ଦୁର୍ଘଟଣାରେ ମାନବିକତା ଦେଖାଇଥିବା ବ୍ୟକ୍ତିଙ୍କୁ ସମ୍ମାନିତ କଲେ ଟିଟିଲାଗଡ଼ ଉପଜିଲ୍ଲାପାଳ

ସଇଁତଲା, (ପ୍ରମୋଦ ସେଲମା) : କୌଣସି ଦୁର୍ଘଟଣା ଘଟିଲେ ଲୋକମାନେ ପୋଲିସର ଭୟରେ, ଅଯଥାରେ ସାକ୍ଷୀ ହେବା ଭୟ ଯୋଗୁଁ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କରିବାର ଇଛାଥିଲେ ମଧ୍ୟ ଲୋକେ କୁଣ୍ଠାବୋଧ କରୁଛନ୍ତି । ଏଥିପାଇଁ ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଏକ ଜନସଚେତନା ସଭା ଆୟୋଜିତ ହୋଇଥିଲା ।ସଭାରେ ଦୁର୍ଘଟଣାରେ ଗୁରୁତର ଥିବା ବ୍ୟକ୍ତିମାନଙ୍କୁ ଉଦ୍ଧାର କରି ଯୁଦ୍ଧକାଳୀନ ଭିତ୍ତିରେ ନିକଟସ୍ଥ ଡାକ୍ତରଖାନାକୁ ପହଞ୍ଚାଇଥିବା ବ୍ୟକ୍ତିମାନଙ୍କୁ ସ୍ଥାନୀୟ ଉପଜିଲ୍ଲାପାଳ ମନୋଜ ମହାଜନ ସମ୍ମାନିତ କରିଛନ୍ତି । ଏହି ଅବସରରେ ଗତ ୨ ଦିନ ତଳେ ମୁରିବାହାଲ ତହସିଲଦାର ସୋନାଲି ପାତ୍ର ଏବଂ ତହସିଲ ଅଫିସର ବରିଷ୍ଠ କିରାଣୀ ହେମଲେଟ ବାର୍ଲା ଟିଟିଲାଗଡ଼ ଆସୁଥିବା ସମୟରେ ଘଣ୍ଟବାହାଲି ଗ୍ରାମ ନିକଟସ୍ଥ ବିଟାବନ୍ଦ ପାଖରେ ଜଣେ ଯୁବକ ଦୁର୍ଘଟଣାର ଶିକାର ହୋଇ ରାସ୍ତା କଡରେ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖି ତୁରନ୍ତ ନିଜ ଗାଡିରେ ଆଣି ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତି କରିଥିଲେ । ସେହିପରି ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ବଲାଙ୍ଗିରରୁ ସନ୍ଧ୍ୟାରେ ଫେରୁଥିବା ସମୟରେ ସଇଁତଲା ଥାନା କେରମେଲି ଗାଁ ଛକ ନିକଟରେ ଜଣେ ବାଇକ ଆରୋହୀ ଦୁର୍ଘଟଣାର ଶିକାର ହୋଇ ରାସ୍ତାରେ ପଡିଥିବା ବେଳେ ତାଙ୍କୁ କେରମେଲି ଗାଁର ରାଜ କୁମାର ଛତ୍ରିଆ । ଉପଜିଲ୍ଲାପାଳଙ୍କ ପିଏସ୍‌ଓ ଆଶିଷ କୁମାର ଗୌଡ଼ ସହାୟତା କରି ଆହତଙ୍କୁ ଉଦ୍ଧାର କରି ଆମ୍ୱଲାନ୍ସ ଯୋଗେ ସଇଁତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚାଇଥିଲେ । ଏହି ବ୍ୟକ୍ତିମାନେ ମାନବିକତାର ପରିଚୟ ଦେଇଥିବାରୁ ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀ ମହାଜନ ଉଭୟଙ୍କୁ ପ୍ରଶଂସା କରିବା ସହ ଉପଢେ଼øକନ ସହ ପୁଷ୍ପଗୁଛ ଦେଇ ସମ୍ମାନିତ କରିଥିଲେ । ଟିଟିଲାଗଡ଼ ପ୍ରଶାସନର ଏପରି ଜନସଚେତନତା କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଟିଟିଲାଗଡ଼ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ଲଳିତ ବାଗ ପରିଚାଳନା କରିଥିଲେ ।

Leave A Reply

Your email address will not be published.