
ବାରିପଦା, (ଦେବସ୍ମିତ ଚୌଧୁରୀ) : କପ୍ତିପଦା ବ୍ଲକ ଅନ୍ତର୍ଗତ ବଡଖଲାଡି ଗ୍ରାମରେ ସାମାଜିକ କର୍ମୀ ଗଦାଧର ବେହେରା ଓ ଶିକ୍ଷୟତ୍ରୀ ମମତାରାଣୀ ପୃଷ୍ଟିଙ୍କ ପୁତ୍ର ସ୍ୱାଧୀନ ୨୦୦୧ ମସିହାରେ ଜନ୍ମଗ୍ରହଣ କରି ପରବର୍ତ୍ତୀ ସମୟରେ ରାଇରଙ୍ଗପୁର ବ୍ଲକର କୁଲେଇଶିଳା ପ୍ରାଥମିକ ବିଦ୍ୟାଳୟରେ, ବାରିପଦାରେ ଏମ କେ ସି ଉଚ୍ଚ ବିଦ୍ୟାଳୟରୁ ଶିକ୍ଷା ଲାଭ କରି ବାଲେଶ୍ୱରରେ ଫକୀର ମୋହନ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ପରେ ପରେ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ପି ଏଚ ଡି କରୁଥିବା ବେଳେ ସ୍ପେନ ସ୍ଥିତ ଜାରାଗୋଜା ବିଶ୍ୱବିଦ୍ୟାଳୟରେ ସହକାରୀ ଗବେଷକ ଭାବେ ଯୋଗ ଦେଇଥିଲେ । ବର୍ତ୍ତମାନ ସେ ଉକ୍ତ ବିଶ୍ୱବିଦ୍ୟାଳୟରେ “ଡାର୍କ ଇନାର୍ଜୀ” ଉପରେ ପି ଏଚ ଡି କରିବା ପାଇଁ ମନୋନୀତ ହୋଇଛନ୍ତି । ପ୍ରକାଶ ଥାଉକି ଓଡିଶା ସରକାର ଓ ଟାଟାଷ୍ଟିଲର ମିଳିତ ସହଯୋଗରେ ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟେରିୟମଠାରେ ୨୦୧୪ – ୧୫ ଶିକ୍ଷାବର୍ଷରେ ଏମ କେ ସି ଉଚ୍ଚ ବିଦ୍ୟାଳୟରେ ୯ମ ଶ୍ରେଣୀରେ ପଢ଼ୁଥିବା ବେଳେ ସ୍ୱାଧୀନ ଯୁବ ବୈମାନିକ ଭାବେ ମନୋନୀତ ହୋଇ ଭାରତର ଦୁଇ ପ୍ରମୁଖ କ୍ଷେପଣାସ୍ତ୍ର ଉତକ୍ଷେପଣ କେନ୍ଦ୍ର ଅହମଦାବାଦ ଓ ଶ୍ରୀହରିକୋଟା ପରିଭ୍ରମଣ କରିବାର ସୌଭାଗ୍ୟ ହାସଲ କରିଥିଲେ । ସ୍ପେନରେ ଗବେଷଣା କରୁଥିବା ସ୍ୱାଧୀନ ଆଗାମୀ ଦିନରେ ଜଣେ ବୈଜ୍ଞାନିକ ଭାବେ ନିଜ ଦେଶର ସେବା କରିବା ପାଇଁ ସଂକଳ୍ପବଦ୍ଧ ବୋଲି ସେ ଆଶାପୋଷଣ କରିଛନ୍ତି ।