- ଆୟକର ଆଇନ, ୧୯୬୧ର ବିସ୍ତୃତ ସରଳୀକରଣ ଲକ୍ଷ୍ୟ
ନୂଆଦିଲ୍ଲୀ, (ପିଆଇବି) : ସଂସଦରେ ଆୟକର ବିଲ ୨୦୨୫ ଆଗତ ହୋଇଛି । ଏହା ଆୟକର ଆଇନ ୧୯୬୧ର ଭାଷା ଓ ଢାଞ୍ଚାକୁ ସରଳୀକରଣ କରିବା ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ । ସରଳୀକରଣ ପଦକ୍ଷେପ ତିନୋଟି ମୁଖ୍ୟ ସିଦ୍ଧାନ୍ତ ଉପରେ ଆଧାରିତ । ସେଗୁଡ଼ିକ ହେଲା :
୧. ଆଇନକୁ ଅଧିକ ସ୍ପଷ୍ଟ ଓ ସୁସଂଗତ କରିବା ଲାଗି ପାଠ୍ୟ ଓ ଢାଞ୍ଚାଗତ ସରଳୀକରଣ ।
୨. ନିରନ୍ତରତା ଓ ନିଶ୍ଚିତତା ପାଇଁ ଟିକସ ନୀତିରେ କୌଣସି ବଡ଼ ପରିବର୍ତ୍ତନ କରାଯିବ ନାହିଁ ।
୩. ଟିକସଦାତାଙ୍କ ପାଇଁ ପୂର୍ବାନୁମାନକୁ ସୁରକ୍ଷିତ ରଖିବା ଲାଗି ଟିକସଦରରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ।
ଏଥିପାଇଁ ତ୍ରିସ୍ତରୀୟ ଆଭିମୁଖ୍ୟ ଗ୍ରହଣ କରାଯାଇଛି :
● ପଠନଯୋଗ୍ୟତା ବୃଦ୍ଧି କରିବା ପାଇଁ ଜଟିଳ ଭାଷାକୁ ବାଦ ଦେବା ।
● ଉନ୍ନତ ମାର୍ଗଦର୍ଶନ ପାଇଁ ଅନାବଶ୍ୟକ ଓ ପୁନରାବୃତ୍ତି ବ୍ୟବସ୍ଥା ଅପସାରଣ କରିବା ।
● ସନ୍ଦର୍ଭର ସୁବିଧାକୁ ଯୋଗାଇ ଦେବା ଲାଗି ବିଭାଗଗୁଡ଼ିକୁ ଯୁକ୍ତିସଂଗତ ଭାବେ ପୁନର୍ଗଠନ କରିବା ।
ପରାମର୍ଶ ଓ ଗବେଷଣା ଅଧାରିତ ଆଭିମୁଖ୍ୟ
ସରକାର ବ୍ୟାପକ ଅଂଶୀଦାରଙ୍କ ସମ୍ପୃକ୍ତିକୁ ଗୁରୁତ୍ୱ ଦେଇ ଟିକସଦାତା, ବ୍ୟବସାୟ, ଶିଳ୍ପ ସଂଘ ଏବଂ ବୃତ୍ତିଗତ ସଂସ୍ଥାଗୁଡ଼ିକ ସହିତ ବିଚାରବିମର୍ଶ କରିଥିଲେ । ଅନଲାଇନରେ ମିଳିଥିବା ୨୦,୯୭୬ଟି ପରାମର୍ଶ ମଧ୍ୟରୁ ପ୍ରାସଙ୍ଗିକ ପରାମର୍ଶଗୁଡ଼ିକୁ ଅନୁଧ୍ୟାନ କରାଯାଇଥିଲା ଏବଂ ସମ୍ଭବ ହେଲେ ସେଗୁଡ଼ିକୁ ସାମିଲ କରାଯାଇଥିଲା । ଶିଳ୍ପ ବିଶେଷଜ୍ଞ ଏବଂ ଟିକସ ପେସାଦାରଙ୍କ ସହ ପରାମର୍ଶ କରାଯାଇଥିଲା ଏବଂ ସର୍ବୋତ୍ତମ ଅଭ୍ୟାସ ପାଇଁ ଅଷ୍ଟ୍ରେଲିଆ ଓ ବ୍ରିଟେନର ସରଳୀକରଣ ମଡେଲ ଅଧ୍ୟୟନ କରାଯାଇଥିଲା । ଟିକସ ଆଇନର ସରଳୀକରଣ ଦ୍ୱାରା ଅନେକ ପରିଣାମଗତ ଲାଭ ମିଳିବ । ଏହି ସମୀକ୍ଷା ଦ୍ୱାରା ଆୟକର ଆଇନର ଆକାର ଯଥେଷ୍ଟ ହ୍ରାସ ପାଇବ । ଏହାକୁ ଅଧିକ ସୁବ୍ୟବସ୍ଥିତ ଓ ସଂକ୍ଷିପ୍ତ କରାଯାଇଛି । ବର୍ତ୍ତମାନର ଆୟକର ଆଇନରେ ୫,୧୨,୫୩୫ଟି ଶବ୍ଦ ଥିବା ବେଳେ ନୂଆ ବିଲରେ ୨,୫୨,୮୫୯ଟି ଶବ୍ଦ ହ୍ରାସ କରାଯାଇ ୨,୫୯,୬୭୬ଟି ଶବ୍ଦ ରଖାଯାଇଛି । ସେହିପରି ଅଧ୍ୟାୟ ସଂଖ୍ୟା ପୂର୍ବରୁ ୪୭ ଥିବା ବେଳେ ଏଥିରେ ୨୪ଟିକୁ ହ୍ରାସ କରାଯାଇ ୨୩ କରାଯାଇଛି । ଅନୁଚ୍ଛେଦ ସଂଖ୍ୟା ପୂର୍ବରୁ ୮୧୯ ଥିଲା । ବର୍ତ୍ତମାନ ଏଥିରେ ୨୮୩କୁ ହ୍ରାସ କରାଯାଇ ୫୩୬ କରି ଦିଆଯାଇଛି । ପୂର୍ବରୁ ଆଇନରେ ମୋଟ ୧୮ଟି ତାଲିକା ଥିଲା ବର୍ତ୍ତମାନ ବିଲରେ ୩୯ ତାଲିକା ବୃଦ୍ଧି କରି ୫୭ କରିଦିଆଯାଇଛି । ସେହିପରି ଫର୍ମୁଲା ସଂଖ୍ୟା ପୂର୍ବରୁ ଆଇନରେ ୬ ଥିବା ବେଳେ ଏଥିରେ ୪୦ଟି ନୂଆ ଫର୍ମୁଲା ଯୋଡ଼ା ଯାଇ ଏହାକୁ ୪୬ କରି ଦିଆଯାଇଛି । ଏହା ବ୍ୟତୀତ ଆଇନରେ ଗୁଣବତ୍ତା ସଂକ୍ରାନ୍ତ ସୁଧାର ଆଣିବା ଲାଗି ବିଲରେ ଏକାଧିକ ପ୍ରସ୍ତାବ ରହିଛି । ଭାଷାକୁ ସରଳ କରିବା ସହିତ ଆଇନକୁ ଅଧିକ ସୁଲଭ କରିବାକୁ ପ୍ରସ୍ତାବ ରହିଛି । ସଂଶୋଧନକୁ ଏକତ୍ରିତ କରିବା ପାଇଁ ବିଭାଜନକୁ ହ୍ରାସ କରିବାକୁ ପ୍ରସ୍ତାବ ରହିଛି । ଅଧିକ ସ୍ପଷ୍ଟତା ଲାଗି ଅପ୍ରାସଙ୍ଗିକ ଏବଂ ଅନାବଶ୍ୟକ ବ୍ୟବସ୍ଥାକୁ ହଟାଇ ଦିଆଯାଇଛି । ଉନ୍ନତ ପଠନୀୟତା ନିମନ୍ତେ ତାଲିକା ଏବଂ ଫର୍ମୁଲାର ସଂଖ୍ୟା ବୃଦ୍ଧି ଜରିଆରେ ଢାଞ୍ଚାଗତ ସୁବ୍ୟବସ୍ଥା ନିମନ୍ତେ ବିଲରେ ପ୍ରସ୍ତାବ ରହିଛି । ବର୍ତ୍ତମାନର ଟିକସ ବ୍ୟବସ୍ଥାର ସିଦ୍ଧାନ୍ତକୁ ସଂରକ୍ଷଣ ସହିତ ଉପଯୋଗିତା ବଢ଼ାଇବା ଲାଗି ନିରନ୍ତରତା ସୁନିଶ୍ଚିତ କରାଯାଇଛି । ଆୟକର ବିଲ ୨୦୨୫ ଏକ ସରଳ ଓ ସ୍ପଷ୍ଟ ଢାଞ୍ଚା ପ୍ରଦାନ କରି ବ୍ୟବସାୟିକ ସୁଗମତା ବା ଇଜ୍ ଅଫ୍ ଡୁଇଂ ବିଜନେସକୁ ପ୍ରୋତ୍ସାହନ ଦେବା ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ।