ଭଗବତୀ ଚରଣ ପାଣିଗ୍ରାହୀ ଓ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ସ୍ମୃତିସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ କଲଚରାଲ ଏକାଡେମୀଠାରେ ପ୍ରଗତିବାଦୀ ଚିନ୍ତାଧାରାର ପ୍ରବକ୍ତା ତଥା କର୍ଣ୍ଣଧାର ଭଗବତୀ ଚରଣ ପାଣିଗ୍ରାହୀ ଓ ସାମ୍ୟବାଦୀ ଚିନ୍ତନର ଜଣେ ଆଗଧାଡିର ସ୍ରଷ୍ଟା କୃଷ୍ଣଚନ୍ଦ୍ର ମିଶ୍ରଙ୍କ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । କବି ବଳରାମ ରାଉଳଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ କୃଷ୍ଣ ମିଶ୍ର, ଗୋବର୍ଦ୍ଧନ ପୂଜାରୀ, ଅଦ୍ୱୈତ ପ୍ରସାଦ ବିଶ୍ୱାଳ ଓ ପ୍ରଭାତ ମିଶ୍ରଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସଂପାଦକ ଶ୍ରୀ ମହାପାତ୍ର କ୍ରାନ୍ତିକାରୀ ଭଗବତୀଙ୍କ ବାଲ୍ୟଜୀବନ, ସାଂଗଠନିକ ଦକ୍ଷତା, ସୃଜନ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ । ସ୍ୱଳ୍ପ ଜୀବନ କାଳ ମଧ୍ୟରେ ସମାଜର ସର୍ବହରାର ଉତଥାନ ଓ ନାର୍ଯ୍ୟ ପ୍ରାପ୍ୟ ସଂପର୍କରେ ସେ ନିଜର କୃତି ମାଧ୍ୟମରେ ଯେପରି ବଳିଷ୍ଠ ସ୍ୱର ଉତ୍ତୋଳନ କରିଛନ୍ତି ତାହା ଅତୁଳନୀୟ ଓ ଅନତିକ୍ରମଣୀୟ ବୋଲି କହିଥିଲେ । ଆଲୋଚକ ଭାବେ ଯୋଗଦେଇ ସମାଜସେବୀ କେଦାରନାଥ ପ୍ରଧାନ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ସାହିତ୍ୟ କୃତିରେ ପ୍ରଗତିବାଦୀ ଚିନ୍ତନ ଓ ସମାଜ ସଂସ୍କାର ତଥା ଗଳ୍ପ ସଂକଳନ ନିବୁଜ ଘର, ସ୍ୱଭାବେ ନାରୀ ଜନ୍ମ ପାଇ ଓ ପ୍ରବନ୍ଧ ସଂକଳନ ଉପରେ ଆଲୋକପାତ କରିଥିଲେ । ଜଣେ ବିଶିଷ୍ଟ ସଂଗଠକ ଭାବରେ ‘ସଂଘମ୍’ ପ୍ରତିଷ୍ଠା, ସଂପାଦକ ଭାବେ ‘ନବପତ୍ର’ର ସଂପାଦନାରେ ସ୍ୱର୍ଗତ ମିଶ୍ର ନିଜର ସ୍ୱାକ୍ଷର ଛାଡି ଯାଇଛନ୍ତି ବୋଲି ମତ ରଖିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବି କାଶୀନାଥ ପାତ୍ରଙ୍କ ସଂଯୋଜନାରେ ପ୍ରଗତିଶୀଳ କବିତା ପାଠ କରାଯାଇଥିଲା । କବି ସର୍ବଶ୍ରୀ ଡାକ୍ତର କୃପାସିନ୍ଧୁ ନାୟକ, କୁଞ୍ଜବିହାରୀ ରାଉତ, ପ୍ରଣତୀ ବେହେରା, ଗୀତାରାଣୀ ବେହେରା, ଅଭିରାମ ପ୍ରଧାନ, ଗୌତମ ଦାସ, ବସନ୍ତ ବିଶ୍ୱକର୍ମା ଓ ବଳରାମ ରାଉଳ କବିତା ପାଠ କରିଥିଲେ । କବିତା ସଂପର୍କରେ ଶ୍ରୀ ପାତ୍ର ମନ୍ତବ୍ୟ ଦେବା ସହ ମାର୍କସୀୟ ଚେତନା ଓ ପ୍ରଗତିଶୀଳ ସାହିତ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ । ସଭାପତି ଶ୍ରୀ ବରାଳ ସଭାପତିତ୍ୱ ଅଭିଭାଷଣ ରଖିଥିବା ବେଳେ ମଂଚର ବରିଷ୍ଠ ସଦସ୍ୟ ଚନ୍ଦ୍ରଶେଖର ପାଇକରାୟ ଅତିଥିଙ୍କ ପରିଚୟ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବିଘ୍ନେଶ୍ୱର ବେହେରା, ଶରତ ଚନ୍ଦ୍ର ପଣ୍ଡା, ବିଭୁ ନାୟକ, ରମେଶ ଚନ୍ଦ୍ର ପାତ୍ର, ଦେବେନ୍ଦ୍ର ମହାରଣା, ବିଜୟ ରାୟ, ନରେନ୍ଦ୍ର ଗୋପ, ଶ୍ରୀଧର ସୁନା, ବିନୋଦ କୁମାର କୌଶଲ, ଅକ୍ଷୟ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.