ସୁଶୀଳ ଗୁରୁଙ୍କୁ ଏସ୍‌ଡିଓଙ୍କ ଆକ୍ରମଣର ପ୍ରତିବାଦରେ କେଆର୍‌ଏମ୍‌ଏମ୍‌ର ବିକ୍ଷୋଭ

ବଲାଙ୍ଗିର, ( କେପିଏନ୍‌ଏସ୍‌) : କୋସଲବାଦୀ ନେତା ତଥା ଖପ୍ରାଖୋଲ ବ୍ଲକ ସରପଞ୍ଚ ସଂଘର ସଭାପତି ସୁଶୀଳ ଗୁରୁ ହରିଶଙ୍କର ପର୍ଯ୍ୟଟନସ୍ଥଳିରେ ହେଉଥିବା ନିମ୍ନମାନର କାମକୁ ପ୍ରତିବାଦ କରିବାରୁ କଣ୍ଟାବାଞ୍ଜି ପୂର୍ତ୍ତବିଭାଗର ଏସ୍‌ଡିଓ ସିଦ୍ଧାର୍ଥ ଦାସ ମାଡ ମାରିଛନ୍ତି । ଗତକାଲି ଏହି ଘଟଣାକୁ ନେଇ ବଲାଙ୍ଗିର ଜିଲ୍ଲାରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ଜଣେ ନିର୍ବାଚିତ ପ୍ରତିନିଧି ତଥା ଦେବୋତ୍ତର କମିଟିର ସଭ୍ୟଙ୍କୁ ପୂର୍ତ୍ତବିଭାଗର ଏସ୍‌ଡିଓ ମାଡ ମାରିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । କୋସଲବାଦୀ ନେତା ପ୍ରମୋଦ ମିଶ୍ର ଘଟଣାକୁ ନିନ୍ଦା କରିବା ସହିତ ହରିଶଙ୍କର ପୀଠର ଉନ୍ନୟନ କାମରେ ହୋଇଥିବା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ସେହିପରି ଜିଲ୍ଲା ସରପଞ୍ଚ ସଂଘର ସଭାପତି ବୀରବର ସାହୁ ମଧ୍ୟ ଘଟଣାକୁ ନିନ୍ଦା କରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ତେବେ ଏହି ଘଟଣାକୁ କୋସଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ଗୁରୁତର ସହିତ ନେଇଛି । ଜଣେ ସରକାରୀ କର୍ମଚାରୀ ତଥା ଉପକୂଳ ଅଞ୍ଚଳର ବ୍ୟକ୍ତି କିଭଳି ଭାବରେ ଜଣେ ନିର୍ବାଚିତ ପ୍ରତିନିଧି ସୁଶୀଳ ଗୁରୁଙ୍କୁ ଆକ୍ରମଣ କଲା ତାହାକୁ ତୀବ୍ର ନିନ୍ଦା କରିବା ସହିତ ଗତକାଲି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି । କୋସଲ ରାଜ୍ୟ ମୁକ୍ତି ମୋର୍ଚ୍ଚାର ଅଚ୍ୟୁତସିପୁନ ଖମାରୀ, କୋସଲ ସେନାର ସଭାପତି ତଥା କୁସମେଲ ସରପଞ୍ଚ କୌସ୍ତୁଭ ସାହୁ, ଯୁବ କଂଗ୍ରେସନେତା ତଥା କୋସଲବାଦୀ ଯୁବନେତା ଗଣେଶ ସାହୁଙ୍କ ନେତୃତ୍ୱରେ ଶତାଧିକ ଯୁବକମାନେ ଗତକାଲି ସଂଧ୍ୟା ୮.୩୦ମିରେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୋସଲ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟ ସରକାର ତୁରନ୍ତ ହରିଶଙ୍କର ପର୍ଯ୍ୟଟନସ୍ଥଳିର ଉନ୍ନତିକରଣ କାମରେ ହେଉଥିବା ଦୁର୍ନୀତିର ତଦନ୍ତ କରାଇବା, ସୁଶିଳ ଗୁରୁଙ୍କ ନାମରେ ଦିଆଯାଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର କରିବା ଓ ଆକ୍ରମଣକାରୀ ଏସ୍‌ଡିଓଙ୍କୁ ଗିରଫ ସହିତ ଚାକିରିରୁ ବହିସ୍କାର କରିବାକୁ ଦାବି କରାଯାଇଛି । ସେହିପରି ଜିଲ୍ଲା କୃଷକ ମହାସଂଘର ସଭାପତି ଜତି ପଧାନ ମଧ୍ୟ ସୁଶିଳ ଗୁରୁଙ୍କ ଉପରେ ହୋଇଥିବା ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି । ଗତକାଲି ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ କପିଳେଶ୍ୱର ଖମାରୀ, ମୂରଲିଧାରୀ ପତି, କୋସଲ ମୁକ୍ତି ମୋର୍ଚ୍ଚାର ଜିଲ୍ଲା ସଭାପତି ବିକାଶ ସା, ଜନାର୍ଦ୍ଦନ ସିଂ, ଲୋକେଶ, ଜିତୁ ନାଏକ, ଓଁନାଥ ମିଶ୍ର, ଅଜୟ ନାଗ, ରମଣୀ ଭାଇ, ରାଜୁ ଭାଇଙ୍କ ସହିତ ଶତାଧିକ କୋସଲ ସଂଗ୍ରାମୀ ସାମିଲ ଥିଲେ ।

Leave A Reply

Your email address will not be published.