ବୈଶାଖୀ ସାହିତ୍ୟ ସଂସଦର ବାର୍ଷିକୋତ୍ସବ

  • ଆମ ସାହିତ୍ୟ ଆମ ଅସ୍ମିତାର ପରିଚୟ

ରାଉରକେଲା, (ସସ୍ମିତା ପ୍ରଧାନ) : ସାହିତ୍ୟ ସମାଜର ପରିବର୍ତ୍ତନର ସହାୟକ ହୋଇଥାଏ । ଆମ ସାହିତ୍ୟ ଆମ ଅସ୍ମିତାର ପରିଚୟ ବୋଲି ଧାମରା ସଂଘ ପରିସରରେ ଆୟୋଜିତ ବୈଶାଖୀ ସାହିତ୍ୟ ସଂସଦର ୩୪ତମ ବାର୍ଷିକୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଡ. ବବ୍ରୁବାହନ ମାହାପାତ୍ର ନିଜ ଅଭିଭାଷଣରେ କହିଥିଲେ । ଡ. କିଶୋରୀ ଦାସଙ୍କ ସଭାପତିତ୍ୱ ଓ ଡ. ଉମାକାନ୍ତ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ବରେଣ୍ୟ ଅତିଥି ଭାବେ ଯୋଗଦାନ କରି ବିଶିଷ୍ଟ ଶିକ୍ଷାବିତ୍ ଶଶଧର ପଣ୍ଡା କହିଲେ ସାହିତ୍ୟ ହିଁ ଜାତୀୟ ସମୃଦ୍ଧିର ମୂଳମନ୍ତ୍ର । ଶିକ୍ଷାବିତ୍‌ ଭବେଶ ଚନ୍ଦ୍ର ସାହୁ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି ମତ ରଖିଥିବା ବେଳେ ସାଧାରଣ ସମ୍ପାଦକ ଚନ୍ଦ୍ରଧ୍ୱଜ ମାଝୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ପାଞ୍ଚଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡ. ବବ୍ରୁବାହନ ମହାପାତ୍ରଙ୍କୁ ବୈଶାଖୀ ଭାରତୀ ସମ୍ମାନ, ଅଙ୍ଗୁରବାଳା ପରିଡାଙ୍କୁ ବୈଶାଖୀ ସାରସ୍ୱତ ସମ୍ମାନ, ଶଶଧର ପଣ୍ଡାଙ୍କୁ ବୈଶାଖୀ ସଂସ୍କୃତି ସମ୍ମାନ, ରଶ୍ମିବାଳା ରାଉତରାୟଙ୍କୁ ବିଦ୍ୟାତିୱାରୀ ସ୍ମୃତି ସମ୍ମାନ, ବିଜୟ କୁମାର ସାହୁଙ୍କୁ ବେଣୁଧର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶେଷରେ କବି ସୁଶାନ୍ତ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ବିକ୍ରମ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ କବିତା ଆସର ଆୟୋଜିତ ହୋଇଥିଲା । ସମ୍ମାନିତ ଅତିଥିଭାବେ ଅଧ୍ୟପିକା ପ୍ରଣତି ବେହେରା ଯୋଗଦାନ କରିଥିଲେ । ସସ୍ମିତା ଭୋଇ, ନିତମ୍ବିନୀ କର ଏବଂ ବସନ୍ତ ବିଶ୍ୱକର୍ମଙ୍କ ସଂଯୋଜନାରେ ବହୁ କବି ସ୍ୱରଚିତ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସସ୍ମିତା ପ୍ରଧାନ, ଦେବବ୍ରତ ଦାସ, ରେବତୀ ବେହେରା, ଉମେଶ ତିୱାରୀ, ହରିହର ଶତପଥୀ, ରାଜ କୁମାର ମହାନ୍ତି, ଦୁର୍ଯ୍ୟୋଧନ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.