ତମାଖୁ ମୁକ୍ତ ଜାତୀୟ ଅଭିଯାନ ଆୟୋଜିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ହାଇସ୍କୁଲ ମାୟାବର୍ହାରେ ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ତମାଖୁ ମୁକ୍ତ ଜାତୀୟ ଅଭିଯାନ ଆୟୋଜିତ ହୋଇଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ମିଶନଙ୍କ ଆହ୍ୱାନ କ୍ରମେ ସ୍କୁଲ ଛାତ୍ରଛାତ୍ରୀମାନେ ମାୟାବର୍ହା ଗ୍ରାମକୁ ଏକ ସଚେତନତା ରାଲିରେ ଯାଇ ଜନସାଧାରଣ କିଭଳି ତମାଖୁକୁ ବର୍ଜନ କରିବେ ସେ ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ବରିଷ୍ଠ ଶିକ୍ଷକ ତଥା ସ୍ୱାସ୍ଥ୍ୟ ସମ୍ପର୍କିତ ତାଲିମ ପ୍ରାପ୍ତ ଶିକ୍ଷକ ଦୀନବନ୍ଧୁ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ତମାଖୁ ସେବନ ଜଣେ ବ୍ୟକ୍ତିର ଦୂରାରୋଗ୍ୟ କ୍ୟାନ୍ସରର କାରଣ ହୋଇପାରେ ଏବଂ ଆମେ ଏ ବିଷୟରେ ଯେତେ ଶୀଘ୍ର ସଚେତନ ଓ ସତର୍କ ରହିବା ଆମର ସ୍ୱାସ୍ଥ୍ୟବସ୍ଥା ସେତେ ଭଲ ରହିବ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ତମାଖୁ ବର୍ଜନ ଉଦ୍ଦେଶ୍ୟରେ ଶପଥ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ନନ୍ଦିଘୋଷ ବାରିକ, ପ୍ରହଲ୍ଲାଦ ଦାଶ, ସଞ୍ଜୀବ ପୂଜାରୀ, ମିନକେତନ ଦାସ, ବିଭୀଷଣ ଖମାରୀ, କିରଣ ପଟେଲ, ସ୍ନିଗଧା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ପଶାୟତ ଆଗାମୀ ଦିନରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମାର୍ଗଦର୍ଶିକା ଅନୁସରଣ କରି ତମାଖୁ ମୁକ୍ତ ସ୍କୁଲ ଅଭିଯାନକୁ ତ୍ୱରାନ୍ୱିତ କରାଯିବ ସେ ବିଷୟରେ ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.