
● କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ପ୍ରତାପ ରାଓ ଯାଧବ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ଦ୍ୱାରା ଆଜି ‘ହରିତ ଯୋଗ’ନାମକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ
● ‘ହରିତ ଯୋଗ’ର ଶୁଭାରମ୍ଭ ସହିତ ଆରମ୍ଭ ହେଲା ଅନ୍ତର୍ଜାତୀୟ ଯୋଗଦିବସର ୭୫ ଦିନିଆ ଅବଗଣନା
● ଯୋଗ ଜରିଆରେ ଯୋଡ଼ି ହେଲା ଓଡ଼ିଶା : ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ସିୱାଇପି ଯୋଗ ଅଭ୍ୟାସରେ ଅଂଶଗ୍ରହଣ କଲେ ୬୦୦୦ରୁ ଅଧିକ ଯୋଗ ପ୍ରେମୀ
● ଯୋଗପ୍ରେମୀଙ୍କୁ ବିତରଣ କରାଗଲା ୫,୦୦୦ରୁ ଅଧିକ ଔଷଧୀୟ ଉଦ୍ଭିଦ
ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜି ସାଧାରଣ ଯୋଗ ଅଭ୍ୟାସ (ସିୱାଇପି) ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬,୦୦୦ରୁ ଅଧିକ ଯୋଗପ୍ରେମୀ ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଛନ୍ତି । ଏହି ଅବସରରେ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଯାଧବ ଏବଂ ଅନ୍ୟ ମାନ୍ୟଗଣ୍ୟ ଅତିଥିଙ୍କ ଦ୍ୱାରା ‘ହରିତ ଯୋଗ’ ନାମକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ବିଶିଷ୍ଟ ଅତିଥିମାନେ ଔଷଧୀୟ ଉଦ୍ଭିଦ ରୋପଣ କରିବା ସହିତ ଯୋଗାଭ୍ୟାସରେ ଅଂଶଗ୍ରହଣ କରିଥିବା ସବୁ ଅଂଶଗ୍ରହଣକାରୀଙ୍କୁ ମଧ୍ୟ ଔଷଧୀୟ ଉଦ୍ଭିଦ ବିତରଣ କରାଯାଇଛି । ଏହି କାର୍ଯ୍ୟକ୍ରମ ସହିତ ଆସନ୍ତା ୨୧ ଜୁନ୍ ଅନ୍ତର୍ଜାତୀୟ ଯୋଗଦିବସ ନିମନ୍ତେ ୭୫ ଦିନିଆ ଅବଗଣନା ଆରମ୍ଭ ହୋଇଛି । ଏହି ସମାବେଶକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଯୋଗ ଗତ ୧୦ ବର୍ଷ ମଧ୍ୟରେ ଅଭୂତପୂର୍ବ ଲୋକପ୍ରିୟତା ହାସଲ କରିଛି ଏବଂ ବର୍ତ୍ତମାନ ଏହା ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରେ ପରିଣତ ହୋଇପାରିଛି । ୨୦୨୫ ମସିହା ମାର୍ଚ୍ଚ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ‘ମନ୍ କି ବାତ୍’ ଅଭିଭାଷଣରେ ଏହା କହିଥିଲେ । ନରେନ୍ଦ୍ର ମୋଦୀ ଦୈନନ୍ଦିନ ଜୀବନରେ ସୁସ୍ଥତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଅନ୍ତର୍ଜାତୀୟ ଯୋଗ ଦିବସ ଭଳି ପଦକ୍ଷେପକୁ ପ୍ରଶଂସା କରିଥିଲେ । ଏକ ସୁସ୍ଥ ବିଶ୍ୱ ପାଇଁ ଭାରତର ବିଚାର ବାଣ୍ଟିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦିବସ ୨୦୨୫ର ବିଷୟବସ୍ତୁ ‘ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ ରଖିଛନ୍ତି । ଏହି ବିଷୟବସ୍ତୁ ସମଗ୍ର ବିଶ୍ୱ ପାଇଁ ସାମଗ୍ରିକ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିଥାଏ ବୋଲି ଶ୍ରୀ ଯାଧବ କହିଥିଲେ । ‘ହରିତ ଯୋଗ’ ପଦକ୍ଷେପ ବିଷୟରେ ଉଲ୍ଲେଖ କରି ମନ୍ତ୍ରୀ କହିଥିଲେ, ‘‘ଆମର ସ୍ୱାସ୍ଥ୍ୟ, ଆମ ଗ୍ରହର ସ୍ୱାସ୍ଥ୍ୟ ସହିତ ଅବିଚ୍ଛେଦ୍ୟ ଭାବରେ ଜଡିତ । ଯେପରି ଯୋଗ ଆମ ମନ ଏବଂ ଶରୀରକୁ ପୋଷଣ ଦେଇଥାଏ, ସେହିପରି ବୃକ୍ଷରୋପଣ ପୃଥିବୀକୁ ପୋଷଣ କରିଥାଏ, ଯାହା ଆଗାମୀ ପିଢ଼ି ପାଇଁ ଏକ ସବୁଜ ଏବଂ ସୁସ୍ଥ ଭବିଷ୍ୟତ ସୁନିଶ୍ଚିତ କରିଥାଏ । ଏହା ସହିତ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ଯାଧବ ‘ହରିତ ଯୋଗ’ର ଶୁଭାରମ୍ଭ ଘୋଷଣା କରିଥିଲେ ଏବଂ କହିଥିଲେ ଯେ ‘ହରିତ ଯୋଗ’ ଯୋଗ ଦିବସ ୨୦୨୫ର ୧୦ଟି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଅଂଶବିଶେଷ । କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ମିଶି ହରିତ ଯୋଗର ଶୁଭାରମ୍ଭ ଅବସରରେ ଔଷଧୀୟ ବୃକ୍ଷ ରୋପଣ କରିଥିଲେ । ଯୋଗର ସ୍ଥିରତା ଏବଂ ପରିବେଶ ସମ୍ବନ୍ଧୀୟ ଦିଗ ବିଷୟରେ ଉଲ୍ଲେଖ କରି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ହରିତ ଯୋଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ ପେଡ଼ ମା କେ ନାମ’ର ପରିକଳ୍ପନା ସହିତ ଯୋଡ଼ିଛନ୍ତି । ଏହି ପଦକ୍ଷେପ ଲୋକମାନଙ୍କୁ ଉଭୟ ବ୍ୟକ୍ତିଗତ ଏବଂ ପ୍ରକୃତିର ସ୍ୱାସ୍ଥ୍ୟର ପୋଷଣ ପାଇଁ ଏକ ପ୍ରତୀକାତ୍ମକ କାର୍ଯ୍ୟ ଭାବରେ ବୃକ୍ଷ ରୋପଣ କରିବାକୁ ଉତ୍ସାହିତ କରେ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ । କେନ୍ଦ୍ର ମନ୍ତ୍ରୀ ‘ପ୍ରକୃତି ପରୀକ୍ଷଣ ଅଭିଯାନ’ର ସଫଳତା ଉପରେ ମଧ୍ୟ ଆଲୋକପାତ କରିଥିଲେ, ଯେଉଁଥିରେ ୧୨.୯ କୋଟିରୁ ଅଧିକ ଲୋକଙ୍କ ପାଇଁ ‘ପ୍ରକୃତି ପରୀକ୍ଷଣ’ ଆୟୋଜନ କରାଯାଇଥିଲା, ଯାହାକି ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିଲା । ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ସୁଶ୍ରୀ ପ୍ରଭାତୀ ପରିଡ଼ା ଯୋଗର ଶକ୍ତି ଉପରେ ଗୁରୁତ୍ୱାରୋପ କରି କହିଛନ୍ତି, ‘‘ଯୋଗ ଆମକୁ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବାକୁ ପ୍ରେରଣା ଦେଇଥାଏ । ସମସ୍ତେ ଯୋଗକୁ ଦୈନନ୍ଦିନ ଜୀବନରେ ସାମିଲ କରିବା ଏବଂ ଭଗବାନ ଜଗନ୍ନାଥଙ୍କ ଦିବ୍ୟତାରୁ ଶକ୍ତି ଆହରଣ କରିବା ଲାଗି ସେ ଆହ୍ୱାନ ଦେଇଥିଲେ । ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ଯୋଗଦିବସର ୭୫ ଦିନିଆ ଅବଗଣନା ଆରମ୍ଭ କରିବା ଏବଂ ଏହି ସମାରୋହରେ ଓଡ଼ିଶାକୁ ସହଭାଗୀ ହେବାର ସୁଯୋଗ ଦେଇଥିବାରୁ ଓଡ଼ିଶା ସରକାରଙ୍କ ତରଫରୁ ସେ ଭାରତ ସରକାର ଏବଂ ଆୟୁଷ ମନ୍ତ୍ରଣାଳୟ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ । ପୁରୀ ସାଂସଦ ସମ୍ବିତ ପାତ୍ର ବିଶ୍ୱସ୍ତରରେ ଯୋଗର ପ୍ରଭାବକୁ ସ୍ୱୀକାର କରିବା ସହିତ ଯୋଗ ଦିବସର ସଫଳତା ଉପରେ ମତ ରଖିଥିଲେ । ସେ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିର ପରିଣାମ ସ୍ୱରୂପ ୨୦୧୪ରେ ୧୭୭ଟି ଦେଶ ସର୍ବସମ୍ମତିକ୍ରମେ ଜୁନ୍ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆୟୁଷ ମନ୍ତ୍ରଣାଳୟର ଯୁଗ୍ମ ସଚିବ ମୋନାଲିସା ଦାସ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଆୟୁଷ ମନ୍ତ୍ରଣାଳୟର ସ୍ୱତନ୍ତ୍ର ଅଧିକାରୀ ନିଶାନ୍ତ ମେହରାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ଆଜିର ଯୋଗ ମହୋତ୍ସବରେ ସାଧାରଣ ଯୋଗ ଅଭ୍ୟାସ (ସିୱାଇପି) ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ମୋରାରଜି ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡକ୍ଟର କାଶୀନାଥ ସମାଗଣ୍ଡିଙ୍କ ନେତୃତ୍ୱରେ ୬,୦୦୦ ଯୋଗପ୍ରେମୀ କଳିଙ୍ଗ ଷ୍ଟାଡିୟମରେ ଯୋଗ ଅଭ୍ୟାସ କରିଥିଲେ । ଏହି ଯୋଗ ଅଭ୍ୟାସରେ ଯୋଗ ନିଦ୍ରା, ପ୍ରାଣାୟାମ, ଧ୍ୟାନ ଆଦିର ପ୍ରଦର୍ଶନ କରାଯାଇଥିଲା । ପ୍ରତ୍ୟେକ ଯୋଗ ମୁଦ୍ରା ଦୃଢ଼ତା, ଶକ୍ତି, ସନ୍ତୁଳନ ଏବଂ ସଦ୍ଭାବ ବଜାୟ ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ । ହରିତ ଯୋଗ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ୬୦୦୦ରୁ ଅଧିକ ଔଷଧିୟ ଉଦ୍ଭିଦ ବିତରଣ କରାଯାଇଥିଲା । ଏହି ପ୍ରୟାସ ଯୋଗ ସହିତ ପରିବେଶ ସଚେତନତାକୁ ଯୋଡ଼ି ପାରିଛି । ଭୁବନେଶ୍ୱରରେ ଆଜି ଆୟୋଜିତ ଯୋଗ ମହୋତ୍ସବ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ଯୋଗ ମାଧ୍ୟମରେ ସାମଗ୍ରିକ ସ୍ୱାସ୍ଥ୍ୟ ଏବଂ ପରିବେଶ ଦୀର୍ଘସ୍ଥାୟିତ୍ୱ ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଉଛି ।