ସଇଁତଲାରେ ଡେଙ୍ଗୁ ଆତଙ୍କ : ସରପଞ୍ଚଙ୍କ ସମେତ ୨୫ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ବର୍ତ୍ତମାନ ଡେଙ୍ଗୁ ଆତଙ୍କକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଥିବା ଦେଖାଦେଇଛି । ଏଥିରେ ସରପଞ୍ଚଙ୍କ ସମେତ ୨୫ରୁ ଅଧିକ ରୋଗୀ ବଲାଙ୍ଗିର ଭୀମଭୋଇ ଓ ବରଗଡ ଘରୋଇ ମେଡିକାଲ୍‌ରେ ଅଧିକାଂଶ ରୋଗୀ ଚିକିତ୍ସିତ ଅବସ୍ଥାରେ ଥିବା ଜଣାପଡିଛି । ପ୍ରକାଶ ଯେ, ଗତ ସପ୍ତାହ ହେଲାଣି ସହରରେ ଡେଙ୍ଗୁ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ନୀରବ ହୋଇଥିବା ଅଭିଯୋଗ । ଯାହା ଫଳରେ ଲୋକେ ନିଜ ନିଜ ଖର୍ଚ୍ଚରେ ଡେଙ୍ଗୁ ପରୀକ୍ଷା କରୁଥିବା ଦେଖାଦେଇଛି । ଏହାପରେ ସ୍ୱାସ୍ଥ୍ୟ ବିଭାଗକୁ ଅଭିଯୋଗ କରିବା ପରେ ବଲାଙ୍ଗିର ଓ ସଇଁତଲା ଡାକ୍ତରୀ ଟିମ୍‌ ସହରର ଗୋପବନ୍ଧୁ ପଡାକୁ ପହଂଚି ଡେଙ୍ଗୁ ପରୀକ୍ଷା ଆରମ୍ଭ କରିଥିଲେ । ତାହାପରେ ମଧ୍ୟ ଲୋକେ ଅନ୍ୟ ମେଡିକାଲ୍‌କୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରି ମେଡିକାଲ୍‌ରେ ଭର୍ତ୍ତି ହୋଇଥିବା ଦେଖାଦେଇଛି । ଅନ୍ୟପକ୍ଷରେ ସହରରେ ଦୀର୍ଘ ଦିନ ହେଲା ପରିମଳ ବ୍ୟବସ୍ଥା ଭୁଶୁଡି ପଡିଛି । ସହରର ଅନେକ ପଡାରେ ପ୍ରଶାସନ ପକ୍ଷରୁ ଡ୍ରେନ୍‌ଗୁଡିକ ସଫା ହୋଇନଥିବାରୁ ଡ୍ରେନ୍‌ଗୁଡିକରେ ପାଣି ନିଷ୍କାସନ ନହୋଇ ମଇଲା ପାଣି ଜମା ହେଉଛି । ଯାହା ଫଳରେ ଦୁର୍ଗନ୍ଧ ହୋଇ ଡେଙ୍ଗୁ ଜୀବାଣୁ ବୃଦ୍ଧି ପାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏନେଇ ମେଡିକାଲ୍‌ ଇନ୍‌ଚାର୍ଜ ସମରେନ୍ଦ୍ର ମହାପାତ୍ରଙ୍କୁ ପଚାରିବାରୁ ସଇଁତଲା ମେଡିକାଲ୍‌ରେ ୧୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ଓ ବଲାଙ୍ଗିର ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି । ଏ ସମ୍ପର୍କରେ ବିଡ଼ିଓଙ୍କୁ ମଧ୍ୟ ଜଣାଇଛି ବୋଲି କହିବା ସହିତ ନାଳ ନର୍ଦମାଗୁଡିକ ସଫାସୁତୁରା ନହେବା ପର୍ଯ୍ୟନ୍ତ ଡେଙ୍ଗୁ ସଂଖ୍ୟା ଆହୁରି ବଢ଼ିଵ ବୋଲି ପ୍ରକାଶ କରିଥିଲେ । ଏଣୁ ଏ ଦିଗରେ ବ୍ଲକ ପ୍ରଶାସନ ସହରର ଡ୍ରେନ୍‌ଗୁଡ଼ିକ ତୁରନ୍ତ ସଫାସୁତୁରା କରିବାକୁ ଅଞ୍ଚଳ ଜନସାଧାରଣ ତରଫରୁ ଦାବୀ ହେଉଛି ।

Leave A Reply

Your email address will not be published.