centurian jitm

ୱାକଫ୍ (ସଂଶୋଧନ) ବିଲ୍, ୨୦୨୫ରେ ପ୍ରଶାସନିକ ସ୍ୱଚ୍ଛତା ଉପରେ ଗୁରୁତ୍ୱ

  • ଦୁର୍ବଳ ବର୍ଗ ଓ ମହିଳାଙ୍କୁ ଗୁରୁତ୍ୱ ଦେବା ସହିତ ଏହାକୁ ଲୋକାଭିମୁଖୀ କରିବା ଦିଗରେ ଏକ ପଦକ୍ଷେପ

ନୂଆଦିଲ୍ଲୀ, (ପିଆଇବି) : ଓ୍ଵାକଫ୍‌ (ସଂଶୋଧନ) ବିଲ୍, ୨୦୨୫ର ଉଦ୍ଦେଶ୍ୟ ହେଉଛି ୱାକଫ୍ ସମ୍ପତ୍ତି ପରିଚାଳନାରେ ଥିବା ଆହ୍ୱାନକୁ ଦୂର କରି ଏହାକୁ ସରଳ ତଥା ଲୋକାଭିମୁଖୀ କରିବା । ପ୍ରସ୍ତାବିତ ପରିବର୍ତ୍ତନରେ ପୂର୍ବ ଆଇନର ତ୍ରୁଟିକୁ ଦୂର କରିବା ଏବଂ ଓ୍ଵାକଫ୍‌ ବୋର୍ଡର ଦକ୍ଷତା ବୃଦ୍ଧି କରିବା, ୱାକଫର ସଂଜ୍ଞା ଅପଡେଟ୍ କରିବା, ପଞ୍ଜୀକରଣ ପ୍ରକ୍ରିୟାରେ ଉନ୍ନତି, ଓ୍ଵାକଫ୍ ରେକର୍ଡ ପରିଚାଳନାରେ ପ୍ରଯୁକ୍ତିବିଦ୍ୟାର ଭୂମିକା ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ମୁସଲିମ ଓ୍ଵାକଫ୍ ଆଇନ, ୧୯୨୩ ଯାହା ଆଧୁନିକ ଭାରତରେ ୱାକଫ୍ ସମ୍ପତ୍ତି ପରିଚାଳନା ପାଇଁ ବହୁ ପୁରୁଣା ଏବଂ ପର୍ଯ୍ୟାପ୍ତ ନୁହେଁ, ତେଣୁ ଏଥିରେ ସଂଶୋଧନର ଆବଶ୍ୟକତା ରହିଥିଲା ।
ଏହି ସଂଶୋଧନ ମାଧ୍ୟମରେ ୱାକଫ୍ ସମ୍ପତ୍ତିର ପ୍ରଶାସନ ଏବଂ ପରିଚାଳନାରେ ସମାନତା, ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରାଯାଇପାରିବ, ଯାହା ଦ୍ୱାରା ଏହି ଅନାବଶ୍ୟକ ଆଇନର ଅସ୍ତିତ୍ୱ କାରଣରୁ ଉପୁଜିଥିବା ଅସଙ୍ଗତି ଏବଂ ଅସ୍ପଷ୍ଟତା ଦୂର ହେବ । ‘ଗୋଟିଏ ଥର ଓ୍ଵାକଫ୍, ସର୍ବଦା ଓ୍ଵାକଫ୍’ର ନୀତି ବିଭିନ୍ନ ବିବାଦ ଓ ଦାବିକୁ ଜନ୍ମ ଦେଇଛି । ସେଥିମଧ୍ୟରୁ ଭେଟ ଦ୍ୱାରକାର ଦୁଇଟି ଦ୍ୱୀପ ଉପରେ ଦାବି ଭଳି କେତେକ ଦାବିକୁ ଅଦାଲତ ଆଶ୍ଚର୍ଯ୍ୟ ଜନକ ବୋଲି ବିବେଚନା କରିଛନ୍ତି । ୱାକଫ୍ ଆଇନ, ୧୯୯୫ ଏବଂ ଏହାର ୨୦୧୩ ସଂଶୋଧନକୁ ଅପାରଗତା ପାଇଁ ସମାଲୋଚନା କରାଯାଇଛି, ଯାହା ଦ୍ୱାରା ଜବରଦଖଲ, ଅବ୍ୟବସ୍ଥା, ମାଲିକାନା ବିବାଦ ଏବଂ ପଞ୍ଜୀକରଣ ଏବଂ ସର୍ଭେରେ ବିଳମ୍ବ ଭଳି ସମସ୍ୟା ସୃଷ୍ଟି ହୋଇଛି । ଓ୍ଵାକଫ୍‌ ସମ୍ପତ୍ତିର ମାଲିକାନା, ଅଧିକାର ଓ ପଞ୍ଜୀକରଣ, ଟ୍ରିବ୍ୟୁନାଲର କାର୍ଯ୍ୟକାରିତା ଏବଂ ସେମାନଙ୍କ ସହ ଜଡ଼ିତ ବୃହତ୍ ମାମଲା ଇତ୍ୟାଦି ସମ୍ବନ୍ଧୀୟ ଅଭିଯୋଗ ସମ୍ପର୍କରେ ମନ୍ତ୍ରଣାଳୟକୁ ଅବଗତ କରାଯାଇଛି । ଟ୍ରିବ୍ୟୁନାଲର ନିଷ୍ପତ୍ତି ଉପରେ କୌଣସି ନ୍ୟାୟିକ ତଦାରଖ ନାହିଁ, ଯାହା ୱାକଫ ପରିଚାଳନାକୁ ଆହୁରି ଜଟିଳ କରିଥାଏ । ଉଚ୍ଚ ନ୍ୟାୟିକ ସଂସ୍ଥା ନିକଟରେ ଆବେଦନ କରିବାର ସମ୍ଭାବନା ନଥିଲେ ଟ୍ରିବ୍ୟୁନାଲ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ୱାକଫ୍ ସମ୍ପତ୍ତି ପରିଚାଳନାରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱକୁ କ୍ଷୁର୍ଣ୍ଣ କରିପାରେ । ୱାକଫ୍‌ ସମ୍ପତ୍ତି ସର୍ଭେକୁ ସର୍ଭେ କମିଶନର ଅସନ୍ତୋଷଜନକ ବୋଲି କହିଛନ୍ତି । ଏପରିକି ଗୁଜରାଟ ଓ ଉତ୍ତରାଖଣ୍ଡ ରାଜ୍ୟରେ ଥିବା ଓ୍ଵାକଫ୍‌ ସମ୍ପତ୍ତିର ସର୍ଭେ ମଧ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ଉତ୍ତରପ୍ରଦେଶରେ ୨୦୧୪ରେ ସର୍ଭେ ନିର୍ଦ୍ଦେଶ ଦିଆଯାଇଥିଲା କିନ୍ତୁ ଏପର୍ଯ୍ୟନ୍ତ ଏହା ଆରମ୍ଭ ହୋଇନାହିଁ ସର୍ବେକ୍ଷଣ କାର୍ଯ୍ୟରେ ସର୍ଭେ କମିଶନରଙ୍କ ଦକ୍ଷତାର ଅଭାବ ହେଉଛି ସର୍ବେକ୍ଷଣ ସମ୍ପୂର୍ଣ୍ଣ ନହେବାର ମୁଖ୍ୟ ସମସ୍ୟା । ଏହା ବ୍ୟତୀତ ଓ୍ଵାକଫ୍‌ ସମ୍ପତ୍ତି ପଞ୍ଜୀକରଣ କାର୍ଯ୍ୟକୁ ସୁରୁଖୁରୁରେ ଶେଷ କରିବା ପାଇଁ ରାଜସ୍ୱ ବିଭାଗ ସହ ସର୍ଭେ ରିପୋର୍ଟର ସମନ୍ୱୟ ରକ୍ଷା କରିବାର ସମସ୍ୟା ରହିଛି । ଏହା ଦେଖିବାକୁ ମିଳିଥିଲା ଯେ ରାଜ୍ୟ ୱାକଫ୍ ବୋର୍ଡ ମଧ୍ୟ ଏହି ଆଇନର କେତେକ ବ୍ୟବସ୍ଥାର ଅପବ୍ୟବହାର କରିଛନ୍ତି ଯାହା ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଓ୍ଵାକଫ ଆଇନର ଧାରା ୪୦ର ବ୍ୟାପକ ଅପବ୍ୟବହାର କରି ଓ୍ଵାକଫ ସମ୍ପତ୍ତି ଅଧିଗ୍ରହଣ ଏବଂ ଓ୍ଵାକଫ୍ ସମ୍ପତ୍ତି ଘୋଷଣା କରାଯାଇଥିଲା। ଏହା କେବଳ ବହୁ ସଂଖ୍ୟକ ମକଦ୍ଦମା ସୃଷ୍ଟି କରି ନାହିଁ ବରଂ ସମ୍ପ୍ରଦାୟ ମଧ୍ୟରେ ବିଶୃଙ୍ଖଳା ମଧ୍ୟ ସୃଷ୍ଟି କରିଛି । ୱାକଫ୍ ଆଇନ କେବଳ ଦେଶର ଗୋଟିଏ ଧର୍ମର ଧାର୍ମିକ ସମ୍ପତ୍ତି ପାଇଁ ଏକ ସ୍ୱତନ୍ତ୍ର ଆଇନ, ଯେତେବେଳେ ଅନ୍ୟ କୌଣସି ଧର୍ମ ପାଇଁ ଏପରି କୌଣସି ଆଇନ ନାହିଁ । ବାସ୍ତବରେ, ବର୍ତ୍ତମାନ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇ ସମାନ ପ୍ରଶ୍ନ ପଚରାଯାଇଛି । ଓ୍ଵାକଫର ସାମ୍ବିଧାନିକ ବୈଧତାକୁ ନେଇ ଦାୟର ହୋଇଥିବା ଏହି ପିଟିସନ୍ ଉପରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ୱାକଫ୍ (ସଂଶୋଧନ) ବିଲ୍, ୨୦୨୫ର