ଭଙ୍ଗା ଦଦରା ଘରେ ମୁର୍ମୁଷୁ ଅବସ୍ଥାରେ ପଡି ରହିଥିବା ବୃଦ୍ଧଙ୍କୁ ଉଦ୍ଧାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ଭଙ୍ଗା ଦଦରା ଘରେ ଏକାକୀ ପଡିରହି ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ୬୫ ବର୍ଷୀୟ ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କଲା ସଂକଳ୍ପ ପରିବାର । ପକ୍ଷାଘାତର ଶିକାର ହୋଇ ବିକଳାଙ୍ଗ ଅବସ୍ଥାରେ ପଡି ରହିଥିବା ଅସହାୟ ବୃଦ୍ଧ ଜଣକ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ଏପରି ଅପରାହ୍ନ ବୟସରେ ତାଙ୍କ ଯତ୍ନ ନେବାକୁ ନା ନିଜ ପରିବାର ଅଛି ନା କୌଣସି ସମ୍ପର୍କୀୟ । ମାତ୍ର ଏପରି ପରିସ୍ଥିତିରେ ଦେବଦୂତ ସାଜି ସାହା ହୋଇଥିଲା ବରଗଡର ସଂକଳ୍ପ ପରିବାର । ନର୍କ ସଦୃଶ ଜୀବନରୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ପହଞ୍ଚାଇଛି ସମାଜସେବୀ ସଙ୍ଗଠନ ସଂକଳ୍ପ ପରିବାର । ସୂଚନା ଅନୁସାରେ ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଟାଙ୍ଗରପାଲି ପଞ୍ଚାୟତର ଜୁନାନୀ ଗ୍ରାମର ଘଟଣା । ୬୫ ବର୍ଷ ବୟସର ସନ୍ତାନହୀନ ବୃଦ୍ଧ ଦମ୍ପତ୍ତି ଜୀବର୍ଦ୍ଧନ ଭୁଏ ଓ ତାଙ୍କ ସ୍ତ୍ରୀ ଲଷ୍ମୀ ଭୁଏ ଏକ ଭଙ୍ଗା ଦଦରା ଘରେ ବାସ କରୁଥିଲେ । ପରିବାର କହିଲେ କେବଳ ଉଭୟ ବୃଦ୍ଧ ସ୍ଵାମୀ ଓ ସ୍ତ୍ରୀ । ସ୍ଵାମୀ ଜୀବର୍ଦ୍ଧନ ଭୁଏ ଗତ ୨୦୨୦ ମାର୍ଚ ମାସରୁ ପକ୍ଷାଘାତ ରୋଗର ଶିକାର ହୋଇ ଅପାରଗ ହୋଇ ପଡିଥିଲେ । ତେବେ ବହୁ ଦୁଃଖ କଷ୍ଟରେ ଉଭୟ ସ୍ଵାମୀ ସ୍ତ୍ରୀ ଏକାକୀ ଫଟା ଦଦରା ଘରେ ଜୀବନ ବିତାଉଥିଲେ । ସ୍ତ୍ରୀ ଲକ୍ଷ୍ମୀ ଭୁଏ ସ୍ଵାମୀ ଜୀବର୍ଦ୍ଧନଙ୍କ ସେବା ଶୁଶ୍ରୁସା କରିଆସୁଥିଲେ ମାତ୍ର ଗତ କିଛି ଦିନ ତଳେ ସ୍ତ୍ରୀ ଲକ୍ଷ୍ମୀ ଭୁଏଙ୍କର ମୃତ୍ୟୁ ହୋଇଥିଲା । ତେବେ ସ୍ତ୍ରୀଙ୍କର ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଅସହାୟ ହୋଇପଡିଥିଲେ ସ୍ଵାମୀ ଜୀବର୍ଦ୍ଧନ । ସଜ୍ୟାଶାୟୀ ହୋଇପଡିଥିବା ଜୀବର୍ଦ୍ଧନ ଅସହାୟ ଅବସ୍ଥାରେ ଖଟେ ପଡିରହି ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରିଆସୁଥିଲେ । ନା ଖାଦ୍ୟ ଯୋଗେଇବାକୁ କେହି ଅଛି ନା ଚିକିତ୍ସା କରାଇବାକୁ । କାହାକୁ ଦୟା ଆସିଗଲେ ଗ୍ରାମର କିଛି ଲୋକେ ଖାଦ୍ୟ ପହଞ୍ଚାଇ ଦେଉଥିଲେ ବୃଦ୍ଧଙ୍କ ନିକଟକୁ । ଏପରି ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିବା ଅସହାୟ ବୃଦ୍ଧଙ୍କ ଅବସ୍ଥା ବିଷୟରେ ଗ୍ରାମବାସୀ ବରଗଡର ସମାଜସେବୀ ସଙ୍ଗଠନ ସଂକଳ୍ପ ପରିବାରକୁ ଖବର ଦେଇଥିଲେ । ଏପରି ସଂବେଦନଶୀଳ ଘଟଣା ବିଷୟରେ ଖବର ପାଇବା ମାତ୍ରେ ସଂକଳ୍ପ ପରିବାର ରାତାରାତି ଜୁନାନୀ ଗ୍ରାମକୁ ପହଞ୍ଚି ପଡିଥିଲେ । ବୃଦ୍ଧ ଜଣଙ୍କର ଅବସ୍ଥା ଦେଖିବା ପରେ ସଙ୍ଗେ ସଙ୍ଗେ ଏମ୍ବୁଲେନ୍ସକୁ ଡକାଇ ବୃଦ୍ଧ ଜଣଙ୍କୁ ସେଠାରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରିଥିଲେ ସଂକଳ୍ପ ପରିବାର । ବାରପାହାଡର ଘଞ୍ଚ ଜଙ୍ଗଲ ଭିତରେ ରହିଥିବା ଜୁନାନୀ ଗ୍ରାମକୁ ବିଳମ୍ବିତ ରାତ୍ରିରେ ମଧ୍ୟ ପହଞ୍ଚି, ସଂକଳ୍ପ ପରିବାରର ସଦସ୍ୟମାନେ ଅସହାୟ ବୃଦ୍ଧଙ୍କୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରି ତାଙ୍କର ଚିକିତ୍ସା ପାଇଁ ବରଗଡ ହସପିଟାଲକୁ ଆଣିବା ଘଟଣାକୁ ଜୁନାନୀ ଗ୍ରାମବାସୀ ବେଶ ପ୍ରଶଂସା କରିଛନ୍ତି । ଆଜିର କଳିଯୁଗର ସ୍ଵାର୍ଥବାଦୀ ଦୁନିଆରେ ସମାଜସେବୀ ସଙ୍ଗଠନ ସଂକଳ୍ପ ପରିବାରର ଏପରି ନିଃସ୍ଵାର୍ଥ ସେବା ମନୋଭାବକୁ ଦେଖି ଗ୍ରାମବାସୀ ଖୁବ ସଂବେଦନଶୀଳ ହୋଇପଡିଥିଲେ ଓ ବରଗଡ ସଂକଳ୍ପ ପରିବାର ସଦସ୍ୟଙ୍କୁ ଗ୍ରାମବାସୀ ହୃଦୟର ସହିତ କୃତଜ୍ଞତା ଜଣାଇଥିଲେ ।

Leave A Reply

Your email address will not be published.