oom

ଜନ୍ମ କଲା ମା’ର ଅନ୍ତିମ ସତ୍କାର ପାଇଁ ଆସିଲା ନାହିଁ ଚାକିରିଆ ପୁଅ : ଶବ ସତ୍କାର କଲା ସଂକଲ୍ପ ପରିବାର

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ମା’ ଜନ୍ମ ଦେଇଥିଲା ଦୁଇ ପୁଅ, ଆଜି ବ୍ୟାଙ୍କରେ ଚାକିରୀ କରି ବଡ଼ ଲୋକ ପାଳଟିଥିବା ଉଭୟ ପୁଅ ମା’ର ଶେଷ ସମୟରେ ମଧ୍ୟ ପାଖ ମାଡ଼ିଲେ ନାହିଁ । ଶେଷ ଥର ପାଇଁ ମୁଁହ ଦେଖିବାକୁ ମଧ୍ୟ ଚାହିଁଲେ ନାହିଁ । ମା’ର ମୃତ୍ୟୁ ଖବର ପାଇବା ପରେ ମଧ୍ୟ ଶବ ସତ୍କାର ପାଇଁ ଆସିବାକୁ ମନା କରିଦେଇଥିଲେ । ଝିଅ ଓ ଜ୍ୱାଇଁଙ୍କ ଘରେ ରହୁଥିବା ବୃଦ୍ଧା ମା’ଙ୍କ ଶବ ପଡ଼ିରହିଥିବା ବେଳେ ଶବ ସତ୍କାର ପାଇଁ ଅସହାୟ ହୋଇ ପଡ଼ିଥିବା ଝିଅ ଓ ଜ୍ୱାଇଁ ଶେଷରେ ସମାଜସେବୀ ସଙ୍ଗଠନ ସଂକଲ୍ପ ପରିବାରର ସହାୟତା ଲୋଡ଼ି ଥିଲେ । ଏପରି ଏକ ଦୁର୍ଭାଗ୍ୟ ଜନକ ଘଟଣା ଘଟିଛି ବରଗଡ଼ ୧୮ ନମ୍ବର ୱାର୍ଡ଼ ସ୍ଥିତ ଆଶାକିରନ ନିକଟସ୍ଥ ମାତୃବିହାରଠାରେ । ସୂଚନା ଅନୁଯାୟୀ ୮୨ ବର୍ଷର ବୃଦ୍ଧା ମାୟା ବାନାର୍ଜୀଙ୍କର ଦୁଇ ପୁଅ ଏବଂ ଗୋଟେ ଝିଅ । ବଡ଼ ପୁଅ ଆଲୋକ ବାନାର୍ଜୀ ଏବଂ ସାନ ପୁଅ ମାଧବ ବାନାର୍ଜୀ ଉଭୟେ ଛତିଶଗଡ଼ ରାଜ୍ୟରେ ବ୍ୟାଙ୍କରେ ଚାକିରୀ କରନ୍ତି । ତେବେ ଝିଅ ଓ ଜ୍ୱାଇଁଙ୍କ ସଙ୍ଗେ ବୃଦ୍ଧା ଜଣକ ବରଗଡ଼ରେ ରହୁଥିବା ବେଳେ ଗତ କିଛିଦିନ ହେଲା ତାଙ୍କ ଦେହ ଅସୁସ୍ଥ ରହିଥିଲା । ଚିକିତ୍ସିତ ଅବସ୍ଥାରେ ବୃଦ୍ଧା ଜଣଙ୍କର ଆଜି ଭୋର ୫ଟାରେ ମୃତ୍ୟୁ ହୋଇଯାଇଥିବା ବେଳେ ପରିବାରରେ ଜ୍ୱାଇଁ ଏସ. ଏଲ ମୁଖାର୍ଜୀ ଓ ଝିଅ କାକୁଳି ମୁଖାର୍ଜୀ ଘରେ ଏକାକୀ ଥିବାରୁ ଶବ ସତ୍କାର ପାଇଁ ଅସହାୟ ହୋଇ ପଡ଼ିଥିଲେ । ଏହି