ନୂଆପଡ଼ା-ବରଗଡ଼ ରେଳ ଲାଇନ୍ ପାଇଁ ରେଳମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ସାଂସଦ ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ନୂଆପଡ଼ା-ବରଗଡ଼ ରେଳଲାଇନ୍ ପାଇଁ ପୁଣି ଥରେ ଦାବି ଦୋହରାଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ସେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଏହି ପ୍ରକଳ୍ପ ଲାଗି ଦାବିପତ୍ର ପ୍ରଦାନ କରିଛନ୍ତି । ସାଂସଦ ପ୍ରଦୀପ ପୁରୋହିତ ଏହି ଦାବିପତ୍ରରେ ଦର୍ଶାଇଛନ୍ତି ଯେ, ପଶ୍ଚିମ ଓଡ଼ିଶାରେ ଏହି ଅଞ୍ଚଳର ଆର୍ଥିକ, ବ୍ୟାବସାୟିକ ତଥା ବାଣିଜ୍ୟିକ ବିକାଶ ପାଇଁ ଏହି ରେଲଲାଇନ୍ ଲାଇଫଲାଇନ୍ ସାବ୍ୟସ୍ତ ହେବ । ପୂର୍ବରୁ ମଧ୍ୟ ସେ ରେଳମନ୍ତ୍ରୀଙ୍କ ନିକଟରେ ସମାନ ଦାବି ରଖିଥିବା ବେଳେ ଏହା କେନ୍ଦ୍ର କ୍ୟାବିନେଟ୍ ଓ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ପାଇଥିବା କୁହାଯାଇଥିଲା । ତେବେ ଚଳିତ ବର୍ଷର ରେଳ ବଜେଟରେ ଓଡ଼ିଶାର ଅନ୍ୟ ୬ଟି ପ୍ରକଳ୍ପ ସ୍ଥାନ ପାଇଥିଲେ ବି ନୂଆପଡ଼-ବରଗଡ଼ ରେଳ ଲାଇନ୍‌କୁ ନଜରଅନ୍ଦାଜ କରାଯାଇଛି । ସେହିପରି ପଦ୍ମପୁର ଉପନିର୍ବାଚନ ତଥା ଗତ ସାଧାରଣ ନିର୍ବାଚନରେ ଏହି ରେଳ ପ୍ରକଳ୍ପ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ତେବେ ଏହି ପ୍ରତିଶ୍ରୁତି ମୁତାବକ ପ୍ରକଳ୍ପ ଘୋଷଣା ହୋଇନାହିଁ । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏହାକୁ ନଜରରେ ରଖି ନୂଆପଡ଼ା-ବରଗଡ଼ ରେଳ ଲାଇନ୍‌ର ପୁନର୍ବିଚାର କରିବାକୁ ସାଂସଦ ପ୍ରଦୀପ ପୁରୋହିତ ରେଳମନ୍ତ୍ରୀଙ୍କୁ ଭେଟି ଏ ସଂପର୍କିତ ଦାବିପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.