ତୀର୍ଥ ଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୟୁରଭଞ୍ଜରୁ ବାରଣାସୀକୁ ଯାଇଥିବା ତୀର୍ଥ ଯାତ୍ରୀ ବସ ଫେରିବା ବାଟରେ ଝାରଖଣ୍ଡ ହଜାରିବାଗରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଏବଂ କିଛି ଲୋକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୨ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ନିର୍ଦେଶ ଦେଇଛନ୍ତି । ସବୁ ଯାତ୍ରୀ ଯେପରି ଶୀଘ୍ର ନିଜନିଜ ଘରକୁ ଫେରିବେ ସେଥିପାଇଁ ଝାରଖଣ୍ଡ ସରକାର ସହ ସମନ୍ୱୟ ରଖି ବ୍ୟବସ୍ଥା କରିବା ପାଇଁ ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତୀର୍ଥଯାତ୍ରୀଙ୍କ ମଧ୍ୟରେ ଅନୁଗୁଳ, ଢେଙ୍କାନାଳ ଓ ମୟୁରଭଞ୍ଜର ଲୋକମାନେ ଅଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.