତ ଏସ୍ପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।