ବଙ୍ଗାଳି ପରିବାର ବରଗଡ଼କୁ ଦୁଇ ବର୍ଷ ହେଲା ନୂତନ ଭାବେ ଆସି ରହୁଥିବା ବେଳେ ପାଖ ପଡ଼ୋଶୀ ଛଡ଼ା ତାଙ୍କ କେହି ସମ୍ପର୍କୀୟ ମଧ୍ୟ ବରଗଡ଼ରେ ନାହାନ୍ତି । ପଡ଼ୋଶୀ ସୁବୋଧ କୁମାର ସାହୁ ଏହି ଘଟଣା ବିଷୟରେ ସମାଜସେବୀ ସଙ୍ଗଠନ ସଂକଲ୍ପ ପରିବାରକୁ ଯୋଗାଯୋଗ କରି ଶବ ସତ୍କାର ପାଇଁ ସାହାଯ୍ୟ ମାଗିଥିଲେ । ତେବେ ଉକ୍ତ ପରିବାର ବାସ କରୁଥିବା ଆଶା କିରନ ନିକଟସ୍ଥ ମାତୃବିହାର ବାସଭବନକୁ ସଂକଲ୍ପ ପରିବାର ପହଞ୍ଚିଥିଲା ଏବଂ ଶବ ସତ୍କାର ପାଇଁ ଲାଗିପଡିଥଲା । ଶବ ସତ୍କାର କରିବାକୁ ବରଗଡ଼ରେ କାଠ ମିଳିନଥିଲା ତେବେ କାଠର ଅଭାବ କାରଣରୁ ପଡ଼ୋଶୀ ସୁବୋଧ କୁମାର ସାହୁ ତାଙ୍କ ଗ୍ରାମ କରଲାଜୁରୀକୁ ଯୋଗାଯୋଗ କରିଥିଲେ ଏବଂ ସେଠାରୁ ଗାଁ ଲୋକେ ଟ୍ରାକ୍ଟର ଦ୍ୱାରା ପିପଳମୁଣ୍ଡା ସ୍ଥିତ କୋଭିଡ଼ ସ୍ୱର୍ଗଦ୍ୱାରକୁ କାଠ ଆଣି ପହଞ୍ଚିଥିବା ବେଳେ ସଂକଲ୍ପ ପରିବାରର ସହାୟତାରେ ବୃଦ୍ଧାଙ୍କ ଶବ ସତ୍କାର କରାଯାଇଥିଲା । ଏଠାରେ ଆଶ୍ଚର୍ୟ୍ୟର କଥା ଏହା ଯେ, ଶବ ସତ୍କାର ପାଇଁ ସମାଜସେବୀ ସଙ୍ଗଠନ ଆଗେଇ ଆସିଥିଲା ମାତ୍ର ବରଗଡ଼ର ଦୁର୍ଭାଗ୍ୟ ଯେ ବରଗଡ଼ରେ କାଠର ଅଭାବ କାରଣରୁ ଗ୍ରାମଞ୍ଚଳରୁ କାଠ ଯୋଗାଡ଼ କରି ଆଣିବାକୁ ପଡିଥିଲା । ବରଗଡ଼ରେ ଶବ ସତ୍କାର ପାଇଁ କାଠର ଅଭାବ ଦୀର୍ଘ ଦିନରୁ ରହି ଆସିଥିଲେ ଶୁଦ୍ଧା ଜିଲ୍ଲା ପ୍ରଶାସନ ନିଘୋର ନିଦ୍ରାରେ ସୋଇ ରହିଛି ଏବଂ ଏହି ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ବର୍ତ୍ତମାନ ଦେଖାଯାଉ କେବେ ଏ ସମସ୍ୟାର ସମାଧାନ ହେଉଛି ।

jittmm
Leave A Reply

Your email address will not be published.