centurian jitm

ବଲାଙ୍ଗିର ଜିଲ୍ଲାରେ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଂଟନ କାର୍ଯ୍ୟକ୍ରମର ଶୁଭାରମ୍ଭ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଂଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ପୁଇଁନ୍ତଲା ବ୍ଲକ୍‌ ଜାମ୍‌ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଭରତବାହାଲ ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଆଜି ଭରତବାହାଲ ଗ୍ରାମଠାରେ ମଶାରୀ ବଂଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଗାଁ କଲ୍ୟାଣ ସମିତି ଭରତବାହାଲ, ଜାମଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ରାଣା ଉପସ୍ଥିତ ଗ୍ରାମବାସୀଙ୍କୁ ଉଦ୍‌ବୋଧନ ଦେଇ ମ୍ୟାଲେରିଆରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ଶୋଇବା ସମୟରେ କୀଟନାଶକ ଉପଚାରିତ ମଶାରୀର ସଠିକ୍‌ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ । ଯେଉଁ ସ୍ଥାନ ମାନଙ୍କରେ ମଶାରୀର ବ୍ୟବହାର ବେଶୀ, ସେହି ସ୍ଥାନରେ ମ୍ୟାଲେରିଆ ହ୍ରାସ ପାଇଛି । ତେଣୁ ମଶାରୀ ବ୍ୟବହାର ସଂପର୍କରେ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି କହିଥିଲେ । ବଲାଙ୍ଗିର ଜିଲ୍ଲାକୁ ମ୍ୟାଲେରିଆ ମୁକ୍ତ କରିବା ନିମନ୍ତେ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବ୍ୟବହାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ମଶାରୀ ବଂଟନ ଓ ବ୍ୟବହାର ସଂପର୍କରେ ଜନସାଧାରଣଙ୍କୁ ସଚେତନ କରିବା ନିମନ୍ତେ ବଂଟନ ପୂର୍ବରୁ ଓ ପରବର୍ତ୍ତୀ ସମୟରେ ସଚେତନତା ସୃଷ୍ଟି କରାଯାଉଛି ବୋଲି ସେ ପ୍ରକାଶ କରିଥିଲେ । ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ଭୀମ ସାହୁ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ଦିବ୍ୟକିଶୋର ପତି, ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଭିବିଡ଼ି) ଡା. ନମିତା ମିଶ୍ର, ପୁଇଁନ୍ତଲା ବିଡ଼ିଓ ରବିନାରାୟଣ ଆଚାର୍ଯ୍ୟ, ଜାମଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡା. ଅବିନାଶ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଦୀର୍ଘସ୍ଥାୟୀ କୀଟନାଶକ ମଶାରୀ ବ୍ୟବହାରର ଉପାଦେୟତା ସଂପର୍କରେ ଗ୍ରାମବାସୀଙ୍କୁ ସଚେତନ କରିଥିଲେ । ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରୋଗ୍ରାମ ମେନେଜର ମୃତ୍ୟୁଂଜୟ ମୁଣ୍ଡ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ରୀତାଂଜଳି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲାପାଳ ଶ୍ରୀ ରାଣା ଭରତବାହାଲ ଗ୍ରାମର କେତେକ ଗ୍ରାମବାସୀଙ୍କୁ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଂଟନ କରିଥିଲେ । ମଶାରୀ ପାଉଥିବା କେତେକ ହିତାଧିକାରୀ ଏହି ମଶାରୀ ବ୍ୟବହାର ଦ୍ୱାରା କିପରି ମ୍ୟାଲେରିଆରୁ ରକ୍ଷା ମିଳିଥାଏ, ସେ ସଂପର୍କରେ ନିଜର ମତାମତ ଉପସ୍ଥାପନ କରିଥିଲେ । ବଲାଙ୍ଗିର ଜିଲ୍ଲାରେ ଚଳିତ ମାସ ୨୧, ୨୩, ୨୫, ୨୮ ଓ ୩୦ ତାରିଖରେ ବିଭିନ୍ନ ମଶାରୀ ବଂଟନ କେନ୍ଦ୍ର ମାଧ୍ୟମରେ ଏହି ମଶାରୀ ବଂଟନ କରାଯିବ । ଜିଲ୍ଲାରେ ମୋଟ ୧୦,୨୫,୦୬୨ ଗୋଟି ମଶାରୀ ବଂଟନ କରାଯିବ ଏବଂ ଏଥିସକାଶେ ଜିଲ୍ଲାରେ ୨୫୪୨ ଗୋଟି ମଶାରୀ ବଂଟନ କେନ୍ଦ୍ର କରାଯାଇଛି । ବଂଟନ ପ୍ରକ୍ରିୟାରେ ଶିକ୍ଷକ, ଆଶା, ଅଙ୍ଗନବାଡ଼ି କର୍ମୀ, ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ମୋଟ ୧୨୭୧୦ ଜଣଙ୍କୁ ନିୟୋଜିତ କରାଯାଇଛି । ମଶାରୀ ବଂଟନ ଓ ଏହାର ବ୍ୟବହାର ସଂପର୍କରେ ଗ୍ରାମବାସୀଙ୍କୁ ସୂଚନା ଦେବା ପାଇଁ ମେଗାଫୋନ, ସୂଚନା ପତ୍ର, ଲିଫ୍‌ଲେଟ୍‌ ନିଧି ରଥ, ସ୍ୱାସ୍ଥ୍ୟ କାନ୍ଥ ଇତ୍ୟାଦି ମାଧ୍ୟମରେ ବ୍ୟାପକ ପଚାର ପ୍ରସାର କରାଯାଉଛି । ଏ ସଂପର୍କରେ ବିଭିନ୍ନ ସ୍ତରରେ ସଚେତନତା ସଭା ମଧ୍ୟ ଆୟୋଜନ କରାଯାଇଛି । ମଶାରୀ ବଂଟନ କାର୍ଯ୍ୟର ତଦାରଖ କରିବା ନିମନ୍ତେ ବିଭିନ୍ନ ଟିମ୍‌ ଗଠନ କରାଯାଇ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଭରତବାହାଲଠାରେ ଅନୁଷ୍ଠିତ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଡେପୁଟି କଲେକ୍‌ଟର ସୁତେନା ପୁଷ୍ପା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀଙ୍କ ସମେତ ସିଡ଼ିପିଓ, ଆଇସିଡ଼ିଏସ୍‌ ସୁପର୍‌ଭାଇଜର୍‌, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଭିବିଡ଼ି ସେଲ୍‌ର ପରାମର୍ଶଦାତା ସୁରେଶ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!