ବିନା ସୂଚନା ଫଳକରେ ଚାଲିଛି କୋଟିକୋଟି ଟଂକାର କାମ : ସାଧାରଣରେ ଅଭିଯୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : ବିନା ସୂଚନା ଫଳକରେ ଚାଲିଛି କୋଟି କୋଟି ଟଙ୍କାର ଉନ୍ନୟନମୂଳକ କାମ, ତା ପୁଣି ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ । ଏଭଳି ଘଟଣା ଦେଖିବାକୁ ମିଳିଛି ଲୋଇସିଂହା ବ୍ଲକ ଅନ୍ତର୍ଗତ ପନେସରା-କେଉଁଟିପାଲି ରାସ୍ତାରେ । ବଲାଙ୍ଗିର ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ ପକ୍ଷରୁ ଏହି ରାସ୍ତାରେ ଏକ ସେତୁ କାର୍ଯ୍ୟ ନିର୍ମାଣ ଚାଲିଛି । ସୂଚନା ଫଳକ ତିଆରି ସରିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ସମ୍ବନ୍ଧୀୟ କୌଣସି ତଥ୍ୟ ଲେଖାଯାଇ ନାହିଁ । ଫଳରେ ସ୍ଥାନୀୟ ଲୋକେ ଏହି ନିର୍ମାଣ କାର୍ଯ୍ୟ ବାବଦରେ କିଛି ଜାଣିପାରୁ ନାହାନ୍ତି । ରାତିଦିନ ଅନବରତ ଭାବେ ସେତୁ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବିଭାଗୀୟ କୌଣସି ଅଧିକାରୀ କିନ୍ତୁ ଉପସ୍ଥିତ ରହୁନାହାନ୍ତି । ନିଜ ମର୍ଜି ମୁତାବକ ଠିକାଦାର ଜଣକ ସ୍ଥାନୀୟ ନାଳର ବାଲି ବ୍ୟବହାର କରିବା ସହିତ ଅତି ନିମ୍ନମାନର ସାମଗ୍ରୀ ବ୍ୟବହାର କରୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏ ବାବଦରେ ଲୋଇସିଂହା ସ୍ଥିତ ଗ୍ରାମ୍ୟ ନିର୍ମାଣ ଉପ-ବିଭାଜନର କନିଷ୍ଠ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ଫୋନ ନ ଉଠାଇବାରୁ ସେମାନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ବଲାଙ୍ଗିର ଜିଲ୍ଲାପାଳ ତଥା ବିଭାଗୀୟ ମୁଖ୍ୟଯନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.