
କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସାଡିଁଙ୍ଗିଆ ପଞ୍ଚାୟତ ଲେଣ୍ଡ୍ରିଗାଁ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଦିନ ହେବ ପ୍ରଧାନ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟକଳାପକୁ ନେଇ ଅଶାନ୍ତି ଲାଗି ରହିଥିଲା । ଗତ କିଛି ଦିନ ପୂର୍ବରୁ ବିଦ୍ୟାଳୟରେ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ଓ ଅଞ୍ଚଳବାସୀ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ବିଦ୍ୟାଳୟରେ ତାଲା ପକାଇବା ପରେ ବିଇଓ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଥିଲେ । ଏହାପରେ ଶିକ୍ଷୟିତ୍ରୀଙ୍କ ତୁରନ୍ତ ବଦଳି କରାଯିବାକୁ ପ୍ରତିଶ୍ରୁତି ପରେ ଅଞ୍ଚଳବାସୀ ତାଲା ଖୋଲିବା ପରେ ସ୍କୁଲର ସ୍ଥିତି ସ୍ୱାଭାବିକ ହୋଇଥିଲା । କିନ୍ତୁ ଦୀର୍ଘ ଏକ ମାସରୁ ଅଧିକ ସମୟ ବିତିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ପୁନର୍ବାର ୧୩ ତାରିଖରେ ଉତ୍ତ୍ୟକ୍ତ ଅଞ୍ଚଳବାସୀ ବିଦ୍ୟାଳୟରେ ତାଲା ପକାଇବା ସହ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟକୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ନ ହେବା ପର୍ଯ୍ୟନ୍ତ ନ ଛାଡ଼ିବାକୁ ନିଷ୍ପତ୍ତି ନେବା ପରେ ପୁଣି ଦ୍ୱିତୀୟ ଥର ବିଦ୍ୟାଳୟରେ ତାଲା ପଡ଼ିଥିଲା । ଅନ୍ୟ ପଟେ ଏହି ଘଟଣାରେ ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକମାନେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ର ଏବଂ ଫୁଲବାଣୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇଥିଲେ । ଏହି ଘଟଣାକୁ ନେଇ ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଘଟଣା ସ୍ଥଳକୁ ଯାଇ ଲୋକଙ୍କୁ ବୁଝାସୁଝା କରିବା ପରେ ଦୀର୍ଘ ୫ ଦିନ ପରେ ବିଦ୍ୟାଳୟର ତାଲା ଖୋଲିଥିବା ଦେଖିବାକୁ ମିଳିଛି । ଅନ୍ୟ ପଟେ ଏହି ଘଟଣାକୁ ନେଇ ଜନସାଧାରଣ ଶିକ୍ଷୟିତ୍ରୀଙ୍କ ବଦଳି ନେଇ ନିଜ ଜିଦ୍ରେ ଅଟଳ ଥିବା ବେଳେ ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ରଙ୍କୁ ପଚାରିବାରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ନେଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଯାଇଛି ଏବଂ ତୁରନ୍ତ ବଦଳି କରାଯିବାକୁ ପ୍ରତିଶ୍ରୁତି ଦେଇଥିବା କଥା କହିଛନ୍ତି ।