ରାଉରକେଲା, (ସସ୍ମିତା ପ୍ରଧାନ) : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ନଭେମ୍ବର ୧ ଓ ୨ ତାରିଖ ଦିନ ବିଶ୍ୱବିଦ୍ୟାଳୟ ପରିସରରେ ହାକାଥନ୍-୨୦୨୫ର ଦ୍ୱିତୀୟ ସଂସ୍କରଣ ଏବଂ ଟେକ୍ କାର୍ନିଭାଲ ୨୦୨୫ର ଶୁଭାରମ୍ଭ ହେବ ବୋଲି ଆଜି ବିପିୟୁଟି ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି । ଏହି ହକାଥନ କାର୍ଯ୍ୟକ୍ରମ ଅବସରରେ ହଜାର ହଜାର ଟେକ୍ନୋକ୍ରାଟଙ୍କ ସହିତ ପ୍ରମୁଖ ବୈଷୟିକ ବିଶ୍ୱବିଦ୍ୟାଳୟର ମୁଖ୍ୟ ଯଥା ଭୁବନେଶ୍ୱର ଓୟୁଟିଆର କୁଳପତି ଏବଂ ବୁର୍ଲାର ଭିଏସ୍ଏସୟୁଟିର କୁଳପତି ପ୍ରମୁଖ ଉପସ୍ଥିତ ରହିବେ । ବିପିୟୁଟି ହାକାଥନ୍-୨୦୨୫ରେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସମାଧାନ କରିବା ପାଇଁ ଏସ୍ଟିପିଆଇ, ରୁମାନ ଟେକ୍ନୋଲୋଜିସ୍, ଓକେସିଏଲ୍, ଓକାକ୍, ଏମ୍ଇଆଇଏଲ୍ ଏବଂ ଡିଏଡିବି ଭଳି ପ୍ରତିଷ୍ଠିତ ଶିଳ୍ପ ଅଂଶୀଦାରମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଦଶଟି ବାସ୍ତବ-ଜୀବନ ସମସ୍ୟା ଚିହ୍ନଟ କରାଯାଇଛି । ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ଅନୁବନ୍ଧିତ ଏବଂ ସଂଲଗ୍ନ କଲେଜମାନଙ୍କରୁ ୪୬୦ ଦଳର ୨୫୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ ପାଇଁ ପଞ୍ଜିକରଣ କରିଛନ୍ତି । ୨୦୨୫ ଅକ୍ଟୋବର ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ୧୨ଟି ସ୍ଥାନରେ ମଧ୍ୟବର୍ତ୍ତୀ ମୂଲ୍ୟାଙ୍କନ ପ୍ରକ୍ରିୟା ପରେ, ବିପିୟୁଟିରେ ଅନୁଷ୍ଠିତ ହେବାକୁ ଥିବା ଗ୍ରାଣ୍ଡ ଫାଇନାଲ ପାଇଁ ୫୦ଟି ଦଳ ଚୟନ ହୋଇଛନ୍ତି । ଏହି କାର୍ଯ୍ୟକ୍ରମର ବିଜେତାମାନଙ୍କୁ ୬ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ଏହି ଗ୍ରାଣ୍ଡ ଫାଇନାଲ ପାଇଁ ସମଗ୍ର ଓଡ଼ିଶାର ମୋଟ ୨୪୮ ଜଣ ଛାତ୍ରଛାତ୍ରୀ ୨୨ଟି କଲେଜରୁ ପ୍ରତିନିଧିତ୍ବ କରୁଛନ୍ତି । ସେହିପରି ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟର ଟେକ୍ କାର୍ନିଭାଲ୍-୨୦୨୫ର ତୃତୀୟ ସଂସ୍କରଣ ଚଳିତ ବର୍ଷ ନଭେମ୍ବର ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏଥିରେ ନଭେମ୍ବର ଏବଂ ଡିସେମ୍ବର ମଧ୍ୟରେ ସାରା ରାଜ୍ୟରେ ୨୪ଟି ବୈଷୟିକ, ୧୩ଟି ସାଂସ୍କୃତିକ ଏବଂ ୭ଟି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବ ଯେଉଁଥରେ ବିପିୟୁଟିର ବିଭିନ୍ନ ଅନୁବନ୍ଧିତ ଏବଂ ସଂଲଗ୍ନ କଲେଜଗୁଡିକର ହଜାର ହଜାର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଡିସେମ୍ବରରେ ବିପିୟୁଟିରେ ଅନୁଷ୍ଠିତ ହେବାକୁ ଥିବା ମହାସମାପନ ଉତ୍ସବରେ ଏହି ପ୍ରତିଯୋଗିତାରେ ବିଜେତାମାନଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅମୀୟ କୁମାର ରଥ । ଏହି ଛାତ୍ରଛାତ୍ରୀ କେନ୍ଦ୍ରିକ କାର୍ଯ୍ୟକ୍ରମଗୁଡ଼ିକ ଓଡ଼ିଶାର ସମସ୍ତ ଟେକ୍ନୋକ୍ରାଟମାନଙ୍କ ମଧ୍ୟରେ ଏକ ଉତ୍ସାହ ସୃଷ୍ଟି କରିବ ଏବଂ ବିପିୟୁଟିରେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିବ ବୋଲି ପ୍ରକାଶ କରାଯାଇଛି । ଏଥିସହିତ ଓଡ଼ିଶାର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ଏବଂ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିବ ବୋଲି ସୂଚନା ଦିଆଯାଇଛି । ଆହୁରି ମଧ୍ୟ, ସେହି ଦିନ ବିପିୟୁଟି ଓ-ଜବସ୍ ୨୦୨୬ ଆରମ୍ଭ ହେବାର ମଧ୍ୟ ଯୋଜନା ରହିଛି ବୋଲି ପ୍ରକାଶ କରାଯାଇଛି । ଏଥିସହିତ ରାଉରକେଲାର ୪୦ଟି ସ୍କୁଲର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମକୁ ଅବଲୋକନ କରିବା ପାଇଁ ଆସୁଛନ୍ତି, ଯାହା ତାଙ୍କୁ ନୂତନ ପ୍ରେରଣା ପ୍ରଦାନ କରିବ । ଏହି ଅନୁଭବ ପିଲାଙ୍କର ସୃଜନାତ୍ମକ ଚିନ୍ତାଧାରା ବୃଦ୍ଧି ପାଇଁ ଉତ୍ସାହ ସୃଷ୍ଟି କରିପାରିବ । ଏହି ସାମ୍ବାଦିକ ସମ୍ମିଳନୀରେ ବିପିୟୁଟିର କୁଳପତି ପ୍ରଫେସର ଅମୀୟ କୁମାର ରଥ ଏବଂ କୁଳସଚିବ ଶ୍ରୀମତୀ ନିଶି ପୁନମ ମିଞ୍ଜଙ୍କ ସମେତ ଡକ୍ଟର ବି. ଚନ୍ଦ୍ରଶେଖର ରାଓ, ୨୦୨୫ ହାକାଥନର ସଂଯୋଜକ ଡକ୍ଟର ଶୁଭେନ୍ଦୁ କୁମାର ରଥ ଏବଂ ୨୦୨୫ ଟେକ୍ କ୍ୟାର୍ନିଭାଲର ସଂଯୋଜକ ଡକ୍ଟର ଡି. ଚନ୍ଦ୍ରଶେଖର ରାଓ, ପ୍ରଫେସର ସୁଜିତ କୁମାର ଖୁଣ୍ଟିଆ, ମନୋରଞ୍ଜନ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମଗୁଡ଼ିକର ଦଳ ଏବଂ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିବେ ବୋଲି ସୂଚନା ଦିଆଯାଇଛି ।
Next Post
 
			