jayashree

ସେପ୍ଟେମ୍ବର ୧୯ ତାରିଖରେ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ବେନ୍ଦେର ଗ୍ରାମରେ ଅନୁଷ୍ଠିତ ହେବ ପଞ୍ଚାୟତ ଲୋକ ସେବା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସେପ୍ଟେମ୍ବର ୧୯ ତାରିଖ ପୂର୍ବାହ୍ନ ୮ ଘଟିକାଠାରୁ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ବେନ୍ଦେର ଗ୍ରାମଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଞ୍ଚାୟତ ଲୋକ ସେବା ଶିବିର ଅନୁଷ୍ଠିତ ହେବ । ଏହି ପଞ୍ଚାୟତ ଲୋକ ସେବା ଶିବିରରେ ଜିଲ୍ଲାର ବିଭିନ୍ନ ବିଭାଗ ପକ୍ଷରୁ ସରକାରଙ୍କ ତରଫରୁ କାର୍ଯ୍ୟକାରୀ ହେଉଥିବା ଜନହିତକର ଓ ଲୋକାଭିମୁଖୀ ଯୋଜନା ଗୁଡିକ ସମ୍ପର୍କରେ ପଞ୍ଚାୟତ ଅନ୍ତର୍ଗତ ଗ୍ରାମର ଗ୍ରାମବାସୀଙ୍କୁ ସଚେତନ କରିବା ପାଇଁ ବିଭାଗୀୟ ଷ୍ଟଲ ସହ ଯୋଜନା ସମ୍ପର୍କିତ ସୂଚନା ସମ୍ବଳିତ ବ୍ୟାନର ଲଗାଯିବ । ଏତଦ ବ୍ୟତୀତ ପଞ୍ଚାୟତ ଲୋକ ସେବା ଶିବିରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ ଟୀକାକରଣ, ସ୍ୱାସ୍ଥ୍ୟ ପରୀକ୍ଷା, ମାଗଣା ଔଷଧ ବଣ୍ଟନ କରାଯିବ । ସେହିପରି ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ପ୍ରାଣୀମାନଙ୍କୁ ଟୀକାକରଣ ଓ ଔଷଧ ବଣ୍ଟନ କରାଯିବ । ଶ୍ରମ ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଜରିଆରେ ଶ୍ରମ କାର୍ଡ ନିମନ୍ତେ ପଞ୍ଜିକରଣ ତଥା ନବୀକରଣ, ଶ୍ରମ ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ମୃତ୍ତିକା ପରୀକ୍ଷା, ଲିଫଲେଟ ଓ ବ୍ୟାନର ଜରିଆରେ ଚାଷୀମାନଙ୍କୁ ବିଭିନ୍ନ ଯୋଜନା ଓ ବୈଷୟିକ ଜ୍ଞାନ କୌଶଳ ସମ୍ପର୍କରେ ସଚେତନତା, ଉଦ୍ୟାନ କୃଷି ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ଯୋଜନା ବାବଦରେ ସଚେତନତା ସହ ଫଳ ଓ ପନିପରିବା ଚାଷ କରିବା ନିମନ୍ତେ ଚାଷୀ ମାନଙ୍କୁ ପରାମର୍ଶ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ନିୟୋଜନ କାର୍ଡ ନିମନ୍ତେ ପଞ୍ଜିକରଣ, ଦକ୍ଷତା ବିକାଶ ତଥା ନିଯୁକ୍ତି ସୁଯୋଗ ନିମନ୍ତେ ପରାମର୍ଶ, ସାମାଜିକ ସୁରକ୍ଷା ବିଭାଗ ଜରିଆରେ ବିଭିନ୍ନ ଭତ୍ତା, ଭିନ୍ନକ୍ଷମଙ୍କୁ ଡିଆରଆଇ ଋଣ, ଭିନ୍ନକ୍ଷମ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରୋତ୍ସାହନ, ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୁକନ୍ୟା ସମୃଦ୍ଧି ଯୋଜନା, ଗର୍ଭବତୀ ମହିଳାଙ୍କ ନିମନ୍ତେ ପୌଷ୍ଟିକ ଆହାର ପ୍ରଦର୍ଶନ, ପୁଷ୍ଟିହୀନ ଶିଶୁ ଚିହ୍ନଟ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନିମନ୍ତେ ଜବ କାର୍ଡ ପଞ୍ଜିକରଣ, ମୋବାଇଲ ଆଧାର ପଞ୍ଜିକରଣ, ମିଶନ ଶକ୍ତି ଜରିଆରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟାଙ୍କ ସଂଯୋଗୀକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଯୋଗ୍ୟ ହିତାଧିକାରୀଙ୍କୁ ରାଶନ କାର୍ଡ ମଞ୍ଜୁରୀ, ବୟନ ଶିଳ୍ପ ଓ ହସ୍ତତନ୍ତ ବିଭାଗ ଜରିଆରେ ବୁଣାକାର ମାନଙ୍କୁ ଉପକରଣ ବଣ୍ଟନ ଓ ସଚେତନତା ତଥା ଅନ୍ୟାନ୍ୟ ବିଭାଗର ଯୋଜନା ସମ୍ପର୍କରେ ସଚେତନ କରାଯିବ । ବେନ୍ଦେର ଗ୍ରାମରେ ଅନୁଷ୍ଠିତ ହେବାକୁ ଥିବା ଏହି ପଞ୍ଚାୟତ ଲୋକ ସେବା ଶିବିରରେ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗଦେବେ । ଶିବିରରେ ସମ୍ପୃକ୍ତ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗ୍ରାମର ଗ୍ରାମବାସୀମାନେ ବହୁ ସଂଖ୍ୟାରେ ଯୋଗଦାନ କରି ବିଭିନ୍ନ ଯୋଜନା ଗୁଡିକର ସୁଯୋଗ ନେବା ପାଇଁ ଅନୁରୋଧ କରାଯାଉଛି ।

Leave A Reply

Your email address will not be published.