କେତେକ ମୁଖ୍ୟ ବୈଶିଷ୍ଟ୍ୟ ରହିଛି । ଦାତାଙ୍କୁ ଅତି କମରେ ୫ ବର୍ଷ ପର୍ଯ୍ୟନ୍ତ ଇସଲାମ ଧର୍ମ ପାଳନ କରୁଥିବା ମୁସଲମାନ ହେବା ଆବଶ୍ୟକ ଏବଂ ସମ୍ପତ୍ତିର ମାଲିକ ହୋଇଥିବା ଆବଶ୍ୟକ । ୱାକଫ୍ ମହିଳା ଉତ୍ତରାଧିକାରୀଙ୍କୁ ଏହି ଉତ୍ତରାଧିକାର ଅଧିକାରରୁ ବଞ୍ଚିତ କରିପାରିବ ନାହିଁ । ୱାକଫ୍‌ ଭାବରେ ଚିହ୍ନଟ ହୋଇଥିବା କୌଣସି ସରକାରୀ ସମ୍ପତ୍ତି ୱାକଫ୍‌ ଭାବରେ ରହିବ ନାହିଁ । ମାଲିକାନା ବିବାଦର ସମାଧାନ କଲେକ୍‌ଟରଙ୍କ ଦ୍ୱାରା କରାଯିବ । ଏଥିରେ କଲେକ୍‌ଟରଙ୍କୁ ସର୍ବେକ୍ଷଣ କରିବାର ଅଧିକାର ଦେଇଛି । ବକେୟା ଥିବା ସର୍ବେକ୍ଷଣ ରାଜ୍ୟର ରାଜସ୍ୱ ଆଇନ ଅନୁସାରେ ପରିଚାଳନା କରାଯିବ । ଏହି ବିଲରେ ଦୁଇ ଜଣ ଅଣ ମୁସଲମାନ ସଦସ୍ୟ ରହିବାର ବ୍ୟବସ୍ଥା ରହିଛି । ଏହି ବିଲ୍ କେନ୍ଦ୍ର ସରକାରଙ୍କୁ ୱାକଫ୍‌ ବୋର୍ଡ଼ର ପଞ୍ଜୀକରଣ ଏବଂ ନିୟମ ପ୍ରସ୍ତୁତ କରିବାର ଅଧିକାର ଦେଇଥାଏ । ବିଲ କେନ୍ଦ୍ର ସରକାରଙ୍କ ସିଏଜି ବା କୌଣସି ନାମିତ ଅଧିକାରୀଙ୍କ ଠାରୁ ଏହାର ଅଡିଟ୍ କରିବାର ଅଧିକାର ପ୍ରଦାନ କରେ । ସିୟା ଓ ସୁନି ସଂପ୍ରଦାୟ ସହିତ ବୋହରା ଓ ଅଗଖାନି ସଂପ୍ରଦାୟଙ୍କ ପାଇଁ ପୃଥ ୱାକଫ୍‌ ବୋର୍ଡ଼ର ଅନୁମତି ରହିଛି । ଓ୍ଵାକଫ୍ (ସଂଶୋଧନ) ବିଲ୍, ୨୦୨୫ ରେ ଭାରତରେ ଓ୍ଵାକଫ୍ ସମ୍ପତ୍ତି ପରିଚାଳନାର ସ୍ୱଚ୍ଛତା ଏବଂ ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଅଣାଯାଇଛି । ଦୀର୍ଘ ଦିନ ଧରି ଚାଲିଥିବା ମାମଲା ଏବଂ ନ୍ୟାୟିକ ତଦାରଖର ଅଭାବ ଭଳି ସମସ୍ୟାର ସମାଧାନ କରି ଏହି ବିଲ୍ ଏକ ଅଧିକ ସୁବ୍ୟବସ୍ଥିତ ଏବଂ ଉତ୍ତରଦାୟୀ ଢାଞ୍ଚା ସୃଷ୍ଟି କରିବାକୁ ଚାହୁଁଛି । ଓ୍ଵାକଫ୍ ଗଠନକୁ ପୁନଃସଂକଳ୍ପିତ କରିବା, ସର୍ଭେ ଏବଂ ପଞ୍ଜୀକରଣ ପ୍ରକ୍ରିୟାରେ ଉନ୍ନତି ଆଣିବା, ସରକାରୀ ତଦାରଖକୁ ସୁଦୃଢ଼ କରିବା, ଅଣ-ମୁସଲମାନ ସଦସ୍ୟ ଏବଂ ମହିଳାମାନଙ୍କୁ ଓ୍ଵାକଫ୍ ସମ୍ବନ୍ଧିତ ସଂସ୍ଥାରେ ଅନ୍ତର୍ଭୁକ୍ତ କରିବା ପ୍ରମୁଖ ପରିବର୍ତ୍ତନ ଅନ୍ତର୍ଭୁକ୍ତ । ଭାରତରେ ୱାକଫ୍ ସମ୍ପତ୍ତି ପରିଚାଳନାର ଆଧୁନିକୀକରଣ ଦିଗରେ ଏହି ବ୍ୟବସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

Leave A Reply

Your email address will not be published.