
- ଦଳମତ ନିର୍ବିଶେଷରେ ବଲାଙ୍ଗିର ବିକାଶ ପାଇଁ ଆଗେଇ ଆସନ୍ତୁ : ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଭିଡ କଟକଣା ଯୋଗୁଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପ୍ରାୟ ଦୁଇ ବର୍ଷ କାଳ ପଡି ରହିଥିଲା । ଏବେ ଧିରେ ଧିରେ ସେ ସବୁ ବାସ୍ତବତାର ରୂପ ନେଉଛି । ସେହି କ୍ରମରେ ଗତକାଲି ବଲାଙ୍ଗିର ପୌର ପରିଷଦ ପକ୍ଷରୁ ସହରର ଟିକ୍ରାପଡା ଓ କଳାମଣ୍ଡଳ ରୋଡଠାରେ ବହୁ ପ୍ରତିକ୍ଷିତ ଦୁଇଟି ସୁଲଭ ଶୌଚାଳୟର ଲୋକାର୍ପଣ କରାଯାଇଛି । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଶୌଚାଳୟର ଉଦ୍ଘାଟନ କରିବା ସହ ଦଳମତ ନିର୍ବିଶେଷରେ ବଲାଙ୍ଗିର ତଥା ବଲାଙ୍ଗିରବାସୀଙ୍କ ବିକାଶ ପାଇଁ ସମସ୍ତେ ଏକତ୍ରିତ ହୋଇ ଆଗେଇ ଆସନ୍ତୁ । ଏହା ହିଁ ଆଜିର ବାର୍ତ୍ତା ହେବା ଆବଶ୍ୟକ ବୋଲି ଆହ୍ୱାନ କରିଛନ୍ତି । ସେ ସାମ୍ବାଦିକମାନଙ୍କୁ ନିଜ ପ୍ରତିକ୍ରିୟାରେ ଆହୁରି କହିଛନ୍ତି ଯେ, ସହରର ମୁଖ୍ୟ ବଜାର ଅଞ୍ଚଳରେ ଶୌଚାଳୟ ନିର୍ମାଣ ପାଇଁ ବଲାଙ୍ଗିରବାସୀଙ୍କ ଦୀର୍ଘ ଦିନର ଦାବୀ ରହିଥିଲା । ଏହି ଦୁଇଟି ଶୌଚାଳୟ ଲୋକାର୍ପିତ ହେବା ପରେ ଜନସାଧାରଣଙ୍କ ସମସ୍ୟା କିଛି ମାତ୍ରାରେ ଲାଘବ ହେବ । ତା’ଛଡା ବଲାଙ୍ଗିର ସହରକୁ ବିକଶିତ କରିବା ପାଇଁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଛି । ମହାରାଣୀ ସାଗର ପ୍ରକଳ୍ପ ହେଉକି, ରାଣୀବନ୍ଧ ସୌନ୍ଦର୍ଯ୍ୟିକରଣ କିମ୍ବା ଗନ୍ଧରେଲ ଡ୍ୟାମକୁ ଏକ ପର୍ଯ୍ୟଟନ ସ୍ଥଳିରେ ପରିଣତ କରିବା ହେଉ ଏସବୁ ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଲୋକଙ୍କ ସହିତ ଜିଲ୍ଲା ବାହାର ଲୋକ ମଧ୍ୟ ଆକର୍ଷିତ ହେବେ । ସ୍ଥାନୀୟ ଲୋକଙ୍କୁ ରୋଜଗାର ମିଳିବା ସହ ଏହି ପ୍ରକଳ୍ପଗୁଡିକ ବଲାଙ୍ଗିରର ଅର୍ଥନୈତିକ ଅଗ୍ରଗତିରେ ସହାୟକ ହେବ । କିଛି