ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡ଼ିଶାର ବଲାଙ୍ଗିର, ବାଲେଶ୍ଵର, ଖୋର୍ଦ୍ଧା, କଟକ, ଜଗତସିଂହପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ନିରୀକ୍ଷକ ଭାବେ ସୁଚାରୁରୂପେ କାର୍ଯ୍ୟ କରି ସମସ୍ତଙ୍କର ଅତି ଆପଣାର ହୋଇ ସୁନାମ ଅର୍ଜନ କରିଥିବା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମପୁର ବ୍ରାହ୍ମଣ ଶାସନ ଗାଁର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ୮୨ ବର୍ଷ ବୟସରେ କଟକ ବଡ଼ ଡ଼ାକ୍ତରଖାନାରେ ପରଲୋକ ଘଟିଥିବା ଜଣାପଡିଛି । ତାଙ୍କର ସଚ୍ଚୋଟତା, ସତ୍ୟନିଷ୍ଠତା, ସାଧୁତା, କର୍ତ୍ତବ୍ୟ ପରାୟଣତା, ସେବା ପରାୟଣତା, ସହନଶୀଳତା, ସହଯୋଗୀତା, ପରୋପକାରୀତା ଭଳି ଅନେକ ମାନବୀୟ ଗୁଣାବଳୀ ପାଇଁ ସେ ଜଣେ ଆଦର୍ଶ ବ୍ୟକ୍ତି ଭାବେ ଜନସାଧାରଣଙ୍କ ପ୍ରିୟଭାଜନ ହୋଇ ପାରିଥିଲେ । ୧୯୪୧ ମସିହାରେ ସେ ଶିକ୍ଷକ ପଣ୍ଡିତ ସଦାଶିବ ମହାପାତ୍ର ଓ ଚମ୍ପାଦେବୀଙ୍କ ଗର୍ଭରୁ ଭୂମିଷ୍ଠ ହୋଇଥିଲେ । ସେ ୧୯୫୪/୫୫ ମସିହାରେ ସତ୍ୟବାଦୀ ବନବିଦ୍ୟାଳୟର ଜଣେ ଜଣାଶୁଣା ମେଧାବୀ ଛାତ୍ର ଭାବେ ପଣ୍ଡିତ ନୀଳକଣ୍ଠ ଦାସଙ୍କଠାରୁ ପୁରସ୍କୃତ ହୋଇଥିଲେ । ଓଡ଼ିଶାରେ ନାଁ ରଖିଥିବା ପ୍ରଖ୍ୟାତ ଇଂରାଜୀ ପ୍ରଧ୍ୟାପକ ତଥା ସୁଲେଖକ ବାଗ୍ମୀ ଗଣେଶ୍ୱର ମିଶ୍ରଙ୍କର ସେ ଥିଲେ ସହପାଠୀ ଓ ପ୍ରିୟା ସତ୍ୟବାଦୀ ବନବିଦ୍ୟାଳୟର ଜଣେ ଆଦର୍ଶ ଛାତ୍ର ଭାବେ ଶିକ୍ଷକ ହରିହର ମହାପାତ୍ର ଓ ଅନ୍ୟମାନେ ତାଙ୍କୁ ଭାରି ଭଲ ପାଉଥିଲେ । ୨୦୦୧ ମସିହାରେ ପୁରୀରୁ ଜାତୀୟ ବାତଜର ନିୟନ୍ତ୍ରଣ କେନ୍ଦ୍ରର ବରିଷ୍ଠ କ୍ଷେତ୍ର ଅଧିକାରୀ ଭାବେ ଅବସର ନେଇ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟ ଓ ଜନହିତକର କାର୍ଯ୍ୟରେ ନିଜକୁ ସାମିଲ କରି ଜଣେ ମିଷ୍ଟଭାଷୀ ମଣିଷ ଭାବେ ଛାତ୍ର ଜୀବନରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତଙ୍କର ନିକଟତର ହୋଇପାରିଥିଲେ । ତାଙ୍କ ବିୟୋଗରେ ଜନ୍ମମାଟି ଶ୍ରୀପୁରୁଷୋତ୍ତମପୁର ଶାସନ ଗାଁ ସମେତ ଏବେ ତାଙ୍କ ପରିବାର ବର୍ଗ ରହୁଥିବା ପୁରୀ ନବକଳେବର ରୋଡ଼ ଅଞ୍ଚଳରେ ଜଣେ ଭଲ ଲୋକ ଚାଲିଗଲେ ବୋଲି କୁହାକୁହି ହୋଇ ଗଭୀର ଦୁଃଖ ପ୍ରକାଶ କରିବା ସହ ସମସ୍ତେ ଈଶ୍ବରଙ୍କ ନିକଟରେ ସେହି ପବିତ୍ର ଆତ୍ମାର ସଦ୍ଗତି କାମନା କରିଛନ୍ତି । ପୁରୀ ନବକଳେବର ରୋଡ଼ରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ସ୍ୱର୍ଗତ ମହାପାତ୍ରଙ୍କ ପାର୍ଥିବ ଶରୀରକୁ ଏକ ଶୋକାକୁଳ ପରିବେଶରେ ବନ୍ଧୁ ପରିଜନଙ୍କ ଗହଣରେ ନିଆଯାଇ ସେଠାରେ ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ କରାଯାଇଥିଲା । ଜ୍ୟେଷ୍ଠ ପୁତ୍ର ଆଧ୍ୟାତ୍ମିକ ଶିକ୍ଷକ ବିଜୟ କୁମାର ମହାପାତ୍ର ମୁଖାଗ୍ନି ଦେଇଥିଲେ । ପୁତ୍ର ଅଜୟ, ଗଉରୀ ପ୍ରସାଦ, ହର, କନ୍ୟା ସରୋଜିନୀ, ପୁତ୍ରବଧୂ ବୁଲି, ରୀତା, ସୋନୀ ନାତିନାତୁଣୀ ସିଦ୍ଧାର୍ଥ, ସମ୍ରାଟ, ଶାଶ୍ଵତ, ଜାଗୃତିଙ୍କ ସହ ଅନ୍ୟ ଶୋକାତୁର ବ୍ୟକ୍ତିମାନେ ଅନ୍ତେଷ୍ଟି କ୍ରିୟାରେ ସାମିଲ ଥିଲେ ।
Prev Post