centurian jitm

ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

nschool

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ସ୍ଥିତ ଗାନ୍ଧୀ ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ କୁମାର ପଣ୍ଡା ଏବଂ ସମ୍ମାନିତ ଅତିଥିଭାବରେ ସୋନପୁର ତହସିଲଦାର ନବୀନ କିଶୋର ପାଢୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନ, ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ, ଜିଲ୍ଲା କୃଷି ଅଧିକାରୀ ଯୋଗଦେଇଥିଲେ । ଗାନ୍ଧୀ ମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଶିକ୍ଷକ ପୁଷ୍ପକ ରାୟ, ଅନୁବ୍ରତା ରାୟ, ପ୍ରତିଦିପ୍ତ ରାୟ ଗାନ୍ଧିଜୀଙ୍କ ପ୍ରିୟ ଭଜନ ବୈଷ୍ଣବ ଜନ ତୋ ତେନେ କହିଏ ଓ ରଘୁପତି ରାଘବ ରାଜାରାମ ପରିବେଷଣ କରିଥିଲେ । ସର୍ବଧର୍ମ ପ୍ରାର୍ଥନା ସଭାରେ ପାଷ୍‌ଟର ପ୍ରଭାତ କୁମାର ଦିଗାଲ୍ ପବିତ୍ର ବାଇବଲ୍, ଜନାବ ମହମ୍ମଦ ରଫିକ ପବିତ୍ର କୋରାନ୍ ଏବଂ ପଣ୍ଡିତ ଲକ୍ଷ୍ମୀନାରାୟଣ ପୂଜାରୀ ପବିତ୍ର ଗୀତା ଅବୃତ୍ତି କରିଥିଲେ । ଟ୍ରେଣ୍ଡିଂ ଆକାଡ଼େମୀ କଳାକାରମାନେ ସୁନ୍ଦର ଦେଶଭକ୍ତି ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ବିଦ୍ୟାପତି ପଣ୍ଡା ସଭା ସଂଯୋଜନା କରିଥିଲେ । ଏଥିରେ ସହରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଗାନ୍ଧୀ ପ୍ରେମୀ ଜନସାଧାରଣ, ସ୍ଵଚ୍ଛଭାରତ କର୍ମକର୍ତ୍ତା ଯୋଗଦେଇଥିଲେ । ପ୍ରାତଃ ସମୟରେ ସହରରେ ରାମଧୁନ ପରିବେଷଣ କରାଯାଇଥିଲା । ସମସ୍ତ କାର୍ଯ୍ରକ୍ରମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କାର୍ଯ୍ୟାଳୟ କର୍ମଚାରୀ ଓ ପୌର ପରିଷଦ ସୋନପୁର କର୍ମକର୍ତ୍ତା ସହଯୋଗ କରିଥିଲେ । ସଭା କାର୍ଯ୍ୟ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଓ ବିଭିନ୍ନ ଅଧିକାରୀ ମାନଙ୍କ ଦ୍ଵାରା ବନବିଭାଗ ସହାୟତାରେ ବୃକ୍ଷ ରୋପଣ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ କାର୍ଯ୍ୟାଳୟରେ ସ୍ଵଚ୍ଛତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

error: Content is protected !!