jayashree

ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନର ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ରାଜସ୍ୱ ଡାକ ବଙ୍ଗଳା ସମ୍ମିଳନୀ କକ୍ଷରେ ସ୍ଵଳ୍ପ ସଞ୍ଚୟ ଅଭିକର୍ତ୍ତାଙ୍କ ନିମନ୍ତେ ଏକ ସାକ୍ଷରତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆରମ୍ଭରେ ଅତିରିକ୍ତ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ଶ୍ରୀମତୀ ସୁମନା ପଣ୍ଡା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ ପ୍ରଥମେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ମୁଖ୍ୟଅତିଥି ଭାବେ ଯୋଗଦେଇ ବ୍ରହ୍ମପୁରର ପୋଷ୍ଟାଲ ଡିଭିଜନର ବରିଷ୍ଠ ଡାକ ଅଧିକ୍ଷକ ତାରିଣୀ ଚରଣ ପାଢ଼ୀ ବିଭିନ୍ନ ସ୍ଵଳ୍ପ ସଞ୍ଚୟ ଯୋଜନା, ଭାରତ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ବୀମା ଓ ଅଟଳ ପେନ୍‌ସନ୍‌ ଯୋଜନା ଉପରେ ଆଲୋକପାତ କରିଥିଲେ । ଶ୍ରୀ ପାଢ଼ୀ ବିଶେଷ କରି ମହିଳା ସମ୍ମାନ ସଞ୍ଚୟ ସାର୍ଟିଫିକେଟ ଓ ସୁକନ୍ୟା ସମୃଦ୍ଧି ଯୋଜନା ଉପରେ ଗୁରୁତ୍ବ ଦେଇଥିଲେ । ଇଣ୍ଡିଆନ ପୋଷ୍ଟାଲ ପେମେଣ୍ଟ୍ ବ୍ୟାଙ୍କର ଅଧିକାରୀ ଏସ୍‌ ଭେଙ୍କଟରମଣ ଡିଜିଟାଲ କାରବାର, ସାଇବର ଅପରାଧ ଓ ଚିଟଫଣ୍ଡର ଅପକାରିତା ବିଷୟରେ ସ୍ଵଳ୍ପ ସଞ୍ଚୟ ଅଭିକର୍ତ୍ତାମାନଙ୍କୁ ଖୁବ୍ ସରଳ ଭାବରେ ଅବଗତ କରାଇଥିଲେ । ଶେଷରେ ସହକାରୀ ନିର୍ଦ୍ଦେଶକ ସଞ୍ଚୟ ଆର୍ଥିକ ସେବା ଗଞ୍ଜାମ ଧ୍ରୁବ ଚରଣ ନାୟକ ସ୍ଵଳ୍ପ ସଞ୍ଚୟ ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ଓ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.