ଶିକ୍ଷୟିତ୍ରୀ ମମିତା ହତ୍ୟା ଘଟଣା : କଲ୍‌ ରେକର୍ଡକୁ ସାର୍ବଜନୀନ କରିବାକୁ କଳାହାଣ୍ଡି ସାଂସଦଙ୍କ ଦାବୀ

ନୂଆପଡା, (ନିରାକାର ମେହେର) : ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କରଙ୍କୁ ବଞ୍ଚାଇବା ପାଇଁ ଭୁବନେଶ୍ୱରରୁ କାହାଣୀ ତିଆରି ହେଉଛି ବୋଲି ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ୟାଳୟ, ନୂଆପଡାଠାରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି । ସେ ଆହୁରି ଦାବୀ କରି କହିଛନ୍ତି ଯେ, ଶିକ୍ଷୟତ୍ରୀ ମମିତାଙ୍କ ଲାପ୍‌ଟପ୍‌, ମୋବାଇଲ ଓ ପେନ ଡ୍ରାଇଭରେ ଅନେକ ତଥ୍ୟ ରହିଛି । ଏସବୁ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି । ପୋଲିସ ଯଦି ସ୍ଵଚ୍ଛ ତଦନ୍ତ ହେବା କଥା କହୁଛି ତେବେ ଶିକ୍ଷୟିତ୍ରୀ ମମିତା ନିଖୋଜ ପରଠାରୁ କେତେଥର ଗୋବିନ୍ଦ ସାହୁଙ୍କ ସହ କଥା ହୋଇଛି କଲ୍‌ ରେକର୍ଡ ଉଜାଗର ହେଉ ଓ ପିଡିତା ଶିକ୍ଷୟିତ୍ରୀ ମମିତା, ହତ୍ୟାକାରୀ ଗୋବିନ୍ଦ ସାହୁ ଏବଂ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଏକ ମାସର କଲ୍‌ ରେକର୍ଡକୁ ପୋଲିସ ସାର୍ବଜନୀନ କରିବାକୁ ସେ ଦୃଢ଼ ଦାବୀ କରିଛନ୍ତି । ସାଂସଦ ଶ୍ରୀ ପଣ୍ଡା ଆହୁରି କହିଛନ୍ତି ଯେ, ପୋଲିସ ଜାଣିଶୁଣି ତଦନ୍ତକୁ ବାଟବଣା କରିବାକୁ ଉଦ୍ୟମ କରୁଥିବା ବାରିହୋଇ ପଡୁଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ ଶାସକ ଦଳ ଇଙ୍ଗିତରେ କାମ କରୁନି ତ ବୋଲି ପ୍ରଶ୍ନ କରିଛନ୍ତି । ଭିଡ଼ିଓରୁ ଲାଗୁଛି ପୋଲିସର ଆଦେଶରେ ନୁହେଁ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନିର୍ଦେଶବଳରେ ପୋଲିସ ଅପରାଧୀକୁ ନେଉଅଛି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବଞ୍ଚାଇବା ପାଇଁ ରାଜଧାନୀ ଭୁବନେଶ୍ୱରରୁ ପ୍ରସ୍ତୁତ ହେଉଥିବା କାହାଣୀ ଆଧାରରେ ପୋଲିସ ନିଜର କାମ କରିବା ଭଳି ପାରିପାର୍ଶ୍ୱକ ଘଟଣାରୁ ମନେହେଉଛି ବୋଲି ସାଂସଦ ଶ୍ରୀ ପଣ୍ଡା କହିଥିଲେ । ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗତକାଲି ସକାଳେ ମହାଳିଙ୍ଗ ଷ୍ଟେଡିୟମରେ ପୋଲିସକୁ ସବିଶେଷ ଘଟଣାର ଡେମୋ ଦେଖାଇଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଏଭଳି ନିର୍ମମ ହତ୍ୟାକାଣ୍ଡ ଘଟଣାରେ ହତ୍ୟାକାରୀର କ୍ରାଇମ ସିନ ରିକ୍ରିଏସନର ଭିଡିଓଗ୍ରାଫି କରି ନିଜେ ପୋଲିସ ଭାଇରାଲ କରିବା ଭଳି ନଜିର ରହିଛି । ତେବେ ଏହି ଭିଡିଓରୁ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି । ପୋଲିସ ରାତି ଅଧରେ ଯଦି ଡେମୋର ଭିଡିଓ କଲା ତେବେ ଗଣମାଧ୍ୟମକୁ ଡାକିଲେ ନାହିଁ କାହିଁକି ବୋଲି ସାଂସଦ ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି । ପୋଲିସର ଏହି କାର୍ଯ୍ୟକାଳପକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ପୋଲିସ ଏହି ସମ୍ବେଦନଶୀଳ ଘଟଣାରେ ତଦନ୍ତ ମୂଳଦିଗ ଓ ଘଟଣାରେ ସମ୍ପୃକ୍ତ ରାଜନେତାଙ୍କ ପାଖରେ ନପହଞ୍ଚି ଘଟଣାକୁ ଜନସାଧରଙ୍କ ଦୃଷ୍ଟି ଏଡ଼ାଇବା ପାଇଁ ତଥା ଶାସକ ଦଳକୁ ବଞ୍ଚାଇବା ପାଇଁ ରାତିଅଧରେ ଡେମୋର ଭିଡିଓ କରୁଛି । କଲେଜରେ ଥିବା ଗୁପ୍ତ କୋଠରୀକୁ ପୋଲିସ ଯାଉନାହିଁ କାହିଁକି ବୋଲି ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀ ପଣ୍ଡା ପ୍ରଶ୍ନ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାଙ୍କ ମଧ୍ୟରେ ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଅଭିନନ୍ଦନ ପଣ୍ଡା ଓ ବିଜୟ ଚନ୍ଦ୍ରପାର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.