ନାମ ଯଜ୍ଞ କଳସ ଶୋଭାଯାତ୍ରା : ଆଶ୍ରମ ପ୍ରତିଷ୍ଠା ଓ ବୈଦିକ ଜୀବନ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଚରଦା ପଂଚାୟତ ଅନ୍ତର୍ଗତ ପୂଜାରୀ ସାହାଯବାହାଲରେ ବ୍ରହ୍ମାନନ୍ଦ ଆଶ୍ରମ ପ୍ରତିଷ୍ଠା ମହୋତ୍ସବ ଅବସରରେ ଅଷ୍ଟ ପ୍ରହର ନାମ ଯଜ୍ଞ ପାଇଁ କଳସ ଶୋଭାଯାତ୍ରା ଓ ବୈଦିକ ଜୀବନ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ହରିଦ୍ୱାର ଆଶ୍ରମର ବ୍ରହ୍ମଚାରୀ ବନମାଳୀ ପୂଜାରୀ ଜୀଙ୍କ ତତ୍ୱାବଧାନରେ ଆୟୋଜିତ କଳସ ଶୋଭାଯାତ୍ରାରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସ୍ଥାନୀୟ ସାଗର ପୋଖରୀରେ ପୂଜାର୍ଚନା ପୂର୍ବକ ପୂର୍ଣ୍ଣକଳସ ଆଣି ଗ୍ରାମ ପରିକ୍ରମା ପୂର୍ବକ ଯଜ୍ଞମଣ୍ଡପରେ ପୂର୍ଣ୍ଣ କଳସ ସ୍ଥାପନ କରିଥିଲେ । ଗୀତା ଯଜ୍ଞରେ କର୍ତ୍ତା ଭାବେ ଦୈତାରୀ ପୂଜାରୀ ଓ ସୁନନ୍ଦାମୟୀ ମହାପାତ୍ର, ମୁଖ୍ୟ ପୂଜକ ଭାବେ ଉମାକାନ୍ତ ପଣ୍ଡା, ସହଯୋଗୀ ଭାବେ ରାଜେନ୍ଦ୍ର, ରୋହନ, ରଞ୍ଜନ, ଲକ୍ଷ୍ମଣ ରହିଥିଲେ । ନାମଯଜ୍ଞରେ ବିଜୟ ଓ ସୁଦର୍ଶନ ହୋତା ପୂଜକ ଦାୟିତ୍ୱ ନିର୍ବାହ କରୁଛନ୍ତି । ରବିବାର ପୂର୍ଣ୍ଣାହୁତି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଶତାଧିକ ଲୋକଙ୍କ ସମାଗମ ପରିବେଶକୁ ଉତ୍ସବ ମୁଖରିତ କରିଛି । ଅପରାହ୍ଣରେ ଆଶ୍ରମ ପରିସରରେ ମହାରାଜ ବ୍ରହ୍ମଚାରୀ ବନମାଳୀ ପୂଜାରୀ ଜୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଦିକ ଜୀବନ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମାତାଜୀ ବହ୍ମାନନ୍ଦମୟୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈଦିକ ଜୀବନ ଶୈଳୀ, ଜୈବିକ କୃଷି ଓ ଆୟୁର୍ବେଦ ଔଷଧର ବ୍ୟବହାର ସମାଜରେ ସୁଖଶାନ୍ତି ଆଣିପାରିବ ତେଣୁ ପ୍ରତ୍ୟେକ ଗ୍ରାମକୁ ଗୋଟିଏ ଲେଖାଏଁ ଆଦର୍ଶ ଗ୍ରାମରେ ପରିଣତ କରିବା ଆମ ଲକ୍ଷ୍ୟ ବୋଲି କହିଥିଲେ । ଐତିହାସିକ ଓ ସାହିତ୍ୟିକ ସୁଦାମ ନାଏକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସୁବର୍ଣ୍ଣପୁରର ସମୃଦ୍ଧି ପାଇଁ ଭାରତୀୟ ସଂସ୍କୃତିର ନିଜ ଜୀବନରେ ପ୍ରୟୋଗ କରିବା ଆମ ସମସ୍ତଙ୍କ ଦାୟିତ୍ୱ ଏଥିରେ ବୈଦିକ ଜୀବନ ବିଦ୍ୟାଳୟ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି କହିଥିଲେ । ବୈଦିକ ଜୀବନ ବିଦ୍ୟାଳୟ ସଂଯୋଜକ ଭବାନୀଶଙ୍କର ଚାନ୍ଦ, ବୈବସୂତ ପଣ୍ଡା, ଅଚ୍ୟୁତାନନ୍ଦ ପୁରୋହିତଙ୍କ ତତ୍ୱାବଧାନରେ ବୌଦ, ସୋନପୁର ଓ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବୈଦିକ ଜୀବନ ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରଥମେ ଗୁରୁପୂଜନ କରି ଗୀତା ଆବୃତ୍ତି, ଭକ୍ତି ନୃତ୍ୟ ଓ ଭକ୍ତି ଗୀତରେ ପ୍ରତିଭା ପ୍ରଦର୍ଶନ କରିଥିଲେ । ବୈଦିକ ଜୀବନ ବିଦ୍ୟାଳୟର ସୁବର୍ଣ୍ଣପୁର ଜିଲ୍ଲା ନିର୍ଦେଶକ ପ୍ରେମାନନ୍ଦ ପୂଜାରୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଅଧ୍ୟାପକ ଡକ୍ଟର ଦୈତାରୀ ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ । ମିଳନ ପୂଜାରୀ, ଶ୍ରୀତମ ପୂଜାରୀ, ନିତାଇ ପୂଜାରୀ, ରାମଚନ୍ଦ୍ର ପୂଜାରୀ, ମନୋରଞ୍ଜନ ପୂଜାରୀ, ବଳରାମ ପୂଜାରୀ, ନୟନ ପୂଜାରୀ, ଜନାର୍ଦନ ପଣ୍ଡା, ସୀତାରାମ ପୂଜାରୀ, ବିଭୁତି ତ୍ରିପାଠୀ, ଦାମୋଦର ପୂଜାରୀ, ମଙ୍ଗଳୁ ପୂଜାରୀ, ଲମ୍ବୋଦର ପୂଜାରୀ, ରାମଚନ୍ଦ୍ର ପୂଜାରୀ, ଜୟ ନାରାୟଣ ପୂଜାରୀ, ଚିତ୍ତରଞ୍ଜନ ବ୍ରହ୍ମଚାରୀ, ସାହାଜବାହାଲ ଓ ଆଖପାଖ ଗ୍ରାମର ଆବାଳ ବୃଦ୍ଧବନିତାଙ୍କ ସହଯୋଗ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଛି ।

Leave A Reply

Your email address will not be published.