ରାଏସିଂ ପ୍ରସାଦ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ

ଗଁନ୍ଦିଆ, (ତାପସ ଦାସ) : ଗନ୍ଦିଆ ବ୍ଲକ୍ ରତନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଏସିଂ ପ୍ରସାଦ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟ ଅତିଥି ଢେଙ୍କାନାଳର ବିଧାୟକ ସୁଧୀର କୁମାର ସାମଲ ଦିନ ଦୁଇଟା ସମୟରେ ମୁଖ୍ୟ ଅତିଥି ଏହି ଉଦ୍‌ଘାଟନ ଉତ୍ସବରେ ଯୋଗ ଦେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଉପକାରିତା ଓ ବର୍ତମାନ ସମୟର ଆହ୍ୱାନ ଉପରେ ମତ ରଖିଥିଲେ । ସାଢେ ଚାରି କୋଟି ଓଡ଼ିଆଙ୍କ ପାଇଁ ଦିନ ରାତି କାମ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ଓଡିଶା ବିଷୟରେ ଆଲୋକପାତ କରିଥିଲେ । ଓଡ଼ିଶାର ନିଜସ୍ୱ ଯୋଜନା ଯାହାକି ସମଗ୍ର ଭାରତ ବର୍ଷରେ ପ୍ରଥମ ଓ ଓଡିଶା ଏକମାତ୍ର ରାଜ୍ୟ ଯାହା ସାଧାରଣ ଗରିବ ଜନତାଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୁଃଖ ଦୂର କରିବାରେ ସମର୍ଥ ହୋଇପାରିବ । କଥାରେ ନୁହେଁ କାର୍ୟ୍ୟରେ କ୍ରିୟାନ୍ୱୟନ କରିବାରେ ବିଶ୍ୱାସ ରଖୁଥିବା ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗରିବ କଲ୍ୟାଣ ଯୋଜନା ସାଧାରଣ ଲୋକଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରିଛି ବୋଲି ଶ୍ରୀ ସାମଲ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ । ଅନ୍ୟତମ ଅତିଥି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ ଜନସାଧାରଣଙ୍କୁ ସମ୍ବୋଧନ କରିବାକୁ ଯାଇ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବିରୁଦ୍ଧରେ ପ୍ରଚାରିତ ଗୁଜବରେ ବିଶ୍ୱାସ ନକରିବାକୁ ସଚେତନ କରାଇଥିଲେ । ଏହାର ଉପକାରିତା ଓ ବିଭିନ୍ନ ପଞ୍ଜିକୃତ ମେଡିକାଲରେ କିପରି ଲାଭ ମିଳିବ, ସେ ବିଷୟରେ ହିତାଧିକାରୀଙ୍କୁ ବୁଝାଇଥିଲେ । ଏହି ଉଦ୍‌ଘାଟନ ଉତ୍ସବରେ ସମିତି ଅଧକ୍ଷା ଗୀତାଞ୍ଜଳି ଭୂୟା, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ରୁବି ବିଶ୍ୱାଳ, ପୂର୍ବତନ ସରପଞ୍ଚ ବିଶ୍ୱନାଥ ଜେନା, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରଞ୍ଜନ ନନ୍ଦ, ପୂର୍ବତନ ସରପଞ୍ଚ ପ୍ରଦୀପ ରାଉତ, ସରପଞ୍ଚ ଶ୍ରୀମତୀ ସୁଭଦର୍ଶିନୀ ରାଉତ, ସରପଞ୍ଚ ବ୍ରଜ ମୋହନ ଦେହୁରୀ, ସମିତି ସଭ୍ୟା ଶ୍ରୀମତୀ ତୁଳସୀ ପିଙ୍ଗୁଆ ପ୍ରଭୁତି ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ । ସଭା ଆରମ୍ଭରେ ରାଇସିଂ ପ୍ରସାଦ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ଅତିଥିମାନଙ୍କ ପାଇଁ ପ୍ରାରମ୍ଭିକ ସଂଗୀତ ଗାନ ସହ ପୁଷ୍ପ ଗୁଚ୍ଛ ଦ୍ୱାରା ସ୍ୱାଗତ କରାଯାଇଥିଲା । ରତନପୁର ନିର୍ବାହୀ ଅଧିକାରୀ ଅନ୍ତର୍ଯ୍ୟାମୀ ବାରିକ ମଞ୍ଚ ପରିଚାଳନା କରିବା ସହ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉଦଘାଟନ ଉତ୍ସବରେ ମୋଟ ୩୫ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବିଧାୟକଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.