ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବାସୀଙ୍କ ପାଇଁ ଏକ ଖୁସି ଖବର । ସ୍ଵଚ୍ଛ ସର୍ବେକ୍ଷଣ – ୨୦୨୪ରେ ରାଉରକେଲା ମହାନଗର ନିଗମ ସର୍ବଭାରତୀୟ ସ୍ତରରେ ୧୫ତମ ସ୍ଥାନ ହାସଲ କରିଛି । ଯାହା ସମସ୍ତ ରାଉରକେଲାବାସୀଙ୍କ ପାଇଁ ନିହାତି ଭାବେ ଏକ ଗର୍ବର ବିଷୟ । ଗୁରୁବାର ଦିନ ସ୍ଵଚ୍ଛ ସର୍ବେକ୍ଷଣ ୯ମ ସଂସ୍କରଣର ଫଳାଫଳ ଘୋଷଣା ହେବା ସହ ପୁରସ୍କାର ସମାରୋହର ଆୟୋଜନ କରାଯାଇଥିଲା । ଏଥିରେ ସର୍ବଭାରତୀୟ ସ୍ତରରେ ରାଉରକେଲା ଶ୍ରେଷ୍ଠ ପନ୍ଦରଟି ସହର ମଧ୍ୟରେ ସ୍ଥାନ ପାଇଥିବା ବେଳେ ସମଗ୍ର ରାଜ୍ୟରେ ଚତୁର୍ଥ ସ୍ଥାନରେ ରହିଛି । ଗତବର୍ଷ ରାଉରକେଲା ସହର ୧୧୯ତମ ସ୍ଥାନରେ ରହିଥିବା ବେଳେ ଚଳିତ ବର୍ଷ ସ୍ଵଚ୍ଛତା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ୧୫ତମ ରେଙ୍କ ହାସଲ କରିବାରେ ସଫଳ ହୋଇଛି । ସର୍ବଭାରତୀୟ ସ୍ତରରେ ରାଉରକେଲା ସହର ୧୫ତମ ସ୍ଥାନ ଅଧିକାର କରିଛି । ସେହିଭଳି ଭାବେ ରାଜ୍ୟ ସ୍ତରରେ ଚତୁର୍ଥ ଏବଂ ମହାନଗର ନିଗମ ସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି । ଗତଥର ନୈରାଶ୍ୟଜନକ ପ୍ରଦର୍ଶନ ପରେ ରାଉରକେଲା ସହର ଚଳିତ ବର୍ଷ ଦେଶର ୧୦୧ଟି ସହର ମଧ୍ୟରୁ ୧୫ତମ ସ୍ଥାନ ଅଧିକାର କରିଛି । ୨୦୨୪ ମସିହା ଏପ୍ରିଲ ମାସରୁ ୨୦୨୫ ମସିହା ଏପ୍ରିଲ ପର୍ଯ୍ୟନ୍ତ ଏହି ସର୍ବେକ୍ଷଣ ଚାଲୁ ରହିଥିଲା । ଏଥିସହ ରାଉରକେଲା ସହରକୁ ଶ୍ରେଷ୍ଠ ସ୍ଵଚ୍ଛ ସହର ଭାବେ ଚୟନ ନିମନ୍ତେ ସହରବାସୀ ଅନଲାଇନ୍ ଯୋଗେ ଭୋଟିଂ ପ୍ରକ୍ରିୟାରେ ଭାଗ ନେଇଥିଲେ । ଯାହା ଫଳରେ ସହରର ରିପୋର୍ଟ କାର୍ଡ ଅନୁସାରେ ରାଉରକେଲା ସହର ଡମ୍ପିଂ ସାଇଟର ସୁଧାର କରିବା, ସହରରେ ଥିବା ଜଳାଶୟ ଓ ବଜାର ଗୁଡ଼ିକର ସ୍ଵଚ୍ଛ କରିବା ଦିଗରେ ଶତ ପ୍ରତିଶତ ନମ୍ବର ପାଇଛି । ଏଥିସହ ଘରକୁ ଘର ବର୍ଜ୍ୟବସ୍ତୁ ସଂଗ୍ରହ, ଆବାସିକ ଅଞ୍ଚଳ ଓ ସର୍ବସାଧାରଣ ଶୌଚାଳୟ ଗୁଡ଼ିକର ସ୍ଵଚ୍ଛତା ବଜାୟ ରଖିବାରେ୯୦ ପ୍ରତିଶତରୁ ଅଧିକ ଅଙ୍କ ପାଇଛି । ଏଥି ସହ ସହରକୁ ବର୍ଜ୍ୟମୁକ୍ତ କରିବାରେ ୩ ତାରକା ପାଇଥିବା ବେଳେ ସ୍ଵଚ୍ଛତା ଭିତ୍ତିକ କାର୍ଯ୍ୟକ୍ରମ ବଜାୟ ରଖିବା ହେତୁ ଓଡିଏଫ୍ ପାଇଁ ପୁନଃ ବିବେଚିତ ହୋଇଛି । ରାଉରକେଲା ସହରର ସର୍ବ ଭାରତୀୟ ସ୍ତରରେ ସ୍ଵଚ୍ଛତା କ୍ଷେତ୍ରରେ ଏହି ସଫଳତା ପରେ ମହାନଗର ଆୟୁକ୍ତ ଆଶୁତୋଷ କୁଲକର୍ଣ୍ଣି ରାଉରକେଲା ବାସିନ୍ଦା, ତୃଣମୂଳ ସ୍ତରରେ କାର୍ଯ୍ୟରତ ସମସ୍ତ ସଫେଇ କର୍ମଚାରୀ ଓ ମହାନଗର ନିଗମର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଶୁଭକାମନା ଓ ଧନ୍ୟବାଦ ଜଣାଇଛନ୍ତି । ସ୍ଵଚ୍ଛତା ଏକ ନିରନ୍ତର ପ୍ରକ୍ରିୟା ହୋଇଥିବା ବେଳେ ଆଗକୁ ମଧ୍ୟ ରାଉରକେଲା ସହର ସ୍ଵଚ୍ଛତା କ୍ଷେତ୍ରରେ ଆହୁରି ଉନ୍ନତି ଆସିବ ବୋଲି ସେ କହିଛନ୍ତି । ଏଥିସହ ସ୍ଵଚ୍ଛ ରାଉରକେଲା ହିଁ ଏକ ବିକଶିତ ରାଉରକେଲା ଗଠନର ପ୍ରଥମ ସୋପାନ ହୋଇଥିବା ବେଳେ ସମସ୍ତେ ମିଶି ଏକ ସ୍ଵଚ୍ଛ ଓ ସୁସ୍ଥ ରାଉରକେଲା ଗଠନ ପାଇଁ ପ୍ରତିବଦ୍ଧ ହେବାକୁ ସେ ଆହ୍ବାନ ଦେଇଛନ୍ତି । ସ୍ଵଚ୍ଛତା ଗୋଟିଏ ସହରର ବିକାଶ ନିମନ୍ତେ ପ୍ରଥମ ସୋପାନ ହୋଇଥିବା ବେଳେ ଏହାକୁ ପ୍ରଭାବଶାଳୀ କରିବା ପାଇଁ ୨୦୧୬ ମସିହାରୁ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଆସୁଛି । ଯାହା ବିଶ୍ୱର ସର୍ବବୃହତ୍ ବାର୍ଷିକ ସ୍ଵଚ୍ଛ ସର୍ବେକ୍ଷଣ । ସହରରେ ସ୍ଵଚ୍ଛତା ଦିଗରେ କରାଯାଉଥିବା ବିଭିନ୍ନ କାର୍ଯ୍ୟ ଗୁଡ଼ିକର ଆକଳନ ତଥା ସ୍ଵଚ୍ଛତାକୁ ପ୍ରୋତ୍ସାହିତ କରିବା ପାଇଁ ଆୟୋଜନ କରାଯାଉଥିବା ଏହି କାର୍ଯ୍ୟକ୍ରମର ମୂଲ୍ୟାଙ୍କନ ପ୍ରକ୍ରିୟା ବେଶ୍ ସଶକ୍ତ ଓ ନିରପେକ୍ଷ । ୪୫ ଦିନ ବ୍ୟାପୀ ତୃଣମୂଳସ୍ତରରେ ଯାଇ ସର୍ଭେ କରାଯାଉଥିବା ବେଳେ ୧୦ଟି ପ୍ରଭାବଶାଳୀ ସୂଚକ ଆଧାରରେ ଶ୍ରେଷ୍ଠ ସ୍ଵଚ୍ଛ ସହରର ଚୟନ ହୋଇଥାଏ ।
