ପଦ୍ମପୁର, (ନିରୋଜ କୁମାର ପାଣୀ) : କଥାରେ ଅଛି ଅମର ହେବାକୁ ହେଲେ ସବୁ ଦିନ ବଞ୍ଚି ରହିବାର ଆବଶ୍ୟକତା ନାହିଁ । ସ୍ଵଳ୍ପ ଆୟୁଷ ଭିତରେ ଏମିତି କିଛି କରିଯାଅ ଯେ, ସାରା ଦୁନିଆ ତମକୁ ସବୁଦିନ ପାଇଁ ମନେ ରଖିବ । ଆଉ ତମେ ଜନ ମାନସରେ ଅମର ହୋଇଯିବ । ଏମିତି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଆଇନଜୀବୀ ସ୍ୱର୍ଗତ ସୁରେନ୍ଦ୍ର ସାହୁ । ଇହଲୀଳା ସମ୍ବରଣ କରିବାର ୩ ବର୍ଷ ପରେ ବି ଲୋକେ ତାଙ୍କୁ ଆଉ ତାଙ୍କ କାମକୁ ଝୁରୁଛନ୍ତି । ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ବୁରୋମୁଣ୍ଡା ଠାରେ ମୁରଲୀକ୍ରିଷ୍ଣା ଫାଉଣ୍ଡେସନ୍, ବିକାଶ ମଲ୍ଟିସ୍ପେସିଆଲିଟି ହସ୍ପିଟାଲ ଓ ଲୋକର ଖବର ମିଡିଆ ଉଦ୍ୟମରେ ଆଇନଜୀବୀ ସ୍ୱର୍ଗତ ସୁରେନ୍ଦ୍ର କୁମାର ସାହୁଙ୍କର ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ବିଜେପୁର ବିଧାୟକ ସନତ ଗଡତିଆ ଏବଂ ଡି. ମୁରଲୀ କ୍ରିଷ୍ଣା ଶିବିରକୁ ଉଦ୍ଘାଟନ କରିଥିଲେ । ଗାଇସିଲେଟ ଅଞ୍ଚଳର ପ୍ରାୟ ୫୩୬ ଜଣଙ୍କ ଚକ୍ଷୁ ଓ ସ୍ଵାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ମାଗଣା ଔଷଧ ପ୍ରଦାନ କରାଯାଇଛି । ବାପାଙ୍କ ଶ୍ରାଦ୍ଧ ବାର୍ଷିକୀକୁ ଏଭଳି ଢଙ୍ଗରେ ପାଳନ କରିଥିବାରୁ ସ୍ୱର୍ଗତ ସାହୁଙ୍କ ପୁତ୍ର ସରୋଜ ଶ୍ରୀଭୂଷଣ ସାହୁ ଏବଂ ସାକେତ ଶ୍ରୀଭୂଷଣ ସାହୁଙ୍କୁ ଲୋକେ ଭୂରି ଭୂରି ପ୍ରଶଂସା କରିଛନ୍ତି । ସ୍ୱର୍ଗତ ସୁରେନ୍ଦ୍ର ସାହୁ ସାଧାରଣ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ । ସମସ୍ୟାରେ ପଡ଼ିଥିବା ଲୋକକୁ ସାହାର୍ଯ୍ୟ ନକଲେ ଯେମିତି ରାତିରେ ତାଙ୍କୁ ନିଦ ହୁଏ ନାହିଁ । ସମ୍ବଲପୁର ଗଙ୍ଗାଧର ମେହେର ଲ କଲେଜରେ ଟପ୍ପର ହେବା ପରେ ଆଇନଜୀବୀ ଭାବେ ନିଜ ବୃତ୍ତିଗତ ଜୀବନ ଆରମ୍ଭ କଲେ । କିନ୍ତୁ ଏହି ସମୟରେ ଶ୍ରୀ ସାହୁ ଅର୍ଥ ଅପେକ୍ଷା ସେବାକୁ ପ୍ରାଥମିକତା ଦେଲେ । ବିନା ମୂଲ୍ୟରେ କୋର୍ଟରେ ଗରିବ ଅସହାୟ ଲୋକଙ୍କ ପାଇଁ କେସ ଲଢ଼ୁଥିଲେ । ତାଙ୍କ ସମସାମୟିକ ଆଇନଜୀବୀମାନେ ସୁଖ ସ୍ଵଚ୍ଛନ୍ଦରେ ଜୀବନଯାପନ କରୁଥିବା ବେଳେ ସ୍ୱର୍ଗତ ସୁରେନ୍ଦ୍ର ସାହୁ କିନ୍ତୁ ଲୋକଙ୍କ ସେବାରେ ସବୁ କିଛି ସମର୍ପିତ କରିଦେଇ ନିଜେ ନିଶ୍ୱ ପାଲଟି ଯାଇଥିଲେ । ଶ୍ରୀ ସାହୁଙ୍କ ମତରେ ଧନ ସଂପତ୍ତି କ୍ଷଣିକ ମାତ୍ର କିନ୍ତୁ ଲୋକଙ୍କ ଭଲ ପାଇବା ଚିରସ୍ଥାୟୀ । ସେ ସବୁବେଳେ କହୁଥିଲେ ତାଙ୍କୁ ଯେଉଁ ସମ୍ମାନ ଓ ଭଲ ପାଇବା ମିଳୁଛି ତାହା ହେଉଛି ସେ ଉପାର୍ଜନ କରିଥିବା ପୁଞ୍ଜି । କେବଳ ଯେ ଜଣେ ସୁନାମଧନ୍ୟ ଆଇନଜୀବୀ ନୁହଁନ୍ତି ସୁରେନ୍ଦ୍ର ସାହୁ ଏକାଧାରରେ ଥିଲେ ଜଣେ ସାହିତ୍ୟିକ, ନାଟ୍ୟକାର, ଲେଖକ, କଳାକାର । ସମଗ୍ର ପଶ୍ଚିମ ଓଡ଼ିଶାରେ ଜଣେ ଚର୍ଚ୍ଚିତ ବ୍ୟକ୍ତି ଭାବେ ପରିଚିତ ସୁରେନ୍ଦ୍ର ସାହୁ ଥିଲେ ଜଣେ ଭଲ ଫୁଟବଲ ଖେଳାଳି । ପ୍ରଥମ ସମ୍ବଲପୁରୀ ନାଟକ ‘ଝାର ବିଲେଇ ବଦ୍ଧ’ ଥିଲା ତାଙ୍କ ଅନବଦ୍ୟ ସୃଷ୍ଟି । କଳା, ସାହିତ୍ୟ ଏବଂ କ୍ରୀଡା ପ୍ରତି ଥିବା ଅନୁରାଗ ବାସ୍ତବରେ ଅବର୍ଣ୍ଣନୀୟ । ସ୍ୱର୍ଗତ ସୁରେନ୍ଦ୍ର ସାହୁଙ୍କ ଅନ୍ତେ ଏବେ ତାଙ୍କର ପିଲାମାନେ ମଧ୍ୟ ସମାଜସେବାରେ ନିଜକୁ ନିୟୋଜିତ କରିଛନ୍ତି । ବାପାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜର ଅବହେଳିତ ଲୋକଙ୍କ ସେବା କରୁଛନ୍ତି । ବାପାଙ୍କ ଶ୍ରାଦ୍ଧରେ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ଏମାନେ ପ୍ରମାଣିତ କରିଦେଇଛନ୍ତି ଯେ, ସୁରେନ୍ଦ୍ର ସାହୁ ହୁଏତ ଆଉ ଏଦୁନିଆରେ ନାହାଁନ୍ତି କିନ୍ତୁ ତାଙ୍କ ବିଚାର କେବେ ମରି ନାହିଁ କି ଜନସେବା କରିବା ପାଇଁ ସେ ଆରମ୍ଭ କରିଥିବା ମିଶନ କେବେ ବନ୍ଦ ହେବ ନାହିଁ ।