ଭୁବନେଶ୍ୱର, (ସୁଶାନ୍ତ ସାହୁ) : ବାଲେଶ୍ୱରରୁ ପ୍ରକାଶିତ ସାପ୍ତାହିକ ଖବରକାଗଜ ‘ଅଭିନନ୍ଦନ’ର ୧୩ତମ ସ୍ୱନକ୍ଷତ୍ର ଉତ୍ସବ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଅଭିନନ୍ଦନର ସମ୍ପାଦକ ଇଂ ଜଗଦୀଶ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସଭାପତି ରବି ରଥ ଯୋଗଦେଇ ସମାଜ ଗଠନରେ ସମ୍ବାଦପତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ସାମ୍ପ୍ରତିକ ପରିସ୍ଥିତିରେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଗୁଡ଼ିକ ସଙ୍କଟଗ୍ରସ୍ତ ହେବା ଚିନ୍ତାଜନକ । ଏଭଳି ପରିସ୍ଥିତିରେ ରାଜ୍ୟ ଓ କେନ୍ଦ୍ର ସରକାର ସମ୍ବାଦପତ୍ର ଗୁଡ଼ିକର ନିରନ୍ତର ପ୍ରକାଶନ ପାଇଁ ସହାୟତା ଯୋଗାଇ ଦେବା ଆବଶ୍ୟକ । ଉତ୍ସବରେ ମୁଖ୍ୟବକ୍ତା ଭାବେ ଉକ୍ରଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଯୋଗଦେଇ, ସାରା ଦେଶରେ ସାମ୍ବାଦିକତା ଏକ ସଙ୍କଟଜନକ ସ୍ଥିତିରେ ଗତି କରୁଛି । ଏହି ପରିପ୍ରେକ୍ଷୀରେ ମୁକ୍ତ ସାମ୍ବାଦିକତା ପ୍ରତି ବିପଦ ଦେଖାଦେଇଛି । ଏହି ବିପଦକୁ ସାମ୍ନା କରିବାକୁ ହେଲେ ସାମାଜିକ କର୍ମୀ, ବୁଦ୍ଧିଜୀବୀମାନଙ୍କର ସହଯୋଗ ଏକାନ୍ତ କାମ୍ୟ । ଅନ୍ୟ ପକ୍ଷରେ ସାମ୍ବାଦିକମାନେ ଐକ୍ୟବଦ୍ଧ ଭାବେ ସମସ୍ୟାର ସମ୍ମୁଖୀନ ହେବା ଆବଶ୍ୟକ । ଉତ୍ସବରେ ସମ୍ମାନିତ ଅତିଥି ଭାବେ ବାଲେଶ୍ୱରରୁ ପ୍ରକାଶିତ ଦୈନିକ ଖବରକାଗଜ ‘ଧ୍ୱନୀ-ପ୍ରତିଧ୍ୱନୀ’ର ମୁଖ୍ୟ ସମ୍ପାଦକ ସୃଷ୍ଟିଧର ପରିଡ଼ା, ଶିକ୍ଷାବିତ୍ ତଥା ଜ୍ୟୋତିଷ ବିଶାରଦ ବ୍ରଜସୁନ୍ଦର ଦାସ, ଦୈନିକ ଖବରକାଗଜ ‘ଅପରାହ୍ନ’ର ସମ୍ପାଦକ ବଂଶୀଧର ଜେନା ଯୋଗଦେଇ ଅଭିନନ୍ଦନର ଯାତ୍ରା ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିବା ସହ ସଫଳତା କାମନା କରିଥିଲେ । ଏଥିସହିତ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ କିଛି ପ୍ରତିଭାଧାରୀ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାମ୍ବାଦିକତା କ୍ଷେତ୍ରରେ ସମାଜର ଜଗତସିଂହପୁର ପ୍ରତିନିଧି ରାଧାକାନ୍ତ ମିଶ୍ର, ଗାୟୀକା ଜାଗୃତି ମିଶ୍ର, ଓଡ଼ିଶୀ ନୃତ୍ୟଶିଳ୍ପୀ ସାଇ ଋତୁପର୍ଣ୍ଣା ପରିଡ଼ା, ଚିତ୍ରଶିଳ୍ପୀ ଅଶୋକ କୁମାର ମହାନ୍ତି, ଆଦର୍ଶ ଶିକ୍ଷୟିତ୍ରୀ ଗୀତାଞ୍ଜଳି ଶତପଥୀ, ଗାଳ୍ପିକା ଅନସୂୟା ପଣ୍ଡା, କବି ବ୍ରଜକିଶୋର ଦାସ, ପ୍ରାବନ୍ଧିକ ସୁଧାଂଶୁ ଦ୍ୱିବେଦୀ, ସମାଜସେବୀ ସୁଧାଂଶୁ ଶେଖର ଜେନା ପ୍ରମୁଖଙ୍କୁ ଅତିଥିମାନେ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ‘ଅଭିନନ୍ଦନ’ର ସ୍ୱତନ୍ତ୍ର ସଂସ୍କରଣ ଓ ଇଂ ଜଗଦୀଶ ମିଶ୍ରଙ୍କ ‘ତୁମ ପାଇଁ ଗପଟିଏ’ ଉନ୍ମୋଚିତ ହୋଇଥିଲା । ଏଥିରେ ବହୁ ସଂଖ୍ୟାରେ ସାମ୍ବାଦିକ, ବୁଦ୍ଧିଜୀବୀ, ସାହିତ୍ୟିକ ଯୋଗ ଦେଇଥିଲେ ।