ପ୍ରହସନ ପାଲଟିଛି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅବାସ ଯୋଜନା : ୨ ବର୍ଷ ହେଲା ଘର ଅଭାବରୁ ଶାଢ଼ୀ ଟାଣି ରହୁଛନ୍ତି ପରିବାର

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ୨୦୧୯ ଅଗଷ୍ଟ ମାସ ହୋଇଥିବା ବର୍ଷାରେ ଘର ଭୁଷୁଡି ଗଲା । ସେହି ଦିନରୁ ଆକାଶ ତଳେ ରହୁଛନ୍ତି ଦମ୍ପତି । ପଲିଥିନ ଓ କିଛି ସାମଗ୍ରୀ ପାଇବା ଆଶାରେ ଦେଓଗାଁ ତହସିଲ କାର୍ଯ୍ୟାଳୟକୁ ଯାଇ ମଧ୍ୟ ନିରାଶା ହୋଇ ଫେରିଥିଲେ । ରାଜ୍ୟ ଓ କେନ୍ଦ୍ରସରକାରଙ୍କ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ ଓ ବ୍ଳକକୁ ଦୌଡିଥିଲେ ହେଲେ ପାଇଲେ ନାହିଁ । ବର୍ତ୍ତମାନ ଶାଢ଼ୀ ଟାଣି ରହୁଛନ୍ତି ଦେଓଗାଁ ବ୍ଳକ ସାଲେପାଲି ପଞ୍ଚାୟତ ଖୋଦ ସାଲେପାଲି ଗାଁର ରୋହିତ ଭୋଇ ଓ ତାଙ୍କ ପତ୍ନୀ । ତାଙ୍କ କହିବା ଅନୁସାରେ ଘର ଖଣ୍ଡିଏ ପାଇଁ ବାରମ୍ବାର ଚେଷ୍ଟା କରିଛନ୍ତି କିନ୍ତୁ ପାଇ ନାହାନ୍ତି । କିଛିମାସ ତଳେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏହି ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଯଦି ନ ହୁଏ ତାହା ହେଲେ ନିଜସ୍ୱ ପାଣ୍ଠିରୁ ଘର ତିଆରିରେ ସହଯୋଗ କରିବେ । ତାଙ୍କ କଥା ମୁତାବକ ନିହୀ କୁଡ଼ା ସରିଛି କିନ୍ତୁ ଟଙ୍କା ଅଭାବରୁ ଶ୍ରମିକଙ୍କୁ ଟଙ୍କା ଦେଇ ନ ଥିବାରୁ କାମ ବନ୍ଦ ହୋଇଛି । କିଛିଦିନ ହେଲା ଗୋଟିଏ ଟ୍ରିପ ଇଟା ଓ ଦୁଇ ଟ୍ରିପ ବାଲି ପଡିଛି ବୋଲି କହିଛନ୍ତି । ସୂଚନା ଅନୁସାରେ, ସାଲେପାଲି ଗାଁର ରୋହିତ ନିହାତି ଜଣେ ଗରିବ ଶ୍ରେଣୀର । ତିନିମାସ ତଳେ ଘରେ ପଡ଼ିଯିବାରୁ ହାତ ଓ ଗୋଡ଼ ଭାଙ୍ଗି ଗଲା । ସେହି ଦିନରୁ ଦୁର୍ବଳ ହୋଇପଡ଼ିଛି । ଆମ ପ୍ରତିନିଧିଙ୍କ ସହ ଶନିବାର କଥା ହେବା ସମୟରେ ଭାବ ବିହ୍ୱଳ ହୋଇ ଅଭାବ ଯୋଗୁଁ କୁଳରେ ଭଗବାନ ସନ୍ତାନ ଦେଇ ନାହାନ୍ତି ତେଣୁ ଭଗବାନଙ୍କୁ ଧନ୍ୟବାଦ ବୋଲି କହିଥିଲେ । ପାଖ ପଡୋଶୀ ଲୋକମାନେ ରୋହିତର ଅବସ୍ଥାକୁ ଦେଖି ସରକାରଙ୍କ ଆବାସ ଯୋଜନାକୁ ଆକ୍ଷେପ କରିଛନ୍ତି । ରୋହିତ ପାଇଥିବା ୧୨ହଜାର ଟଙ୍କାର ପାଇଖାନା ଭିତରେ ନିଜେ ବ୍ୟବହାର କରୁଥିବା କପଡ଼ା ଓ କାଠ ରଖିଥିବା ଦେଖିବାକୁ ମିଳିଥିଲ । ଦେଓଗାଁ ବ୍ଳକରେ ପ୍ରତି ବର୍ଷ ହଜାର ହଜାର ସଂଖ୍ୟାରେ ଯୋଗାଉଥିବା ବେଳେ ଅନେକ ଅଯୋଗ୍ୟ ପରିବାର ଘର ପାଉଛନ୍ତି । ହେଲେ ରୋହିତ ପରି ଲୋକ ପାଉ ନଥିବାରୁ ଯୋଜନା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏ ସଂକ୍ରାନ୍ତରେ ସାଲେପାଲି ସରପଞ୍ଚ ନିଲାଞ୍ଚଳ କୁଅଁରକୁ ପଚାରିବାରୁ ୨୦୧୧ରେ କରାଯାଇଥିବା ଏସିସି ତାଲିକାରେ ରୋହିତର ନାମ ନାହିଁ ତେଣୁ ଯୋଜନାରୁ ବଞ୍ଚିତ ହୋଇଛି ବୋଲି କହିଥିଲେ । ତେବେ ତାଲିକାରେ ନାମ ନଥିବା ବ୍ୟକ୍ତିକୁ ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର ଯୋଜନାରେ ସାମିଲ କରିବା ପାଇଁ ବ୍ୟବସ୍ତା କରାଯାଇଥିବା ବେଳେ ସେଥିରୁ କାହିଁକି ବାଦ ପଡ଼ିଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ତେଣୁ ତୁରନ୍ତ ରୋହିତ ପରିବାରକୁ ରାଶନ ସାମଗ୍ରୀ ସହ ଘର ଟିଏ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.