
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ଜିଲ୍ଲାପ୍ରଶାସନ ସୁବର୍ଣ୍ଣପୁର ଓ ପୌର ପରିଷଦ ସୋନପୁର ଦ୍ୱାରା ଆୟୋଜିତ ଜିଲ୍ଲା ସ୍ତରୀୟ “ପରାକ୍ରମ ବାଇକ ରାଲି” ଭାରତୀୟ ସେନାଙ୍କ ଅଭୂତପୂର୍ବ ତ୍ୟାଗ, ସାହସ ଓ ଦୁଃସାହସିକତା ପ୍ରତି ସମ୍ମାନ ଓ ସ୍ମୃତିସ୍ୱରୂପ ଆୟୋଜିତ ହୋଇଥିଲା । ଏହି କାର୍ୟ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଭାରତର ସୁରକ୍ଷା ପାଇଁ ସେନାର ଅଗାଢ ପରିଶ୍ରମକୁ ସମ୍ମାନ ଦେବା ଓ ନାଗରିକଙ୍କ ମଧ୍ୟରେ ଦେଶପ୍ରେମ ଓ ସୁରକ୍ଷା ଜ୍ଞାନ ବୃଦ୍ଧି କରିବା । ଜିଲ୍ଲାପାଳ ଅନ୍ୟା ଦାସ ପତାକା ପ୍ରଦର୍ଶନ କରି ରାଲିର ଶୁଭାରମ୍ଭ କରିଥିଲେ । ସେ ଅପରେସନ ସିନ୍ଦୂରରେ ଭାରତୀୟ ସେନାଙ୍କ ପରାକ୍ରମ ପ୍ରଶଂସା କରି ସେମାନଙ୍କ ପ୍ରତି ଅଭିନନ୍ଦନ ଜଣାଇଥିଲେ ଓ ସାଧାରଣ ଜନତାଙ୍କୁ ସେନାଙ୍କ ମନୋବଳ ବୃଦ୍ଧି ପାଇଁ ସଚେତନ ଓ ଉତ୍ସାହିତ କରିଥିଲେ । ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଦେଶର ସୁରକ୍ଷା ଓ ପ୍ରଗତି ପାଇଁ ନାଗରିକଙ୍କ ଏକତା ବଢ଼ାଇବା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ତ୍ରିରଙ୍ଗା ପରାକ୍ରମ ଶୋଭାଯାତ୍ରା ସୋନପୁର ରୋୟାଲ ପଡିଆରୁ ଆରମ୍ଭ ହୋଇ ବ୍ଲକ ଛକ, ଆମ୍ବେଦକର ଛକ, କଚେରୀ ଛକ, ବିଜୁପଟ୍ଟନାୟକ ଛକ, ନଳିନୀ ଛକ ମାର୍ଗରେ ଗତି କରି ନୂତନ ଟାଉନ ହଲ ପରିସରରେ ସମାପ୍ତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ସମେତ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଜନ ସ୍ୱାସ୍ଥ୍ୟ ଅଧିକାରୀ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ, ଜିଲ୍ଲା ଅଗ୍ନିଶମ ଅଧିକାରୀ, ଉପଜିଲ୍ଲାପାଳ, ପୌରପରିଷଦ ଅଧ୍ୟକ୍ଷା, ସ୍ଥାନୀୟ ଜନ ପ୍ରତିନିଧି, ସମସ୍ତ ସରକାରୀ ପଦାଧିକାରୀ ଓ କର୍ମଚାରୀ, ପୋଲିସ କର୍ମଚାରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଂଘ କର୍ମକର୍ତ୍ତା, ଏନ୍.ସି.ସି, ଏନ୍.ଏସ୍.ଏ୍ସ., ରେଡକ୍ରସ, ପୌର ପରିଷଦ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ସ୍ୱୟଂ ସହାୟକ କର୍ମକର୍ତ୍ତା ଓ ଜିଲ୍ଲାର ସମସ୍ତ ବର୍ଗରୁ ବହୁ ସଂଖ୍ୟାରେ ଜନସାଧାରଣ ଅଂଶ ଗ୍ରହଣ କରିଥିଲେ । ଅନୁଷ୍ଠିତ ଶୋଭାଯାତ୍ରା ଏସ୍.ପି, ଏ.ଡି.ଏମ୍, ସବ କଲେକ୍ଟର ବୀରମହାରାଜପୁର, ନିର୍ବାହୀ ଅଧିକାରୀ ପୌରପରିଷଦ ସୋନପୁରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ହୋଇଥିବାବେଳେ ଜିଲ୍ଲା କ୍ରୀଡ଼ା ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ମନୋରଞ୍ଜନ ତ୍ରିପାଠୀ, ଅବିନାଶ ହୋତା ପ୍ରମୁଖ କାର୍ୟ୍ୟକ୍ରମରେ ସଂଯୋଜନା କରିଥିଲେ ।