ପ୍ରକଳ୍ପ ପାଇଁ ଅର୍ଥ ଆସି ସାରିଛି, ସେ ସବୁ କାମ ଶୀଘ୍ର ଆରମ୍ଭ ହେବ । ତେଣୁ ବଲାଙ୍ଗିରର ବିକାଶ ପାଇଁ ଦଳମତ ନିର୍ବିଶେଷରେ ସମସ୍ତଙ୍କ ସହେଯାଗିତା ଓ ସହଭାଗିତାର ହାତ ବଢାନ୍ତୁ ବୋଲି ଶ୍ରୀ ମିଶ୍ର ନିବେଦନ କରିଥିଲେ । ଏହି ଉଭୟ ଶୌଚାଳୟ ଉଦଘାଟନ ସମୟରେ ଜିଲ୍ଲାପାଳ ଚଂଚଲ ରାଣା, ପୌରାଧ୍ୟକ୍ଷା ଲିକା ସାହୁ, ପୋର ଅଧିକାରୀ ବିପିନ ଦୀପ ଉପସ୍ଥିତ ରହି ଶୌଚାଳୟର କାମ ତଦାରଖ କରିବା ସହ ଏହାର ପରିଚାଳନା କିପରି ଲୋକାଭିମୁଖୀ ହୋଇପାରିବ ତା’ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଯୋଗ ଦେବା ସହ ଆମେ ସମସ୍ତେ ବଲାଙ୍ଗିର ବିକାଶ ପାଇଁ ବଦ୍ଧ ପରିକର । ସମସ୍ତେ ଏକ ହୋଇ କାମ କଲେ ବଲାଙ୍ଗିରର ବିକାଶ ଶୀଘ୍ର ଓ ଦୃତ ହେବ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ଜିଲ୍ଲାପାଳ ଶ୍ରୀ ରାଣା ଉଭୟ ଶୌଚାଳୟ ଜନଗହଳିକୁ ଧ୍ୟାନକୁ ରଖି ନିର୍ମାଣ କରାଯାଇଥିବା ବେଳେ ଏହା ଲୋକଙ୍କ ଶୌଚ ସମସ୍ୟା ଦୂର କରିବ ଓ ଲୋକେ ଏହାକୁ ମର୍ଯ୍ୟାଦାର ସହିତ ବ୍ୟବହାର କରିବେ ବୋଲି ଆଶା ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ ଯେ, ସହରରେ ସମୁଦାୟ ତିନୋଟି ଶୌଚାଳୟ ନିର୍ମାଣ ହୋଇଛି । ପତ୍ୟେକ ପ୍ରକଳ୍ପ ଖର୍ଚ୍ଚ ୩୭ ଲକ୍ଷ ଟଙ୍କା ରହିଥିବା ବେଳେ ପ୍ରତି ଶୌଚାଳୟରେ ପୁରୁଷଙ୍କ ପାଇଁ ୫ଟି, ମହିଳାଙ୍କ ପାଇଁ ୪ଟି ଓ ଦିବ୍ୟାଙ୍ଗଙ୍କ ପାଇଁ ଗୋଟିଏ ସିଟ୍ର ବ୍ୟବସ୍ଥା ରହିଛି । ତା’ଛଡା ଉଭୟ ଲିଙ୍ଗ ପାଇଁ ଦୁଇଟି ଲେଖାଏଁ ବାଥ୍ରୁମ୍, ୫ଟି ୟୁରିନାଲ୍ ଓ ମହିଳାଙ୍କ ପାଇଁ ସ୍ୟାନିଟାରି ପ୍ୟାଡ ଭେଡିଂ ମ୍ୟାସିନର ବ୍ୟବସ୍ଥା ରହିିଛି । ଏହି କାର୍ଯ୍ୟକ୍ରମରେ ବିଜେଡି ଓ କଂଗ୍ରେସର ୱାର୍ଡ ମେମ୍ବର, କର୍ମୀ, ସୁଲଭ ଇନ୍ଟରନ୍ୟାସନାଲର କର୍ମଚାରୀଙ୍କ ସମେତ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।