oom

ଖପ୍ରାଖୋଲ ପୋଲିସ ପକ୍ଷରୁ ଜନସମ୍ପର୍କ ଶିବିର : ପୋଲିସ ଓ ଜନତାଙ୍କ ମଧ୍ୟରେ ନୂଆ ସମ୍ପର୍କ ବାନ୍ଧିବା ପାଇଁ ଜିଲ୍ଲା ପୋଲିସର ପ୍ରୟାସ

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ତେଲେନପାଲି ପଞ୍ଚାୟତ ଅନ୍ତର୍ଗତ ଜୁନାନୀବାହାଲ ଗ୍ରାମରେ ଏବଂ ମହରାପଦର ପଞ୍ଚାୟତ ଅନ୍ତର୍ଗତ ବାଗଝରଣ ଗ୍ରାମରେ ଜିଲ୍ଲା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ପୋଲିସ ଜନସମ୍ପର୍କ ଶିବିର । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପୋଲିସ ଏବଂ ସାଧାରଣ ଲୋକମାନଙ୍କ ମଧ୍ୟରେ ଏକ ନୂଆ ସମ୍ପର୍କର ଡୋରି ବାନ୍ଧିବା ପ୍ରୟାସ କରିଛନ୍ତି ଜିଲ୍ଲା ପୋଲିସ । ପୋଲିସ ଏବଂ ଜନସାଧାରଣ ମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନା ସହିତ ଆଇନ କାନୁନ ବିଷୟରେ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜୁନାନୀବାହାଲଠାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତଥା ପ୍ରୋବିଜନାରି ଆଇପିଏସ୍‌ ଅମ୍ରିତପାଲ କୌର, ସମ୍ମାନିତ ଅତିଥି ରୂପେ ପାଟଣାଗଡ଼ ଉପଖଣ୍ଡ ପୋଲିସ ଅଧ୍ୟକ୍ଷ ସଦାନନ୍ଦ ପୁଝାରୀ ଯୋଗଦେଇଥିବା ବେଳେ ବାଗଝରଣଠାରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଏଏନ୍‌ସେଲ୍‌ରେ କାର୍ଯ୍ୟରତ ଥିବା ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ସୁଦୀପ୍ତ ସାହୁ ଯୋଗଦେଇଥିଲେ । ଏହି ଅବସରରେ ଲୋକମାନଙ୍କ ପାଇଁ ପୋଲିସ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର କରାଯାଇଥିବାରୁ ସେହି ଅଞ୍ଚଳରୁ ବହୁ ଲୋକ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି ସ୍ଵାସ୍ଥ୍ୟ ଶିବିରରେ ଡ଼ା. ମିନତୀ ହେମ୍ବ୍ରମ ପ୍ରିୟଦର୍ଶିନୀ ଭୋଇ, ସୌରଭ କୁମାର ସେଠୀ ପ୍ରମୁଖ ସ୍ଵାସ୍ଥ୍ୟ କର୍ମି ବିଭିନ୍ନ ସ୍ଵାସ୍ଥ୍ୟ ପରୀକ୍ଷା ସହ ବହୁଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା, ମାଗଣା ଔଷଧ ଦିଆଯାଇଥିଲା । ଏହି ଅବସରରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବଣ୍ଟନ, ବୃଦ୍ଧବୃଦ୍ଧାଙ୍କୁ କମ୍ବଳ, ଛତା, ମଶାରି, ଘଣ୍ଟା, ଟର୍ଚ୍ଚ ଲାଇଟ, କ୍ରିକେଟ ଖେଳାଳିମାନଙ୍କୁ ଖେଳ ସାମଗ୍ରୀ ବଣ୍ଟନ ଓ କଳାକାରମାନଙ୍କୁ ବାଦ୍ୟ ଯନ୍ତ୍ର ବଣ୍ଟନ କରାଯାଇଥିଲା । ୮ଟି କ୍ରିକେଟ ଦଳକୁ ନେଇ ବନ୍ଧୁତାପୂର୍ଣ୍ଣ ଏକ ଦିବସୀୟ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ବିଜୟୀ ଓ ରନର ଅପ ଦଳକୁ ଟ୍ରଫି ସହ ଟି-ସାର୍ଟ, ବିଭିନ୍ନ ଖେଳ ଉପକରଣ ବଣ୍ଟନ କରାଯାଇଥିଲା । ଶିବିରରେ ଖପ୍ରାଖୋଲ ଏସ୍‌ଆଇ ଲିଙ୍ଗରାଜ କିଶାନ, ଏଏସ୍‌ଆଇ ସେୱାନ କେରକେଟା, ଏଏସ୍‌ଆଇ ଗୋପାଳକୃଷ୍ଣ କୁମୁରା, ତେଲେନପାଲି ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଶକୁନ୍ତଳା ବେହେରା ଏବଂ ବହୁ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ । ମାଓପ୍ରବଣ ଇଲାକାରେ ଥାନାଧିକାରୀଙ୍କ ଜନସମ୍ପର୍କ ପଦକ୍ଷେପକୁ ସ୍ଥାନୀୟ ପଞ୍ଚାୟତବାସୀ ପ୍ରଶଂସା କରିଥିବା ବେଳେ ପୋଲିସ ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି ।

jittmm
Leave A Reply

Your email address will not be published.