ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସିଂଢୋଲ ଗ୍ରାମ କାର୍ଯ୍ୟାଳୟର ବଜାର ପ୍ରାଙ୍ଗଣ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଓ ଉପ ଆରକ୍ଷୀ ଅଧିକ୍ଷକ ହେମନ୍ତ ରାଓ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୫୧ ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ । ତନ୍ମଧ୍ୟରୁ ୩୪ ଗୋଟି ଦରଖାସ୍ତ ବ୍ୟକ୍ତିଗତ ଥିବାବେଳେ ୧୮ ଗୋଟି ସାମୁହିକ ଦରଖାସ୍ତ ଗ୍ରହଣ କରାଯାଇଥିଲା । ସମସ୍ତ ସାମୁହିକ ଓ ବ୍ୟକ୍ତିଗତ ଅଭିଯୋଗ ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଉଲୁଣ୍ଡା ଶୁଭ୍ରାଂଶୁ ଶେଖର ମଲ୍ଲିକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝୀ, ଉପ – ଜିଲ୍ଲାପାଳ, ବୀରମହାରାଜପୁର ସୁରେନ୍ଦ୍ର କୁମାର ମେହେରଙ୍କ ସମେତ ଭାରପ୍ରାପ୍ତ ତହସିଲଦାର, ଉଲୁଣ୍ଡା ସୋମନାଥ ବେହେରା, ସରପଞ୍ଚ, ସିଂଢୋଲ ଗ୍ରାମ ପଞ୍ଚାୟତ ପ୍ରଦୀପ କୁମାର ଦେହୁରୀ ତଥା ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକ ସ୍ତରୀୟ ଅଧିକାରୀ, କର୍ମଚାରୀ ପ୍ରମୁଖଙ୍କ ସମେତ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅର୍ଜୁନ ମାଝୀଙ୍କ ସହିତ ବ୍ଲକ ସ୍ତରୀୟ ସମସ୍ତ ସାମ୍ବାଦିକ ଯୋଗଦାନ କରିଥିଲେ । ଏହି ଅବସରରେ ସିଂଢୋଲ ଗ୍ରାମର ଏକ ଭିନ୍ନକ୍ଷମ ବାଳକ ଆୟୁଷ ସେଠୀଙ୍କ ପିତା କୁଞ୍ଜ ବିହାରୀ ସେଠୀଙ୍କୁ ଜିଲ୍ଲାପାଳ ଡ଼. ସାହୁଙ୍କ ଦ୍ଵାରା ଏକ ହ୍ଵିଲ ଚେୟାର ପ୍ରଦାନ କରାଯାଇଥିଲା ।