ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

  • ବିଭିନ୍ନ ୫୬ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ
  • ତୁରନ୍ତ ସମାଧାନ ହେଲା ୪୨ ଗୋଟି ଅଭିଯୋଗ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୫୬ ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ । ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୪୨ଗୋଟି, ସାମୁହିକ ଦରଖାସ୍ତ ୧୪ ଗୋଟି ଗ୍ରହଣ କରାଯାଇଛି । ଗ୍ରହଣ କରାଯାଇଥିବା ଦରଖାସ୍ତ ମଧ୍ୟରୁ ଶିବିରରେ ବିଭିନ୍ନ ମାମଲାର ୩୯ ଗୋଟି ଅଭିଯୋଗ ଦରଖାସ୍ତର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ୧୭ଟି ଆପତ୍ତି ଅଭିଯୋଗ ଦରଖାସ୍ତକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପ୍ରେରଣ କରାଯାଇଛି । ଅଦ୍ୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ପିତାମହୁଲ ଗ୍ରାମର ଭିନ୍ନକ୍ଷମ ଦଶରଥ ମହାକୁଡ଼ଙ୍କୁ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ଭିନ୍ନକ୍ଷମ ସହାୟତା ଉପକରଣ ତିନି ଚକିଆ ସାଇକେଲ ପ୍ରଦାନ କରିଛନ୍ତି, ସେହିପରି ରଥପୁର ନିବାସୀ ସ୍ୱର୍ଗତ ଜଗଦୀଶ ଗାଏଗରିଆଙ୍କ ପତ୍ନୀ ଗୀତାଞ୍ଜଳି ଗାଏଗରିଆଙ୍କୁ ବିଧବା ଭତ୍ତା ସହାୟତାରେ ସାମିଲ କରାଯାଇ ମାସିକ ୫୦୦/- (ପାଞ୍ଚ ଶହ ଟଙ୍କା) ଲେଖାଏଁ ପ୍ରଦାନ କରିଛନ୍ତି ଜିଲ୍ଲାପାଳ ତଥା ଉପସ୍ଥିତ ଆରକ୍ଷୀ ଅଧିକ୍ଷକ ସୁବର୍ଣ୍ଣପୁର । ପୁନଶ୍ଚ ବିଧବା ଗାଏଗରିଆଙ୍କୁ ତୁରନ୍ତ ଜାତୀୟ ପରିବାର କଲ୍ୟାଣ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସୁବର୍ଣ୍ଣପୁର । ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୀରମହାରାଜପୁର ମୋତିଲାଲ ସୁଲିଆଙ୍କ ତତ୍ୱାବଧାନରେ ଅଦ୍ୟ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ନିହାର ରଞ୍ଜନ କଁହର, ଉପଜିଲ୍ଲାପାଳ, ବୀରମହାରାଜପୁର ଅଶୋକ ଭୋଇ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ତହସିଲଦାର, ବ୍ଲକସ୍ତରୀୟ କର୍ମଚାରୀ, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ ।

Leave A Reply

Your email address will not be published.