ସାଲେବରଟ ଗାଁ ସ୍ଥିତ ନୂତନ ଭବ୍ୟ ରାଧାକୃଷ୍ଣଙ୍କ ଭାଗବତ ମନ୍ଦିର ପ୍ରତିଷ୍ଠା : ଅଷ୍ଟ ପ୍ରହରୀ ନାମଯଜ୍ଞ ପାଇଁ ଶତାଧିକ ମହିଳା ଓ ପୁରୁଷଙ୍କ ଜଳପୂର୍ଣ୍ଣ କଳସ ଶୋଭାଯାତ୍ରା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଝଲପ ପଞ୍ଚାୟତ ସାଲେବରଟ ଗାଁ ସ୍ଥିତ ନୂତନ ନିର୍ମାଣ ଭବ୍ୟ ରାଧାକୃଷ୍ଣଙ୍କ ଭାଗବତ ମନ୍ଦିର ପ୍ରତିଷ୍ଠା ପାଇଁ ଆଜି ଶତାଧିକ ମହିଳା, ପୁରୁଷଙ୍କ ମଧ୍ୟରେ ଗାଁ ନିକଟରେ ବହି ଯାଇଥିବା ଉନ୍ଦେର ନଦୀ ଗର୍ଭରୁ ଅଣା ଯାଉଥିବା ଜଳପୂର୍ଣ୍ଣ କଳସକୁ ପୂଜକ ପଣ୍ଡିତ ବିଜୟ ମହାପାତ୍ର, ଦିବ୍ୟଲୋଚନ ଦାସ, ଦେବଦତ୍ତ ରଥ, ଗୌରୀ ଶଙ୍କର ମୁଣ୍ଡ, ବ୍ରଜମୋହନ ମହାପାତ୍ର ପ୍ରମୁଖ ବେଦମନ୍ତ୍ର ପାଠ ପୂର୍ବକ ପୂଜାର୍ଚ୍ଚନା କାର୍ଯ୍ୟ କଲା ପରେ ଏକ ଧାର୍ମିକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଜଳପୂର୍ଣ୍ଣ କଳସ ଶୋଭାଯାତ୍ରାରେ ବାହାରି ନୂତନ ନିର୍ମାଣ ଭବ୍ୟ ଭାଗବତ ମନ୍ଦିରଠାରେ ଦେବ ନିମନ୍ତ୍ରଣ ଅଧିବାସ କଳସ ସ୍ଥାପନ କରାଯାଇଥିଲା । ପରେ ମନ୍ଦିର ଗୃହଗର୍ଭ ମଧ୍ୟରେ ନିର୍ମାଣ ରତ୍ନ ବେଦୀରେ ଶ୍ରୀ ଜୀଉ ମା’ଙ୍କୁ ସ୍ଥାପନ କରାଯାଇଛି । ଦେବରାଜ ପୁଟେଲ, ତାଙ୍କ ପତ୍ନୀ-କୁନ୍ତୀ ପୁଟେଲ, ମିନକେତନ ପୁଟେଲେ, ସୁଶିଳା ପୁଟେଲ, ଅନିରୁଦ୍ଧ ପୁଟେଲ, ଗନ୍ଧର୍ବୀ ପୁଟେଲେ, ଶ୍ରୀପତି ପୁଟେଲ, ସେବତୀ ପୁଟେଲ, ଭର୍ତ୍ତ ପୁଟେଲ, ସରୋଜନୀ ପୁଟେଲ ପୂଜା କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିବା ସୂଚନା ମିଳିଛି । ତେବେ ଉକ୍ତ ମହୋତ୍ସବଟି ଦୀର୍ଘ ୪ ଦିନ ଧରି ପାଳିତ ହେବା ସାଙ୍ଗେ ପ୍ରତିଦିନ ରାତ୍ରିକାଳୀନ ଭାଗବତ ପ୍ରବଚନ ଆୟୋଜନ କରାଯାଇଛି । ପ୍ରବଚକ ବ୍ୟାସ ଗୁରୁ ଚୂଡ଼ାମଣି ପ୍ରଧାନ ଓ ସତ୍ୟ ସନାତନ ଧର୍ମ ଗୁରୁ ବାବା ମଙ୍ଗଲେଶ୍ଵରଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟ କରାଯିବାକୁ ସାଲେବରଟ ଗାଁ ମନ୍ଦିର ପ୍ରତିଷ୍ଠା କମିଟି ପକ୍ଷରୁ ସ୍ଥିର କରାଯାଇଛି । ଉକ୍ତ ମନ୍ଦିର ପ୍ରତିଷ୍ଠା ଓ ନାମଯଜ୍ଞକୁ ସମସ୍ତ ଗ୍ରାମବାସୀବୃନ୍ଦ ସହଯୋଗ କରିଥିବା ଜଣାଯାଇଛି । ଗାଁରେ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଗାଁଟି ଉତ୍ସବ ମୁଖର ହୋଇଉଠିଛି । ଗାଁର ମନ୍ଦିର ଏବଂ ରାସ୍ତାର ଦୁଇପାର୍ଶ୍ଵକୁ ଆଧୁନିକ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଛି ।

Leave A Reply

Your email address will not be published.