ଲୋଇସିଂହା, (ବିମଳେନ୍ଦୁ ସାହୁ) : ଚଳିତ ଶିକ୍ଷାବର୍ଷ ୨୦୨୩-୨୪ରେ ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାଠାରୁ ନବମ ଓ ଦଶମ ଶ୍ରେଣୀ ପାଇଁ ସ୍ବୀକୃତି ପାଇଥିବା ଜଣାଯାଇଛି । ଫଳରେ ସ୍ଥାନୀୟ ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଛି । ଚଳିତ ବର୍ଷ ଦଶମ ଶ୍ରେଣୀ ଅର୍ଦ୍ଧବାର୍ଷିକ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି । ଲୋଇସିଂହା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ନିଜ ବିଦ୍ୟାଳୟରେ ପ୍ରଥମ ଥର ପାଇଁ ପରୀକ୍ଷା ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଶିବ ବାରିକଙ୍କ ଅଧ୍ୟକ୍ଷତାରେ ଏହି ପରୀକ୍ଷା ଆୟୋଜିତ ହୋଇଥିଲା । ଏହି ଅବସରରେ ପରିଚାଳନା ସମିତି ସମ୍ପାଦକ ବିଶ୍ୱନାଥ ଷଡ଼ଙ୍ଗୀ ଏବଂ କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା ଯୋଗଦେଇ ପରୀକ୍ଷାରେ ଅଧିକ ଉନ୍ନତି କରିବା ସହିତ ଆଗାମୀ ଦଶମ ବୋର୍ଡ଼ ପରୀକ୍ଷାରେ ଭଲ ଫଳାଫଳ ଦେଇ ବିଦ୍ୟାଳୟର ଟେକ ରଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ ।
