- କାଲି ବଲାଙ୍ଗିର ଓ ଭୁବନେଶ୍ୱର ମଧ୍ୟରେ ସେମି ଫାଇନାଲ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ଆୟୋଜିତ ସର୍ବ ଭାରତୀୟ ଲାଲମନି କ୍ରିକେଟର ତୃତୀୟ ଦିବସରେ ରକେଟ ଏକାଦଶ (ମୁମ୍ବାଇ) ଓ ବାପୁଜୀ କ୍ଲବ୍ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିଣି ବାପୁଜୀ କ୍ଲବ୍ ପ୍ରଥମେ ଫିଲଡିଂ ନିଷ୍ପତ୍ତି ନେଇଥିଲା । ମୁମ୍ବାଇ ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍ ହରାଇ ୧୩୯ ରନ୍ କରିଥିଲେ । ମୁମ୍ବାଇ ଦଳ ପକ୍ଷରୁ ଶିବମ କୁମାର ୩୨ ବଲରେ ୪୫ ରନ୍, ରିତେଶ ରାଜ ୧୭ ବଲରେ ୨୦ ରନ୍, ମନୀଷ ତିୱାରୀ ୧୫ ବଲରେ ୨୧ ରନ୍ କରିଥିଲେ । ଭୁବନେଶ୍ୱର ଦଳ ପକ୍ଷରୁ ପ୍ରାୟସ ସିଂହ ସର୍ବାଧିକ ୪ଟି ୱିକେଟ୍, ଶୟଦ୍ ଜାକି ୨ଟି ଓ ନମନ୍ ଧ୍ରୁବ ଗୋଟିଏ ୱିକେଟ୍ ହାସଲ କରିଥିଲେ । ପ୍ରତି ଉତ୍ତରରେ ବାପୁଜୀ କ୍ଲବ୍ ଭୁବନେଶ୍ୱର ୮.୫ ଓଭରରେ ୧ ୱିକେଟ୍ ହରାଇ ସ୍କୋର ସମାନ ବେଳେ ଛକା ମାରି ୧୪୫ ରନ୍ କରି ପ୍ରଥମ ମ୍ୟାଚ୍ ବିଜୟୀ ହୋଇଥିଲେ । ବିଜୟୀ ଦଳ ପକ୍ଷରୁ ସିଦ୍ଧାନ୍ତ ଜେନା ୧୫ ବଲରେ ୨୫ ରନ୍, କ୍ଷମା ସାଗର ୩୫ ବଲରେ ୮୯ ରନ୍, ଶୁଭମ୍ ୪ ବଲରେ ୧୬ ରନ୍ କରିଥିଲେ । ସେହିପରି ଟି/୧୦ ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ଦଳ ବ୍ୟାଟିଂ କରି ୧୦ ଓଭରରେ ୬ ୱିକେଟ୍ ହରାଇ ୧୦୧ ରନ୍ କରିଥିଲେ । ଦଳ ପକ୍ଷରୁ ୟସ ରାଠୋଡ଼ ୧୩ ବଲରେ ୨୨ ରନ୍, ୟମୁନା ଝା ୧୮ ବଲରେ ୩୧ ରନ୍, ଶିବମ ୮ ବଲରେ ୧୯ ରନ୍ କରିଥିଲେ । ଭୁବନେଶ୍ୱର ଦଳ ପକ୍ଷରୁ ପ୍ରାୟସ ସିଂହ ସର୍ବାଧିକ ୨ଟି ୱିକେଟ୍, ସୁଶିଲ ବାରିକ, ବିକାଶ ଦୀକ୍ଷିତ, ବାସୂକି ନାଥ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ । ପ୍ରତି ଉତ୍ତରରେ ବାପୁଜୀ କ୍ଲବ ୧ ୱିକେଟ୍ ହରାଇ ୬.୨ ଓଭରରେ ୧୦୨ ରନ୍ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ । ଦଳ ପକ୍ଷରୁ କ୍ଷମା ସାଗର ୧୮ ବଲରେ ଅପରାଜିତ ୪୩ ରନ୍ କରିଥିଲେ । ଶୁଭମ ଶତ୍ରୁଜିତ୍ ୧୯ ବଲରେ ୩୯ ରନ୍ କରିଥିଲେ । ବାପୁଜୀ କ୍ଲବ୍ର କ୍ଷମା ସାଗର ବଳଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଥିଲା । ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଏଚ୍ଡିଏଫସି ବ୍ୟାଙ୍କ୍ର ବ୍ରାଞ୍ଚ ମ୍ୟାନେଜର ଦେବାଶିଷ ପାଣିଗ୍ରାହୀ ଅତିଥି ଭାବେ ଯୋଗ ଦେଇ ଆଜିର ମ୍ୟାଚ୍କୁ ଉଦ୍ଘାଟନ କରିଥିବା ବେଳେ କଣ୍ଟ୍ରାକ୍ଟର ତଥା ସମାଜସେବୀ ଶ୍ରୀବନ୍ତ ମିଶ୍ର ଓ ସୁଦାମ ସୁନା ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଇ ଶ୍ରୀ ବଳଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ । ଅମ୍ପାୟାର ସତ୍ୟ ପ୍ରାସାଦ ରଥ ଓ ଶ୍ୟାମ ସୁନ୍ଦର ପଣ୍ଡା ଆଜିର ଖେଳ ପରିଚାଳନା କରିଥିବା ବେଳେ ସ୍କୋରର୍ ଭାବେ ବିନୋଦ ପାତ୍ର, ଅନ୍ ଲାଇନ୍ ସ୍କୋରିଂରେ ଦିନେଶ ଘିବିଲା ଓ ହିମାଂଶୁ ପଧାନ ଦାୟିତ୍ୱ ତୁଲାଇ ଥିଲେ । ବି.ଏସ. ରାଓ, ସଞ୍ଜୀବ ମିଶ୍ର, ପାର୍ଥ ସାରଥୀ ଦାଶ ଓ ବିନୋଦ ମହାକୁର ଖେଳର ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିଲେ ।