jayashree

ବିଶ୍ୱ ଫର୍ମାସୀ ଦିବସ ଅବସରରେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାସ୍ଥ୍ୟ ହିଁ ସମ୍ପଦ । ଉତ୍ତମ ସ୍ୱାସ୍ଥ୍ୟ ଉତ୍ତମ ମନ ଓ ବିଚାର ସୃଷ୍ଟି କରିଥାଏ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ରୋଗ ଗୁଡିକର ଚିହ୍ନଟ ଓ ନିରାକରଣ ନିତାନ୍ତ ଆବଶ୍ୟକ ଅଟେ । ସେଥିପାଇଁ ଆଜି ବିଶ୍ୱ ଫର୍ମାସୀ ଦିବସ ଅବସରରେ ସ୍ଥାନୀୟ ହାଟପଦାପଡ଼ା ସ୍ଥିତ ରାମେଶ୍ୱର ପାର୍କରେ ସହରର ପ୍ରତିଷ୍ଠିତ ଅନୁଷ୍ଠାନ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଦ୍ୱାରା ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଦୀପ ଷଡ଼ଙ୍ଗୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା । ବିଶ୍ୱବିଦ୍ୟାଳୟର ଫାର୍ମାସୀ ବିଭାଗର ଅଧ୍ୟକ୍ଷ ଡ଼. ପ୍ରଫୁଲ୍ଲ କୁମାର ସାହୁ କାର୍ଯ୍ୟକ୍ରମର ଉପଯୁକ୍ତ ସଂଯୋଜନା କରିଥିଲେ । କାର୍ଯ୍ୟସୂଚୀ ଅନୁଯାୟୀ ସକାଳ ୬.୩୦ରେ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟ ଆରମ୍ଭ ହୋଇ ସକାଳ ୧୦.୩୦ରେ ସମାପ୍ତ ହୋଇଥିଲା । ଅନ୍ୟୁନ ୨୦୦ ଜଣ ଇଚ୍ଛୁକ ବ୍ୟକ୍ତି (ଉଭୟ ପୁରୁଷ ଓ ମହିଳା) ଏଇ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଯୋଗଦାନ ଦେଇଥିଲେ । ଉକ୍ତ କାର୍ଯ୍ୟରେ (ଡ଼ି. ଫାର୍ମ), (ବି. ଫାର୍ମ) ଏବଂ (ଡ଼ି. ଏମ.ଏଲ.ଟି)ର ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମଟି ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଦ୍ୱାରା ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷାରେ ଲୋକମାନଙ୍କର (ବି.ଏମ୍‌.ଆଇ), ବ୍ଲଡ଼ ପ୍ରେସର, ରକ୍ତ ଶର୍କରା, ରକ୍ତର ଗ୍ରୁପ ଜାଣିବା, ହିମୋଗ୍ଲୋବିନର ମାତ୍ରା ଜାଣିବା ପରି ନିତାନ୍ତ ଜରୁରୀ ପରୀକ୍ଷା ଗୁଡିକ କରାଯାଇଥିଲା । ଅନୁଷ୍ଠାନର ଏହି ଅଭିନବ ପ୍ରୟାସକୁ ସହରର ଲୋକମାନେ ଭୁରି ଭୁରି ପ୍ରଶଂସା କରିଛନ୍ତି ଓ ଅନୁଷ୍ଠାନକୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି । ବାସ୍ତବରେ ଅନୁଷ୍ଠାନର ଏପରି ପଦକ୍ଷେପ ସ୍ୱାଗତଯୋଗ୍ୟ ଅଟେ ।

Leave A Reply

Your email address will not be published.