jayashree

ରାଜ୍ୟସ୍ତରୀୟ ଜୁନିୟର ରେଡ୍‌କ୍ରସ୍ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭାରତୀୟ ରେଡ୍‌କ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଚିବଙ୍କ ତତ୍ତ୍ୱାବଧାନରେ ଏକ ପଞ୍ଚଦିବସୀୟ ରାଜ୍ୟସ୍ତରୀୟ ଜୁନିୟର ରେଡ୍‌କ୍ରସ୍‌ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଭୁବନେଶ୍ୱର ସ୍ଥିତ ନୀଳାଚଳ ପଲିଟେକ୍‌ନିକ୍ ମହାବିଦ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଅବୈତନିକ ସମ୍ପାଦକ ବିଭୂତି ଭୂଷଣ ପଟ୍ଟନାୟକ ପତାକା ଉତ୍ତୋଳନ କରି ଶିବିରକୁ ଶୁଭାରମ୍ଭ କରିଥିଲେ । ପରେ ଅନୁଷ୍ଠିତ ସଭାରେ ସମ୍ପାଦକ ଜୁନିଅର୍ ରେଡ୍‌କ୍ରସ୍‌ର ସ୍ୱେଚ୍ଛାସେବୀମାନଙ୍କୁ ନିଶା ନିବାରଣ, ସଡକ ସୁରକ୍ଷା ନିୟମ ପାଳିବା, ଉନ୍ନତ ଜୀବନ ଶୈଳୀ ପାଇଁ ଜଙ୍କ୍‌ଫୁଡ୍‌ଠାରୁ ଦୂରେଇ ରହିବା, ସର୍ବୋପରି ପାଠ ପଢିବା ସହିତ ସମାଜ ସେବା ପାଇଁ ଦିଗଦର୍ଶନ ଦେଇଥିଲେ । ମେଡିକାଲ ଅଧିକାରୀ ରାଘୁନାଥ ବେହୁରା ଶାରିରୀକ ସୁସ୍ଥତା ଉପରେ ଅବଗତ କରିବା ସହବ ରକ୍ତଦାନ ମହାପୂଣ୍ୟ ବିଷୟରେ ସୂଚନା ଦେଇଥିଲେ । ଓଡିଶା ଶାଖା ଯୁବ ରେଡ୍‌କ୍ରସ୍‌ ଅଧିକାରୀ ରମେଶ ଚନ୍ଦ୍ର ବେହେରା ଶିବିରରେ ଯୋଗ ଦେଇ ସ୍ଵେଚ୍ଛାସେବୀମାନଙ୍କୁ ବଡ଼ ମଣିଷ ହେବା ଅପେକ୍ଷା, ଜଣେ ଭଲ ମଣିଷ ହେବା ଶ୍ରେୟସ୍କର ବୋଲି ମତପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବରେ ନୀଳାଚଳ ପଲିଟେକ୍‌ନିକ୍‌ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଷ୍ଣୁ ଚରଣ ପାତ୍ର ଯୋଗଦେଇ ରେଡ୍‌କ୍ରସ୍‌ ଏକ ଅନ୍ତର୍ଜାତୀୟ ସଂସ୍ଥାର ମହନୀୟତା ବିଷୟରେ ବୁଝାଇଥିଲେ । ରାଜ୍ୟ ଜୁନିୟର ରେଡ୍‌କ୍ରସ୍ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ ପଞ୍ଚଦିବସୀୟ ପ୍ରଶିକ୍ଷଣ ଶିବିରର କାର୍ଯ୍ୟସୂଚୀ ଉପରେ ଅବଗତ କରାଇଥିଲେ । କାର୍ଯ୍ୟକ୍ରମରେ ରାଜ୍ୟର ୨୭ ଜିଲ୍ଲାରୁ ୪୦୦ରୁ ଅଧିକ ସ୍ଵେଚ୍ଛାସେବୀ ଯୋଗଦେଇଥିଲେ । ପ୍ରାରମ୍ଭରେ କଳାହାଣ୍ଡି ଜିଲ୍ଲା ଜୁନିୟର ରେଡ଼୍‌କ୍ରସ ସ୍ୱେଚ୍ଛାସେବୀମାନଙ୍କ ଦ୍ଵାରା ନିଆର ଢଙ୍ଗରେ ଅତିଥିମାନଙ୍କ ସୁସ୍ୱାଗତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସାଧନକର୍ମୀ ମୂରଲୀଧର ପରିଡ଼ା ସଂଯୋଜନା କରିଥିବା ବେଳେ କୋରାପୁଟ ଜିଲ୍ଲା ଜୁନିୟର ରେଡ୍‌କ୍ରସ୍‌ ଅଧିକାରୀ ଓ ବରିଷ୍ଠ ସାଧନକର୍ମୀ ଯଜ୍ଞେଶ୍ଵର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମ ଅଧିବେଶନ ରାଜ୍ୟ ଯୁବ ରେଡ୍‌କ୍ରସ୍ ସଂଯୋଜକ ଡ. ଗୋପାଳ କୃଷ୍ଣ ମିଶ୍ର ରେଡ୍‌କ୍ରସ୍‌ ଇତିହାସ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ ଓ ଓଡିଶା ରାଜ୍ୟ ଏଡ୍‌ସ୍‌ କଣ୍ଟ୍ରୋଲ୍‌ ସୋସାଇଟିର ସଞ୍ଜୟ କୁମାର ମହାପାତ୍ର ଏଚ୍‌ଆଇଭି ଏଡ୍‌ସ୍‌ ଓ ତାହାର ନିରାକରଣ ଉପରେ ଆଲୋକପାତ କରିଥିଲେ । ପିଲାଙ୍କୁ ପ୍ରତିଯୋଗିତା ମାଧ୍ୟମରେ ସଚେତନ କରିଥିଲେ । କାର୍ଯ୍ୟକ୍ରମରେ ମ୍ୟୁଜିକ ନିର୍ଦ୍ଦେଶକ ସୋମେଶ ଶତପଥୀ, ଗୀତକାର ଗୌରବ ଆନନ୍ଦ ଯୋଗଦେଇ ଜୁନିୟର ରେଡ଼୍‌କ୍ରସ୍‌ ସ୍ୱେଚ୍ଛାସେବୀମାନଙ୍କ ସହିତ ଭାବ ବିନିମୟ କରିଥିଲେ ।

Leave A Reply

Your email address will not be published.