centurian jitm

ଜିଜ୍ଞାସା ହିଁ ଉଦ୍ଭାବନ ଓ ଆବିଷ୍କାରର ପଥ ସୁଗମ କରିଥାଏ

nschool

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଜିଜ୍ଞାସା ହିଁ ଉଦ୍ଭାବନ ଓ ଆବିଷ୍କାରର ପଥ ସୁଗମ କରିଥାଏ ବୋଲି ଆୟୋଜିତ ଜାତୀୟ ବିଜ୍ଞାନ ଦିବସରେ ଅତିଥିମାନେ ମତବ୍ୟକ୍ତ କରିବା ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଆଗ୍ରହ ସୃଷ୍ଟି କରିବାକୁ ଆହ୍ୱାନ ଜଣାଇଛନ୍ତି । ଲୋଇସିଂହା ବ୍ଲକ ଅନ୍ତର୍ଗତ ଯୋଗୀସର୍ଡା ହରିହର ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅଶୋକ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜାତୀୟ ବିଜ୍ଞାନ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଡ. ମିହିର ପଣ୍ଡା ଏବଂ ମୁଖ୍ୟବକ୍ତା ରୂପେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶିବ ପ୍ରସାଦ ତ୍ରିପାଠୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସମାଜ ପାଇଁ ବିଜ୍ଞାନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ତ୍ରିପାଠୀ ତାଙ୍କର ଅଭିଭାଷଣରେ କହିଥିଲେ ଯେ ଜିଜ୍ଞାସା ହିଁ ଉଦ୍ଭାବନ ଓ ଆବିଷ୍କାରର ପଥ ସୁଗମ କରିଥାଏ । ବିଜ୍ଞାନ ହେଉଛି ମାନବ ସମାଜର ସୁଖ, ସମୃଦ୍ଧି ଓ ସୁସ୍ଥ ଜୀବନର ଆଧାର । ବିଜ୍ଞାନର ଆବିଷ୍କାର ଓ ଉଦ୍ଭାବନ ସର୍ବଦା ମାନବ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ହେବା ଉଚିତ । ଏହାର ଅପବ୍ୟବହାର ଧ୍ଵଂସର ତାଣ୍ଡବ ଲୀଳା ସୃଷ୍ଟି କରିପାରେ । ବିଜ୍ଞାନ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ସୃଷ୍ଟି ହେଲେ ଆମ ଦେଶର ପ୍ରଗତି ସମ୍ଭବ ହୋଇ ପାରିବ । ଏହି ଅବସରରେ ମୁଖ୍ୟ ଅତିଥି ଡ. ପଣ୍ଡା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଖେଳଣା ଓ ମଡେଲ ମାଧ୍ୟମରେ ବିଜ୍ଞାନକୁ ଲୋକପ୍ରିୟ କରିବା ସହ ଶିକ୍ଷାର କିପରି ଉନ୍ନତି ସାଧନ ହୋଇପାରିବ ତାହା ପ୍ରଦର୍ଶନ କରି କାର୍ଯ୍ୟକ୍ରମକୁ ଚିତ୍ତାକର୍ଷକ କରିଥିଲେ । ସଭାପତି ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ତ୍ରିପାଠୀ କହିଲେ ଯେ ଆମ ଚତୁଃପାର୍ଶ୍ଵରେ ଥିବା ସମସ୍ତ ପଦାର୍ଥକୁ ବିଶ୍ଳେଷଣ କରିବା ଏବଂ ସତ୍ୟତା ଖୋଜି ବାହାର କରିବା ହେଉଛି ପ୍ରକୃତ ବିଜ୍ଞାନ, ଯାହାର ଜ୍ଵଳନ୍ତ ପ୍ରମାଣ ହେଉଛି ସି.ଭି.ରମଣଙ୍କ ରମଣ ପ୍ରଭାବ । ଏହି ଉପଲକ୍ଷେ ଆୟୋଜିତ କୁଇଜ୍ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ନୈତିକ ସାହୁ, ଦିବ୍ୟମ୍ ପ୍ରଧାନ, ସମୀର ନାଏକ, ସୁଚିସ୍ମିତା ଭୋଇ, ସ୍ମୃତି ପ୍ରିୟଦର୍ଶନୀ ସେଠଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମରେ ବିଜ୍ଞାନ ଶିକ୍ଷକ ଡୋଳାମଣି ସାହୁ ଅତିଥି ପରିଚୟ ଓ ଡୋଳେଶ୍ଵରୀ ମିର୍ଦ୍ଧା ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ନରେଶ ଦ୍ଵାରି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.