ଭିନ୍ନକ୍ଷମଙ୍କ ଆଶା ଓ ବିଶ୍ୱାସ ‘ଶ୍ରଦ୍ଧା’

  • ମାନବ ଅଧିକାର ହିଁ ଭିନ୍ନକ୍ଷମଙ୍କ ଅଧିକାର

ରାଉରକେଲା, (ସସ୍ମିତା ପ୍ରଧାନ) : ଭିନ୍ନକ୍ଷମ ଓ ଅବହେଳିତ ନିଷ୍ପେସିତଙ୍କୁ ସାହାର୍ଯ୍ୟ, ସହଯୋଗ ତଥା ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିଥିବା ସହରର କେତେକ ହାତଗଣତି ଅନୁଷ୍ଠାନ ମଧ୍ୟରେ ଶ୍ରଦ୍ଧାର ନାମ ସର୍ବାଗ୍ରେ ରହିଛି । ଏହା ସମସ୍ତେ ଜାଣନ୍ତି । ସମାଜରେ ଥିବା ଦିବ୍ୟାଙ୍ଗ ବା ମାନସିକ ଭିନ୍ନକ୍ଷମ ଥିବା ବ୍ୟକ୍ତିଙ୍କୁ ତଥା ଆର୍ଥିକ ସ୍ୱଚ୍ଛଳ ନଥିବା ପରିଚୟ ହୀନଙ୍କୁ କୋଳେଇ ନେଇଛି ଶ୍ରଦ୍ଧା ଅନୁଷ୍ଠାନ । ଯାହା ପାଇଁ ଶ୍ରଦ୍ଧା ଆଜି ସମସ୍ତଙ୍କ ଶ୍ରଦ୍ଧାର ପାତ୍ର । ସୂଚନାଯୋଗ୍ୟ ଯେ, ୨୦୦୧ ମସିହାରୁ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ ନିଜର ଦାୟିତ୍ୱବୋଧ, ସାମାଜିକ ପ୍ରତିବଦ୍ଧତା, ଭାଇଚାରା ଓ କର୍ତ୍ତବ୍ୟବୋଧରେ ନିଜକୁ ସମର୍ପି ଦେଇଥିବାରୁ ଏବେ ଇସ୍ପାତ ନଗରୀ କାହିଁକି ସମଗ୍ର ରାଜ୍ୟରେ ଏକ ଶ୍ରଦ୍ଧାଶୀଳ ନାମ ହୋଇଛି । ସମ୍ପ୍ରତ୍ତି ଟାଟା ପାୱାର ପଶ୍ଚିମ ଓଡିଶା ବିକାଶ ଶାଖା ନିଜ ସହଯୋଗର ହାତବଢାଇ ଏହାକୁ ଅଧିକ କ୍ରୀୟାଶୀଳ କରିବାରେ ସହାୟକ ହୋଇଛି । ଏବେ ଏହି ଅନୁଷ୍ଠାନରୁ ଶିକ୍ଷା ଓ ଅଭିଜ୍ଞତା ହାସଲ କରି ଦିନେ ଅଲୋଡା ହୋଇଥିବା ରୀତା ଜୟ ହୁଅନ୍ତୁ ବା ସୁବାସ ଅଗ୍ରୱାଲ ବା ଗନ୍ଦୁର ଓରାମ ଏବେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଶ୍ରଦ୍ଧା ଓ ଟାଟା ପାୱାର ପଶ୍ଚିମ ଓଡିଶା ବିକାଶ ପରିଷଦର ମିଳିତ ଆନୁକୂଲ୍ୟରେ ଏଠାରେ ଥିବା ଅନ୍ତେବାସୀ ଓ ଉତ୍ସୁକତା ଥିବା ଆର୍ଥିକ ଅନଗ୍ରସରଙ୍କୁ ଶିକ୍ଷା ସହ ବିଭିନ୍ନ ଶିକ୍ଷା ମାଧ୍ୟମରେ ମହମବତୀ, ଦୀପ, ରାକ୍ଷୀ, ଫିନାଇଲ ଓ କାଗଜ ବ୍ୟାଗ୍ ପ୍ରସ୍ତୁତକରି ଏହି ସବୁ ଜିନିଷକୁ ବଜାରରେ ଉପଲବ୍ଧ କରାଇ ଆର୍ଥିକ ସ୍ୱାବଲମ୍ବୀ କରିବା ସହ ମୁହଁରେ ହସ ଫୁଟାଇ ପାରିଛି । ଏହା ଅନୁଷ୍ଠାନର ତାଲିମପ୍ରାପ୍ତ ଦିବ୍ୟାଙ୍ଗ ମାନେ ମତ ଦିଅନ୍ତି । ୨୦୦୧ରୁ ଆରମ୍ଭ ହେଇଥିବା ଏହି ଅନୁଷ୍ଠାନ ନାନା ଘାତ ପ୍ରତିଘାତ ମଧ୍ୟରେ ବି ନିଜର ସମର୍ପିତ ଦାୟିତ୍ଵ ଓ କର୍ତ୍ତବ୍ୟ ପଥରୁ କେବେ ବିଚ୍ୟୁତ୍‌ ହୋଇନାହିଁ ବୋଲି ଶ୍ରଦ୍ଧାର ପ୍ରତିଷ୍ଠାତା ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ କହିଛନ୍ତି । ଶ୍ରୀ ପାଣ୍ଡବଙ୍କ ମତରେ ମାନବ ଅଧିକାର ହିଁ ଭିନ୍ନକ୍ଷମଙ୍କ ଅଧିକାର । ସମ୍ପ୍ରତି ଏହି ଅନୁଷ୍ଠାନର ହଷ୍ଟେଲରେ ରହୁଥିବା ଅନ୍ତେବାସୀଙ୍କୁ ମିଶାଇ ପ୍ରାୟ ୪୦ ଜଣଙ୍କୁ କୋଳେଇ ନେଇଛି ଶ୍ରଦ୍ଧା । ଏଥିପାଇଁ ୭ ଜଣ ଶିକ୍ଷକଙ୍କ ସହ ୩ ଜଣ ସହଯୋଗୀ ଷ୍ଟାଫ୍ ମଧ୍ୟ ରହିଛନ୍ତି । ୭ ଜଣ ଟ୍ରେନର ବା ଶିକ୍ଷକ ପ୍ରିତୀ ବାରିକ, ସୁଜାତା ରାଉତ, ରିନୁଲତା ମହାରଣା, ସୁକୁମାର ପାଣ୍ଡବ, ଧୀରେନ ଓଝା, ଅଞ୍ଜଳି ମହାରଣା, ସିପୁନ ବେହେରା ପ୍ରମୁଖ ଏହି ଆର୍ଥିକ ଦୁର୍ବଳ ଶ୍ରେଣୀ ଓ ଭିନ୍ନକ୍ଷମଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି । ଅନୁଷ୍ଠାନର ସଭାପତି ପଶୁପତିନାଥ ଚାଟାର୍ଜୀ ଓ ସାଧାରଣ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଦିଗ୍‌ଦର୍ଶନ ପାଇଁ ଅନୁଷ୍ଠାନ ଏବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଅନ୍ତେବାସୀଙ୍କୁ ସ୍ୱତନ୍ତ୍ର ଶିକ୍ଷା, ବୈଷୟିକ ତାଲିମ, କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିୟୋଜିତ କରି ସେମାନଙ୍କ ଆତ୍ମବଳ ବଢ଼ାଇବାରେ ସହାୟକ ହୋଇପାରିଛି । ଶ୍ରୀ ପାଣ୍ଡବ ସୂଚନା ଦେଇ କହିଛନ୍ତି ଯେ, ସରକାରଙ୍କ ତରଫରୁ ୨୦୧୫-୧୬ରୁ ଚଳନୀୟ ସହାୟତା ରାଶି ମିଳୁଛି । ସମ୍ପ୍ରତ୍ତି ଟାଟା ପାୱାର ପଶ୍ଚିମ ଓଡିଶା ବିକାଶ ଶାଖା ସହାୟତାରେ ବିଶ୍ରା ବ୍ଲକରେ ରହୁଥିବା ୨୧ ପ୍ରକାର ଭିନ୍ନକ୍ଷମଙ୍କୁ ମୁଖ୍ୟ ସ୍ରୋତରେ ତଥା ସେମାନଙ୍କୁ ମୌଳିକ ଅଧିକାର ପାଇଁ କାର୍ଯ୍ୟରତ ଅଛି । ଏହି ଅବସରରେ ଝିରପାଣି ପଞ୍ଚାୟତର ସରପଞ୍ଚ ଅଜିତ ତିର୍କି ଓ ସମସ୍ତ ୱଡମେମ୍ବର ଉପସ୍ଥିତ ରହି ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଭିନ୍ନକ୍ଷମଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଗୁଡିକର ପ୍ରଦର୍ଶନୀ ସହ ବିକ୍ରୟ କରାଯାଇଥିଲା । ଏହାକୁ ଶ୍ରୀ ତିର୍କି ଉଦ୍‌ଘାଟନ କରିବା ସହ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ତେବେ ଏଥିପାଇଁ ଅନୁଷ୍ଠାନ ଓ ଏଥିରେ ଉପକୃତ ହୋଇଥିବା ଭିନ୍ନକ୍ଷମ ମାନେ ଟାଟା ପାୱାରର ସାମାଜିକ ପାରିପାଶ୍ୱିର୍କ ବିକାଶର ମୁଖ୍ୟ ଶ୍ରୀମତୀ ଅରୁଣା ମାରାଣ୍ଡିଙ୍କୁ ତଥା ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.