
- ସାମ୍ବିଧାନିକ ଗଣତନ୍ତ୍ରର ସୁରକ୍ଷା ସବୁଠୁ ବଡ଼ ନାଗରିକ କର୍ତ୍ତବ୍ୟ : ଲିଙ୍ଗରାଜ
ବଲାଙ୍ଗିର, (କେପିଏନ୍ଏସ୍) : ବିପ୍ଳବୀ କବି, ସାମ୍ବାଦିକ ଗୌରବ ଶିବପ୍ରସାଦ ପାଣ୍ଡିଆଙ୍କ ୧୭ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ସ୍ଥାନୀୟ ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ସନ୍ଧ୍ୟାରେ ‘ଭାରତୀୟ ଗଣତନ୍ତ୍ର ଏବଂ ସମ୍ବିଧାନରେ ଶୁକୁରୁ ଡୁଗୁରୁଙ୍କ ଭବିଷ୍ୟତ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ସ୍ମୃତିବିନ୍ଦୁ ଫାଉଣ୍ଡେସନ୍ ପକ୍ଷରୁ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ସଭାପତିତ୍ୱରେ ଆୟୋଜିତ ଆଲୋଚନାଚକ୍ରରେ ଆଲୋଚକ ଭାବେ ସମାଜବାଦୀ ବିଚାରକ ତଥା ଚାଷୀନେତା ଲିଙ୍ଗରାଜ ଏବଂ ଉପଦେଷ୍ଟା ପ୍ରଫେସର ମଧୁସୂଦନ ପତି ଯୋଗଦାନ କରିଥିଲେ । ସଭା ପ୍ରାରମ୍ଭରେ ମଞ୍ଚାସୀନ ଅତିଥିମାନେ ବିପ୍ଳବୀ କବି ସ୍ୱର୍ଗତ ଶିବପ୍ରସାଦ ପାଣ୍ଡିଆଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଆଲୋଚକ ଲିଙ୍ଗରାଜ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଶତାଧିକ ବର୍ଷର ଲଢ଼େଇ ଓ ସଂଘର୍ଷ ପରେ ଭାରତରେ ସାମ୍ବିଧାନିକ ଗଣତନ୍ତ୍ର ପ୍ରତିଷ୍ଠା ହୋଇଛି । ଜରୁରୀକାଳୀନ ପରିସ୍ଥିତି ବେଳେ ସାମ୍ବିଧାନିକ ଗଣତନ୍ତ୍ର ବିପନ୍ନ ହୋଇଥିଲା । ଲୋକେ ତାର ଜବାବ ଦେଇଥିଲେ । ଏହା ପରେ ଅନେକ ଥର ସାମ୍ବିଧାନିକ ଗଣତନ୍ତ୍ରକୁ ବିପନ୍ନ କରିବାର ଉଦ୍ୟମ ହୋଇଛି । ୨୦୨୪ ନିର୍ବାଚନରେ ସାମ୍ବିଧାନ ସୁରକ୍ଷା ପ୍ରସଙ୍ଗ ହୋଇଥିବା ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ଦେଶର ନିରକ୍ଷର, ସାଧାରଣ ଲୋକେ ଏହାର ଜବାବ ଦେଇ କୈାଣସି ଦଳକୁ ସଂଖ୍ୟାଗରିଷ୍ଠ ହେଲେ ନାହିଁ, ଏଥିରୁ ସମ୍ବିଧାନ ସୁରକ୍ଷାକୁ ନେଇ ନାଗରିକଙ୍କ ମତ ସ୍ପଷ୍ଟ । ସାମ୍ବିଧାନିକ ଗଣତନ୍ତ୍ରର ସୁରକ୍ଷା ଦିଗରେ ବିପ୍ଳବୀ କବି ଓ ସାଲିସବିହୀନ ସାମ୍ବାଦିକ ଭାବେ ସ୍ୱର୍ଗତ ପାଣ୍ଡିଆ ସାରା ଜୀଵନ ସାଧାରଣ ବର୍ଗଙ୍କୁ ଉଦବୁଦ୍ଧ କରିଆସିଥିଲେ ବୋଲି ଲିଙ୍ଗରାଜ କହିଥିଲେ । ପ୍ରଫେସର ପତି ତାଙ୍କ ବକ୍ତବ୍ୟରେ ବ୍ୟକ୍ତିଗତ ଭାବେ ଆମେ କିଭଳି ନାଗରିକ ଦାୟିତ୍ୱ ପାଳନ କରିପାରିବା କହିଥିଲେ । ସଭାପତୀୟ ଅଭିଭାଷଣରେ ନାଟ୍ୟଭୂଷଣ ଛୁରିଆ ସ୍ୱର୍ଗତ ପାଣ୍ଡିଆଙ୍କ ସାମ୍ବିଧାନିକ ଅଧିକାରକୁ ନେଇ ସଂଘର୍ଷ ବିଷୟରେ କହିଥିଲେ । ଆଲୋଚନାଚକ୍ରରେ ସନ୍ଦୀପ କୁମାର କୁଅଁର ସଂଯୋଜନା କରିଥିଲେ । ବୀରେନ୍ଦ୍ର କୁମାର ଝାଙ୍କର ସ୍ୱାଗତ ଭାଷଣ ଦେଇଥିଲେ । ଅତିଥି ମାନଙ୍କୁ ସୁଶୀଳ କୁମାର ପାଣ୍ଡିଆ ଓ ସଂଗ୍ରାମ ପାଣ୍ଡିଆ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ପ୍ରେମଚାନ୍ଦ ମହାନ୍ତି ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଡ଼ ପ୍ରହଲ୍ଲାଦ ଶତପଥି, ଡ଼ ଶ୍ରୀକର ମିଶ୍ର, ନବୀନ ନାୟକ, ସନାତନ ଠାକୁର, ଭାଗିରଥି ମିଶ୍ର, ମଦନ ରଥ, ରଘୁନାଥ ବାବୁ, ପ୍ରମୋଦ ପାଣ୍ଡିଆ, ପ୍ରଭାତ ପାଣ୍ଡିଆ, ମୋହନ ପାଣ୍ଡିଆ, ଉଦିତ ପଣ୍ଡା, ଚାଇନା ମହାନ୍ତି, ଅରୁଣ ମିଶ୍ର, ତ୍ରିଲୋଚନ ନନ୍ଦ, ସନ୍ତୋଷ ପାଢ଼ୀ, ନରେନ୍ଦ୍ରନାଥ ମିଶ୍ର, ପ୍ରଶାନ୍ତ ଯୋଷୀ, ମଧୁସୂଦନ ନାୟକ, କୁନୁ ପଣ୍ଡା, ତରଣୀ ସୁନା, ରାଜେଶ ଝାଙ୍କର, କିଶୋର ମେହେର, ବନମାଳୀ ପୋଢ, ଭବାନୀ ଶଙ୍କର ପଟେଲ, ମନୋରଞ୍ଜନ ସାହୁ, ଟଙ୍କଧର ପଧାନ, ଅଶୋକ ଚାନ୍ଦ, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ସରସ୍ଵତୀ ନନ୍ଦ ଓ ସହରର ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।