ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ମାଟି କଳା ଓ କଳାକାରର ମାଟି । ଏ ମାଟିର କଳା ସାରା ବିଶ୍ୱରେ ସୁନାମ ଅର୍ଜନ କରିଛି । କିନ୍ତୁ ଦେଖାଯାଇଛି, ଏ ମାଟିର କଳାକାର ଓ କଳା ସବୁବେଳେ ଅବହେଳିତ ହୋଇ ଆସିଛି । ବଲାଙ୍ଗିର ଜିଲ୍ଲାରେ ଅନେକ କଳାକାର କଳାକୁ ଜୀବନ ଜୀବିକା ଭାବେ ଗ୍ରହଣ କରି ଏହାକୁ ବୃତ୍ତି କରିଛନ୍ତି । ସେମାନଙ୍କ କ୍ଷେତ୍ରରେ ବର୍ତ୍ତମାନର କରୋନା ମହାମାରୀ ସଂକ୍ରମଣ କାଳରେ ଜୀବନ ନିର୍ବାହ ଦୁର୍ବିସହ ହୋଇ ପଡ଼ିଛି । ବିବାହ, ବ୍ରତ, ଯାନିଯାତ୍ରା, ଅନ୍ୟ ଉତ୍ସବ ସବୁ କରୋନା କଟକଣା ଯୋଗୁଁ ବନ୍ଦ ରହିଥିବା ବେଳେ ଏମାନଙ୍କ କୁଟୁମ୍ବ ପ୍ରତିପୋଷଣ ଅତ୍ୟନ୍ତ ଜଟିଳ ହୋଇଯାଇଛି । ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କୁ କିଛି ନା କିଛି ସହଯୋଗ ରାଶି ଘୋଷଣା କରିଛନ୍ତି । କିନ୍ତୁ ଏହି ଲୋକ କଳାକାରମାନଙ୍କ ପାଇଁ ଆଜି ପର୍ୟ୍ୟନ୍ତ ନୀରବତା ଅବଲମ୍ବନ କରିଛନ୍ତି, ଏହାକୁ ନେଇ କଳାକାରମାନଙ୍କ ମଧ୍ୟରେ ଅସେନ୍ତାଷ ଦେଖାଦେଇଛି । ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଏ ସଂପର୍କରେ କହିଛନ୍ତି ଯେ, ସରକାର ଯଥାଶୀଘ୍ର ଲୋକ କଳାକାରମାନଙ୍କୁ ଚିହ୍ନଟ କରି ତୁରନ୍ତ ସେମାନଙ୍କୁ ସହଯୋଗ କରିବା ପାଇଁ ପଦକ୍ଷେପ ନିଅନ୍ତୁ । ନଚେତ୍ ଲୋକ କଳାକାରମାନଙ୍କ ଅବସ୍ଥା ଆହୁରି ସାଂଘାତିକ ହେବ । କଳା ଓ କଳାକାରଙ୍କୁ ସମ୍ମାନ ଦେବା ଦିଗରେ ସରକାର ଯତ୍ନବାନ ହେବା ଏକାନ୍ତ ଆବଶ୍ୟକ ।