ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କୁସୁମଜୋର ଗ୍ରାମପଞ୍ଚାୟତର ବାସିନ୍ଦା ପ୍ରେମସିଂ ରାଉତଙ୍କ ଭୋଟର ତାଲିକାରେ ନାମ ନଥିବାରୁ ସରପଞ୍ଚ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲରୁ ବଞ୍ଚିତ ହୋଇଛନ୍ତି । ସୂଚନା ଅନୁସାରେ ପ୍ରେମସିଂ ରାଉତ ପୂର୍ବରୁ କୁସୁମଜୋର ଗ୍ରାମପଞ୍ଚାୟତରେ ତିନିତିନି ଥର ସରପଞ୍ଚ ହୋଇ ଥିବାବେଳେ କିଭଳି ତାଙ୍କର ଭୋଟର ତାଲିକାରୁ ନାମ ଉଭାନ ହୋଇଗଲା ତାହା ପ୍ରଶ୍ନବାଚି ସୃଷ୍ଟି କରିଛି । ସେ ଅଭିନବ ଉପାୟରେ ଘଣ୍ଟବାଦ୍ୟ କରି ନିଜ ପ୍ରତି ହୋଇଥିବା ମନୁଷ୍ୟକୃତ ଭୁଲ ପାଇଁ ପଞ୍ଚାୟତ ସମ୍ମୁଖରେ ଧାରଣାରେ ବସିଛନ୍ତି । ସିଙ୍ଗଝର ଗ୍ରାମପଂଚାୟତରେ ମଧ୍ୟ ପ୍ରେମସିଂ ଦୁଇଦୁଇ ଥର ସରପଞ୍ଚ ଥିଲେ ଏବଂ ନୂତନ ରୂପେ ଗଠିତ କୁସୁମଜୋର ଗ୍ରାମ ପଞ୍ଚାୟତରେ ମଧ୍ୟ ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ । ଚଳିତ ନିର୍ବାଚନରେ ତାଙ୍କର ନାମ ପଞ୍ଚାୟତ ଭୋଟର ତାଲିକାରେ ନାହିଁ, ଫଳରେ ସେ ସରପଞ୍ଚ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିପାରି ନଥିଲେ ବୋଲି ଜଣାପଡ଼ିଛି । ପୂର୍ବତନ ସରପଞ୍ଚଙ୍କ ନାମ ଭୋଟର ତାଲିକାରେ ନଥିବା ଘଟଣା ଏକ ମନୁଷ୍ୟକୃତ ଭୁଲ ବୋଲି ସେ ଅଭିଯୋଗ କରିଛନ୍ତି । ଏନେଇ ସେ ସିନାପାଲି ବିଡ଼ିଓ ଓ ସିନାପାଲି ଥାନାକୁ ଜଣାଇ କୁସୁମଜୋର ଗ୍ରାମ ପଞ୍ଚାୟତ ସମ୍ମୁଖରେ ଆନ୍ଦୋଳନ କରୁଥିବା ସୂଚନା ମିଳିଛି ।