ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ମେଧାବୀ ଝିଅ ସସ୍ମିତାଙ୍କ ସଫଳତା

ପାଟଣାଗଡ, (ଗୋରେଖନାଥ ବରିହା) : ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ପାଟଣାଗଡ଼ ବ୍ଲକ ଉଲବା ଗାଁର ଜଣେ ଗରିବ ପରିବାରର ମେଧାବୀ ଝିଅ ସସ୍ମିତା ମେହେରଙ୍କ ସଫଳତାକୁ ନେଇ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି । ବାପା ନୀଳମଣି ମେହେର ଓ ମା’ ବୃନ୍ଦାବତୀ ମେହେରଙ୍କ ପ୍ରଥମ ଝିଅ ସସ୍ମିତା ୩୩୧ତମ ସ୍ଥାନରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ବୁଣାକାର ପରିବାର ନୀଳମଣିଙ୍କ ତିନି ସନ୍ତାନ ମଧ୍ୟରୁ ବଡ ପୁଅ ଶମ୍ଭୂଜ ଏକ ସଡ଼କ ଦୁର୍ଘଟଣାରେ ଡାହାଣ ହାତ ଅକାମି ହୋଇଯାଇଛି । ସାନ ଭଉଣୀ ରଞ୍ଜିତାଙ୍କ କିଛି ମାସ ତଳେ ବିବାହ କଷ୍ଟେ ମଷ୍ଟେ ହୋଇଯାଇଛି । ପିଲାଟି ଦିନରୁ ସସ୍ମିତା ଭଲ ପାଠ ପଢି ଆସିଥିବା ସହ ପଞ୍ଚାୟତ ହାଇସ୍କୁଲ ଉଲବାରୁ ଦଶମ ଶ୍ରେଣୀ ପାସ କରି ପାଟଣାଗଡ଼ ଜବାହାରଲାଲ କଲେଜରୁ ବିଏ ପାସ କରି ଉତ୍କଳ ବିଶ୍ଵବିଦ୍ୟାଳୟ ଭୁବନେଶ୍ଵରରେ ସ୍ନାତକ ଡିଗ୍ରି ହାସଲ କରିଥିଲେ । ସସ୍ମିତା ମାଟ୍ରିକ ପରୀକ୍ଷାରେ ୯୧ ଶତକଡା ମାର୍କ ରଖି ଉତ୍ତୀର୍ଣ୍ଣ ହେବାପରେ ଘରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଛାତ୍ରଛାତ୍ରୀମାନଙ୍କୁ ଟିଉସନ କରି ନିଜେ ପାଠ ପଢି ଏହି ସଫଳତା ହାସଲ କରିଥିବା ସେ ପ୍ରକାଶ କରିଛନ୍ତି । ଦୁଇ ବର୍ଷ ପୂର୍ବେ ବାପା ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ରୋଗ ଶଯ୍ୟାରେ ପଡ଼ିଥିବା ବେଳେ ବଡ ଭାଇଙ୍କ ଦୁର୍ଘଟଣା ହେବାରୁ ତାଙ୍କ ଡାହାଣ ହାତ କାମ କରୁନାହିଁ । ଯାହା ଫଳରେ ପରିବାରର ବୋଝ ସେ ନିଜେ ମୁଣ୍ଡାଇଥାନ୍ତି । ତଥାପି ଏହା ସତ୍ତ୍ୱେ ମଧ୍ୟ ସସ୍ମିତା କେବେ ହାର ମାନିନାହାନ୍ତି, ସେ ଦିନରାତି କଠୋର ପରିଶ୍ରମ କରି ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଦେଇ ସଫଳତା ହାସଲ କରିପାରିଛନ୍ତି । ସସ୍ମିତା ଗତ ଜୁନ୍‌ ମାସରୁ ବଲାଙ୍ଗିର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଅର୍ଥନୈତିକ ବିଭାଗର ଆସିଣ୍ଟାଣ୍ଟ ପ୍ରଫେସର ଭାବରେ ବର୍ତ୍ତମାନ କାର୍ଯ୍ୟରତ । ତାଙ୍କର ଏହି ସଫଳତା ପଛରେ ତାଙ୍କର ବାପା, ମା’, ଭାଇ, ଭଉଣୀ, ଗୁରୁଜୀ, ଗୁରୁମା’ଙ୍କୁ ଶ୍ରେୟ ଦେବା ସହ ଟିଉସନ୍‌ କରୁଥିବା ବେଳେ ବିଶେଷ କରି ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନଙ୍କୁ ମଧ୍ୟ ଶ୍ରେୟ ଦେଇଛନ୍ତି । ତାଙ୍କର ଏହି କୃତକାର୍ଯ୍ୟ ଯୋଗୁଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିଛି ।

Leave A Reply

Your email address will not be published.