ଭୁତିଆରବହାଲ ରେଞ୍ଜ ଅଫିସରଙ୍କର ଶ୍ରମିକମାରଣ ନୀତି ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ଓଡ଼ିଶାରେ କେନ୍ଦୁପତ୍ର ବ୍ୟବସାୟକୁ ଏତେ ଉର୍ଦ୍ଧକୁ ନେବାରେ ପାଟଣାଗଡ଼ ଡିଭିଜନର ଭୁତିଆରବହାଲ ରେଞ୍ଜର ଭୂମିକା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏଠାରେ ବର୍ତ୍ତମାନ ରେଞ୍ଜ ଅଫିସର ପଲ ହରିପାଲଙ୍କ ଶ୍ରମିକ ମାରଣ ନୀତି ଯୋଗୁଁ ଦିନ ମଜୁରିଆମାନେ ଅନେକ ହଇରାଣର ସମ୍ମୁଖୀନ ହେଉଛନ୍ତି । ଫଡି ମରାମତି ପାଇଁ ନିୟୋଜିତ ଥିବା ଶ୍ରମିକ ମାନେ ମାସେରୁ ଉର୍ଦ୍ଧ ହେବ କାମକରି ପାରିଶ୍ରମିକ ପାଇନାହାନ୍ତି । ସେହିପରି ଡିଏସ କାମରେ ନିୟୋଜିତ ଲେବର ଅନ୍ୟ ବର୍ଷ ମାନଙ୍କରେ ସାତଦିନରେ ନିଜର ପାରିଶ୍ରମିକ ପାଇଥାନ୍ତି କିନ୍ତୁ ଏ ବର୍ଷ ଶ୍ରମିକ ଟଙ୍କାଟିଏ ମଧ୍ୟ ପାଇନାହାନ୍ତି । ବର୍ତ୍ତମାନ କରୋନା ସମୟରେ ଲୋକେ ଖାଇବାକୁ ପାଉନାହାନ୍ତି କିନ୍ତୁ କାମ କରିଥିବା ଲୋକଙ୍କୁ ପଇସା ନଦେଇ ହିଟଲର ଶାସନର ପରିଚୟ ଦେଉଛନ୍ତି ରେଞ୍ଜର ପଲ ହରିପାଲ। ଏ ବିଷୟରେ ଫରେଷ୍ଟର ମାନଙ୍କୁ ପଚାରିବାରୁ ଏ ବର୍ଷ ଆକାଉଣ୍ଟ ପେମେଣ୍ଟ ହେବ ଵୋଲି ରେଞ୍ଜର କହୁଛନ୍ତି ବୋଲି କହିଛନ୍ତି । ପ୍ରକାଶ ଥାଉକି କେନ୍ଦୁପତ୍ରରେ ଶ୍ରମିକ ମାନଙ୍କୁ ଏକାଉଣ୍ଟ ପେମେଣ୍ଟ ଦେବାର କୌଣସି ନିୟମ ନାହିଁ କିନ୍ତୁ ଲୋକଙ୍କୁ ହଇରାଣ କରିବା ପାଇଁ କେତେକ ରେଞ୍ଜର ଏକାଉଣ୍ଟ ପେମେଣ୍ଟ କରୁଥିବାର ଦେଖାଯାଉଛି । ରେଞ୍ଜର ମହୋଦୟ ନିଜେ କରୁଥିବା କାମକୁ ହେଣ୍ଡ ପେମେଣ୍ଟ ଦେଇ କରୁଥିବା ବେଳେ ଫରେଷ୍ଟର ମାନେ କରୁଥିବା କାର୍ୟ୍ୟକୁ ଏକାଉଣ୍ଟ ପେମେଣ୍ଟ କରିବା ଅତ୍ୟନ୍ତ ଦୁଃଖର ବିଷୟ । ବର୍ତ୍ତମାନ ପରିସ୍ଥିତିରେ ଗରିବ ଖଟିଖିଆ ମୂଲିଆ ନିଜର ମଜୁରୀ ପାଇଁ ବ୍ୟାଙ୍କକୁ ଦୌଡ଼ିବା କେତେ ଦୂର ଯଥାର୍ଥ । ଏ ନେଇ ଅଞ୍ଚଲର ବୁଦ୍ଧିଜୀବୀ ମହଲରେ ଅନେକ ଅସନ୍ତୋଷ ଦେଖାଦେଇଛି ଏବଂ ରେଞ୍ଜରଙ୍କୁ ବଦଳି କରିବାକୁ ସାଧାରଣରେ ଦାବିକରାଯାଉଛି ।

Leave A Reply

Your email address will not be published.