ବିଆରଜି ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଡେଲିମାର୍କେଟ ସ୍ଥିତ ଟାଉନ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଆଜି ତ୍ରି-ଦିବସୀୟ ବିଆରଜି ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି । ସର୍ବପ୍ରଥମେ ଅଗ୍ରପୂଜ୍ୟ ଗଣେଶଙ୍କ ଫଟୋ ଚିତ୍ରରେ ଧୂପଦୀପ, ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏହି ଅବସରରେ ବିଶ୍ରା ବ୍ଲକ ଶିକ୍ଷାଧିକାରୀ ସଦାନନ୍ଦ ପ୍ରଧାନ, ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ଆରତୀ ପ୍ରଧାନ ଏବଂ ଟାଉନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅମିତା ଗଡନାୟକ ପ୍ରମୁଖ ମଞ୍ଚାସୀନ ରହି ବିଆରଜି ପ୍ରଶିକ୍ଷଣ ଶିବିରର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିବା ବେଳେ ପ୍ରଶିକ୍ଷଣରେ ସକ୍ରିୟ ଭାବରେ ଅଂଶଗ୍ରହଣ କରି ଶିକ୍ଷା ବ୍ୟବସ୍ଥାକୁ ଲୋକାଭିମୁଖୀ କରିବାରେ ସହଭାଗୀ ହେବାକୁ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଆହ୍ୱାନ କରିଥିଲେ । ତା’ପରେ ପ୍ରଥମ ଅଧିବେଶନରେ ଶୈକ୍ଷୀକ ନେତୃତ୍ଵ, ଦ୍ଵିତୀୟ ଅଧିବେଶନରେ ଶିକ୍ଷକମାନଙ୍କର ବିକାଶତ୍ମକ ମନୋବୃତ୍ତି, ତୃତୀୟ ଅଧିବେଶନରେ ସାମାଜିକ, ଆବେଗିକ ଓ ନୈତିକ ଶିକ୍ଷା ଏବଂ ଚତୁର୍ଥ ଅଧିବେଶନରେ ହାଉସ ସିଷ୍ଟମ ସମ୍ପର୍କରେ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ବରିଷ୍ଠ ପ୍ରଶିକ୍ଷକ ସର୍ବେଶ୍ଵର ଦାସ, ଆରଇସି କ୍ଲଷ୍ଟର ସିଆରସିସି ସିପ୍ରା ସାହୁ, କୁତ୍ରା ବ୍ଲକ ସିଆରସିସି ସୁଦୀପ୍ତ ରଞ୍ଜନ ବେହେରା ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ବିଶ୍ରା, ନୁଆଗାଁ, କୁଆଁରମୁଣ୍ଡା, ଲାଠିକଟା, ବଣାଇ, ଲହୁଣୀପଡ଼ା, ଗୁରୁଣ୍ଡିଆ, କୋଇଡା ବ୍ଲକର ୫୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

error: Content is protected !!